ଅନୁଗୁଳ: କିଏ ବାପା, ଜେଜେ ଅମଳରୁ ରହୁଛି। ପୁଣି କିଏ ନୂଆ ନୂଆ ଘର କରିଛି। କିଏ ପରିବାର ସହ ରହୁଛି ପୁଣି କିଏ ଚାଷବାସ ଚଳାଇଛି। ଢେଙ୍କାନାଳ ବନଖଣ୍ଡର ଘଞ୍ଚ ସଂରକ୍ଷିତ ଜଙ୍ଗଲକୁ ଏମିତି ମାଡ଼ିବସିଛନ୍ତି ଜବରଦଖଲକାରୀ। ଦଶନ୍ଧି ଦଶନ୍ଧି ଧରି ଏମିତି ଚାଲିଛି ଜଙ୍ଗଲ ଜବରଦଖଲ। କେବଳ ମାମଲା ଦାଏର କରି ବନବିଭାଗ ହାତବାନ୍ଧି ବସିଛି। ଜୁଲାଇ ୨୨ ତାରିଖରେ ନ୍ୟାସନାଲ୍‌ ଗ୍ରିନ୍ ଟ୍ରିବ୍ୟୁନାଲ୍‌କୁ ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାଳ ସତ୍ୟପାଠରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ବିଶ୍ବାଳଙ୍କ ଜଣାଇଛନ୍ତି, ରାଜ୍ୟରେ ମୋଟ୍‌ ୫୨୧୫୫୯୫ ହେକ୍ଟର ଜଙ୍ଗଲ ଥିବାବେଳେ ସେଥିରୁ ୨୦୨୪ ମ‌ାର୍ଚ୍ଚ ସୁଦ୍ଧା ୪୦୫୦୭.୫୬ ହେକ୍ଟର ଜଙ୍ଗଲ ଜବରଦଖଲ ହୋଇଛି। ଏଥିରେ ୧୪୪୧୧.୧୬ ହେକ୍ଟର ସଂରକ୍ଷିତ ଜଙ୍ଗଲ ଓ ୨୫୯.୫୮ ହେକ୍ଟର ଅଭୟାରଣ୍ୟ ମଧ୍ୟ ‌ରହିଛି। ଉକ୍ତ ତଥ୍ୟରେ ଢେଙ୍କାନାଳର ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ରାଜ୍ୟର ସର୍ବାଧିକ ସଂରକ୍ଷିତ ଜଙ୍ଗଲ ଜବରଦଖଲ ବନଖଣ୍ଡମାନଙ୍କ ଭିତରେ ଷଷ୍ଠ ସ୍ଥାନରେ ରହିଛି ଢେଙ୍କାନାଳ ବନଖଣ୍ଡ। ତଥ୍ୟ ମୁତାବକ, ନବରଙ୍ଗପୁରରେ ସର୍ବାଧିକ ୪୬୭୦ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜବରଦଖଲ ହୋଇଥିବାବେଳେ ସୁନ୍ଦରଗଡ଼ରେ ୨୭୬୦ ହେକ୍ଟର, କଳାହାଣ୍ଡି (ଉତ୍ତର)ରେ ୧୮୫୩ ହେକ୍ଟର, ରାୟଗଡ଼ାରେ ୧୬୦୨ ହେକ୍ଟର ଓ କେନ୍ଦୁଝର (ବନ୍ୟପ୍ରାଣୀ) ବନଖଣ୍ଡରେ ୧୪୧୮ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜବରଦଖଲ ହୋଇଛି। ଏହା ପଛକୁ ରହିଛି ଢେଙ୍କାନାଳ ବନଖଣ୍ଡ। ଯେଉଁଠି ୨୯୫.୪୨୩ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ କବ୍‌ଜା କରାଯାଇଥିବା ପିସିସିଏଫ୍‌ ଶ୍ରୀ ବିଶ୍ବାଳ ଏନ୍‌ଜିଟିକୁ ଦେଇଥିବା ତଥ୍ୟରେ ସ୍ପଷ୍ଟ କରିଛନ୍ତି।

Advertisment

ଅନ୍ୟପଟେ ସତୁରି, ଅଶି ଦଶକରୁ ଏଭଳି ଚାଲି ଆସିଥିବା ଜଣାପଡ଼ିଛି। କିଏ ଜଙ୍ଗଲ ଭିତରେ ବାସ କରୁଛି ତ କିଏ ଚାଷ କରୁଛି। କିନ୍ତୁ ଏହାଦ୍ବାରା ଯେ ସେମାନେ ଜଙ୍ଗଲ ଜମି ଜବରଦଖଲ କରୁଛନ୍ତି ତାହା ମାନିବାକୁ ନାରାଜ। ପୁରୁଷ ପୁରୁଷ ଧରି ଯେଉଁମାନେ ଉକ୍ତ ଜମିକୁ ନିଜ କବ୍‌ଜାରେ ରଖିଛନ୍ତି ସେମାନଙ୍କୁ ହଟାଇବା ଏକପ୍ରକାର ଅସମ୍ଭବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗୋଟିଏ ଗୋଟିଏ ଗାଁ ଜଙ୍ଗଲ ଜମିରେ ଛିଡ଼ା ହୋଇଛି। ତାହାକୁ ଉଚ୍ଛେଦ କରିବା ଭଳି କ୍ଷମତା ନା ବନବିଭାଗ ପାଖରେ ରହିଛି ନା ସେତିକି ସୁଯୋଗ ମିଳୁଛି ବୋଲି ଉକ୍ତ ଅଧିକାରୀ କହିଛନ୍ତି। ଢେଙ୍କାନାଳ ବନଖଣ୍ଡ ଅଧୀନରେ ସଦର, କାମାକ୍ଷାନଗର, ହିନ୍ଦୋଳ ଆଦି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଛି। ଏଠାରେ କଲରାପତରିଆ ବାଘଠାରୁ ନେଇ ହାତୀ ପର୍ଯ୍ୟନ୍ତ ବନ୍ୟଜନ୍ତୁ ରହିଛନ୍ତି। ଦୁର୍ଲଭ ଗଛଲତା ମଧ୍ୟ ଉକ୍ତ ଜଙ୍ଗଲମାନଙ୍କରେ ରହିଛି। ତଥାପି ଜଙ୍ଗଲ ଜବରଦଖଲ ଦ୍ବାରା ଜଙ୍ଗଲ ହ୍ରାସ ପାଉଥିବା ପିସିସିଏଫ୍‌ଙ୍କ ତଥ୍ୟରେ ଜଳଜଳ ଦିଶୁଛି। ଢେଙ୍କାନାଳ ବନଖଣ୍ଡରେ ମୋଟ୍‌ ୧୪୩୫୫୨ ହେକ୍ଟର ଜଙ୍ଗଲ ରହିଥିଲାବେଳେ ଜବରଦଖଲ ଫଳ‌ରେ ୦.୨୧ ପ୍ରତିଶତ ଜଙ୍ଗଲ ହ୍ରାସ ପାଇଛି। ବନବିଭାଗ ପକ୍ଷରୁ ଜବରଦଖଲକାରୀଙ୍କ ନାଁରେ ମାମଲା କରାଯାଉଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଏ ସମ୍ପର୍କରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି, ଏସବୁ ଜବରଦଖଲ ମାମଲା ବହୁତ ପୁରୁଣା। ନୂଆ ଜବରଦଖଲ କରିବାକୁ ଆମେ ଦେଉନାହୁଁ। ଯେଉଁଠି ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ ଆସୁଛି, ସେଠ‌ା‌ରୁ ତୁରନ୍ତ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି।