ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ଏମିତି ଚିତ୍ର: ଅନୁଗୁଳରେ ବନ୍ଦ ହୋଇଛି ୨୯୧ଶିଳ୍ପ

ଗୋଟିଏ ପଟେ ଶିଳ୍ପାୟନ ପାଇଁ ଦୁଇ ଦୁଇଟା ପାର୍କ, ଅନ୍ୟପଟେ ଖୋଲୁ ଖୋଲୁ ଶିଳ୍ପାନୁଷ୍ଠାନରେ ପଡ଼ୁଛି ତାଲା

ଅନୁଗୁଳ : ଗୋଟିଏ ପଟେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାୟନ ପାଇଁ ସରକାର ଅନୁଗୁଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଏମ୍‌ଏସ୍‌ଏମ୍‌ଇ ପାର୍କ ତିଆରି କରିବାକୁ ହେଉଛି ଯୋଜନା। ଅନ୍ୟପଟେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାନୁଷ୍ଠାନ ଅରମ୍ଭର ମାତ୍ର କେଇଟା ଦିନ ପରେ ତାଲା ଝୁଲୁଛି। ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇ ବନ୍ଦ ହୋଇଯାଇଥିବା ଏ ପ୍ରକାର ଶିଳ୍ପ ସଂଖ୍ୟା ହେଉଛି ୨୯୧। ଚତୁର୍ଥ ସର୍ବଭାରତୀୟ ଶିଳ୍ପ ଗଣନା ତଥ୍ୟ ଜିଲ୍ଲାରେ କ୍ଷୁଦ୍ର ଶିଳ୍ପର ଚିତ୍ର କଣ ତାହା ସୂଚାଇ ଦେଉଛି।

ସୂଚନା ମୁତାବକ, ଗଲା କେଇଟା ଦଶନ୍ଧି ମଧ୍ୟରେ ଅନୁଗୁଳ ଜିଲ୍ଲାର ଶିଳ୍ପାୟନ ଚିତ୍ର ପୂରା ବଦଳି ଯାଇଛି। ପାଖରେ ବ୍ରାହ୍ମଣୀ ନଦୀର ପାଣି, ମାଟି ତଳେ ଭରପୂର କୋଇଲା ଖଣି ଏବଂ ରେଳ ପରିବହନ ଏଠି ତାପଜ ବିଦ୍ୟୁତ୍‌ କେନ୍ଦ୍ରଠୁ ଆରମ୍ଭ କରି ଆଲୁମିନିୟମ୍‌, ଷ୍ଟିଲ୍ ଆଦି ଗଣ୍ଡା ଗଣ୍ଡା ବୃହତ୍‌ ଶିଳ୍ପକୁ ଟାଣି ଆଣିଛି। କିନ୍ତୁ, ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ପାଇଁ ବୃହତ୍‌ ଶିଳ୍ପ ଠିଆ ହେବ ଯେତିକି ଜରୁରି ତାଠାରୁ ବହୁ ଜରୁରି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ବିକାଶ। ଜିଲ୍ଲାରେ କ୍ଷୁଦ୍ର କ୍ଷୁଦ୍ର ଶିଳ୍ପର ବିକାଶ ହେଲେ ଯାଇ ଶିଳ୍ପାୟନ ବିକେନ୍ଦ୍ରୀକରଣ ହେବ। ଆର୍ଥିକ ସମୃଦ୍ଧି ଆସିବ। କେବଳ ସେଇଥି ପାଇଁ ସରକାର ରାଜ୍ୟରେ ଦୁଇ ଦୁଇଟା ଏମ୍‌ଏସ୍ଏମ୍‌ଇ ପାର୍କ ତିଆରି କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ବଅଁରପାଳ ବ୍ଲକ୍‌ ତଳମୂଳ ଶାସନଠାରେ ୫୨ଏକର ଜମି ଇଡ୍‌କୋକୁ କେବଳ ଦିଆଯାଇ ନାହିଁ, ବରଂ ଏଥିପାଇଁ ୧୦ କୋଟି ଟଙ୍କାର ଅନୁଦାନ ବି ଦିଆଯାଇଛି। ଅନୁରୂପ ପାର୍କ କିଶୋରନଗର ବ୍ଲକ୍ ଜଏରାଟଠାରେ କରିବାକୁ ବି ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଇଡ୍‌କୋଠାରୁ ରିପୋର୍ଟ ବି ମଗାଯାଇଛି।

କେବଳ ଏହି ଦୁଇଟି ଶିଳ୍ପ ସମ୍ପର୍କିତ ପାର୍କ ନୁହେଁ, ବଅଁରପାଳ ବ୍ଲକ୍‌ ନାଲ୍‌କୋ ପଛ ପାଖରେ ସରକାର ଆଉ ଏକ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାୟନ କରିବାକୁ ଚାହୁଁଛନ୍ତି, ଯାହାର ନାଁ ଆଲୁମିନିୟମ୍‌ ପାର୍କ। ଏଠି ବି ଆଲୁମିନିୟମ୍‌ ସହିତ ଜଡ଼ିତ ଛୋଟ ଛୋଟ ଶିଳ୍ପ ସବୁ ଠିଆ କରାଯିବ। ଯାହା ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହିତ କରିବ।

ଗୋଟିଏ ପଟେ ସରକାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଉପରେ ଗୁରୁତ୍ବାରୋପ କରୁଥିବା ବେଳେ ଅନ୍ୟପଟେ ୨୯୧ଟି ଶିଳ୍ପ ଆରମ୍ଭ ହୋଇ ବନ୍ଦ ହେବା ଘଟଣା ଜିଲ୍ଲାର କ୍ଷୁଦ୍ର ଶିଳ୍ପ ଚିତ୍ରକୁ ସ୍ପଷ୍ଟ କରୁଛି। କ୍ଷୁଦ୍ର ଶିଳ୍ପ ଯେ କେବଳ ବନ୍ଦ ହେଉଛି ତାହା ନୁହେଁ, ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାରେ ୧୭୦୬ଟି ଶିଳ୍ପ ପଞ୍ଜୀକୃତ ହୋଇଛନ୍ତି ବୋଲି ବିଭାଗୀୟ ସୂତ୍ରରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର