୧୧ କୋଟିର କାମ ପାଇଁ ୨୯୧ ଗୁପ୍ତ ଟେଣ୍ଡର, ଠିକାଦାର- ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା; ସରକାରଙ୍କ ଦେଢ଼ କୋଟି ସ୍ବାହା

ଯାଜପୁର/ଟାଉନ: ପଦାକୁ ଆସୁଛି ଗୁପ୍ତ ଟେଣ୍ଡରର ଗୋପନ ରହସ୍ୟ। ଖୋଲା ଟେଣ୍ଡର ନକରି ଗୋପନରେ ମିଳିମିଶି ଲୁଟିବା ପାଇଁ କରାଯାଉଛି ଯୋଜନା। ପୂର୍ତ୍ତ ବିଭାଗରେ ଚାଲିଥିବା ମହାଦୁର୍ନୀତି ନେଇ ପୂର୍ବରୁ ‘ସମ୍ବାଦ’ରେ ବହୁ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଛି। ଏବେ ଆଉ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମାତ୍ର ୩ ଦିନ ମଧ୍ୟରେ ୧୧କୋଟିରୁ ଅଧିକ ଟଙ୍କାର କାମକୁ ୨୯୧ଟି ଗୁପ୍ତ ଟେଣ୍ଡର ଜରିଆରେ ବାଣ୍ଟି ଦିଆଯାଇଛି। ଠିକାଦାର, ଯନ୍ତ୍ରୀ ଏବଂ ମୁନାଫାଖୋର ବ୍ୟକ୍ତିଙ୍କ ପାଇଁ ସରକାର ହରାଇଛନ୍ତି ଦେଢ଼କୋଟିରୁ ଊର୍ଦ୍ଧ୍ବ ଟଙ୍କା। ଏହାର ସିଧାସଳଖ ଫାଇଦା ଯାଇଛି ଅସାଧୁମେଣ୍ଟର ପକେଟକୁ। ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନରେ ଗୁପ୍ତ ଟେଣ୍ଡର ମହାଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସରକାରୀ ବ୍ୟବସ୍ଥା ଅନୁଯାୟୀ ୫ଲକ୍ଷରୁ ଅଧିକ ମୂଲ୍ୟର ନିର୍ମାଣ କାମ ହେଲେ ଖୋଲା ଟେଣ୍ଡର କରାଯିବ। ମାତ୍ର ଏଠାରେ ଚତୁରତାର ସହିତ କୋଟି କୋଟି ଟଙ୍କାର ନିର୍ମାଣ କାମକୁ କାଗଜପତ୍ରରେ ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଛୋଟ ‌ଛୋଟ କାମରେ ଭାଗ କରି କିଛି ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି। ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ଏଠାରେ ମାତ୍ର ୩ ଦିନରେ ୨୯୧ଟି ଗୁପ୍ତ ଟେଣ୍ଡର ହୋଇଛି। ସୂଚନା ଅଧିକାର କର୍ମୀ ସୁଦୀପ୍ତ ପଣ୍ଡା ହାସଲ କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଗତ ଜାନୁଆରି ୨୨ତାରିଖରେ ୫୦ଟି ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୪ତାରିଖରେ ୧୧୧ଟି ଓ ୨୭ତାରିଖରେ ୧୩୦ଟି ଗୁପ୍ତ ଟେଣ୍ଡର କରାଯାଇଛି। ୨୯୧ଗୁପ୍ତ ଟେଣ୍ଡର ବାବଦରେ ୧୧କୋଟି ୮ଲକ୍ଷ ୯୯ ହଜାର ଟଙ୍କାର କାମ କରାଯାଇଛି। ଏହି ଗୁପ୍ତ ଟେଣ୍ଡର ପ୍ରକ୍ରିୟାରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପାଇଁ ୨୧ଲକ୍ଷ ୭୫ହଜାର ଟଙ୍କା, ବିଂଝାରପୁର ବ୍ଲକ ଛକରୁ -ଫତେପୁର- ଶିଶିରଣା ରାସ୍ତା ପାଇଁ ୩୩ଲକ୍ଷ ୫୪ହଜାର ଟଙ୍କା, ପ୍ରୀତିପୁର -ଡିହକୁଳା- ସିଂହପୁର ରାସ୍ତା ପାଇଁ ୬୪ଲକ୍ଷ ୬୨ ହଜାର ଟଙ୍କା, କୋରେଇ ବ୍ଲକ୍‌ର ଖଜୁରିନାଳୁଆ -ପୂର୍ବକୋଟ ରାସ୍ତା ପାଇଁ ୩୦ଲକ୍ଷ ୨୧ହଜାର ଟଙ୍କା, ଧର୍ମଶାଳା- କବାଟବନ୍ଧ ରାସ୍ତା ପାଇଁ ୨୯ଲକ୍ଷ ୯୩ ହଜାର ଟଙ୍କା, ଯାଜପୁର ବ୍ଲକ୍‌ର ମହେଶ୍ବରପୁର- ଜହଳ- ଯମୁନା ରାସ୍ତା ପାଇଁ ୩୭ଲକ୍ଷ ୪୧ହଜାର ଟଙ୍କା, ଦଶରଥପୁର ବ୍ଲକର ରାମବାଗ- ଛତ୍ରପଡା -ବିରିପଟା ରାସ୍ତା ପାଇଁ ୩୪ଲକ୍ଷ ୯୦ ହଜାର ଟଙ୍କା ଓ ଷଠିପୁର- ମଙ୍ଗଳପୁର ରାସ୍ତା ପାଇଁ ୨କୋଟି ୬୯ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ନିର୍ମାଣ କାମଗୁଡ଼ିକୁ ୫ଲକ୍ଷ ଟଙ୍କାରୁ କମ୍ କରି ଛୋଟ ଛୋଟ ପ୍ରକଳ୍ପରେ ଭାଗଭାଗ କରି ଗୁପ୍ତ ଟେଣ୍ଡର ଜରିଆରେ ମୁଷ୍ଟିମେୟ ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି।

ନିୟମ ମୁତାବକ ଖୋଲା ଟେଣ୍ଡର ହୋଇଥିଲେ ନିର୍ମାଣ କାମର ମାନ ଉନ୍ନତ ହେବା ସହିତ ଠିକାଦାରଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ସରକାର ସର୍ବାଧିକ ଲେସ୍ ଅର୍ଥ ୧୪.୯୯ ପ୍ରତିଶତ ବାବଦରେ ୧କୋଟି ୬୫ଲକ୍ଷ ଟଙ୍କା ପାଇଥାନ୍ତେ। ମାତ୍ର ଗୁପ୍ତ ଟେଣ୍ଡର ଯୋଗୁଁ ସିଧାସଳଖ ଏହି ଅର୍ଥ ଅସାଧୁ ମେଣ୍ଟ ହାତେଇ ନେଇଥିବାର ଅଭିଯୋଗ ହେଉଛି। ପୂର୍ତ୍ତ ବିଭାଗ ଟେଣ୍ଡର କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଗୋପନ ରହସ୍ୟ ପଦାରେ ପଡ଼ିବ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର