ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କରୋନା ତାର ଉଗ୍ରରୁପ ଦେଖାଇବା ଆରମ୍ଭ କରିଛି। ନୂଆପଡ଼ା ଜିଲ୍ଲରେ ବର୍ତ୍ତମାନ କରୋନା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖା ଦେଇଛି। ନୂଆପଡ଼ା ଜିଲ୍ଲାର ତୁକୁଲାପଡ଼ା ଗାଁରୁ ୧୪ଜଣଙ୍କ ସମେତ ମୋଟ ୨୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ତାରିଖ ଦିନ ସିନାପାଲି ବ୍ଳକ ବ୍ରାହ୍ମଣପଡ଼ାରେ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୨୬ତାରିଖ ଦିନ କୋମନା ବ୍ଳକ କୋନାବିରା ଗ୍ରାମରେ ପୁଣି ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଶନିବାର ଦିନ ପୁଣି ୪୨ଜଣ କରୋନା ଚିହ୍ନଟ ହୋଇଥିଲେ। ଆଜି ପୁଣି କୋମନା ବ୍ଳକର ଆଉ ଏକ ଗାଁ ତୁକୁଲାପଡ଼ାରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପ୍ରଶାନର ମୁଣ୍ଡବ୍ୟଥା ପାଲଟିଛି। ବର୍ତ୍ତମାନ କରୋନା ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଇଛି। ନୂଆପଡ଼ା ସ୍ବାସ୍ଥ୍ୟ ବିଭାଗଠାରୁ ମିଲିଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ୨୯ଜଣଙ୍କ ମଧ୍ୟରେ କୋମନା ବ୍ଳକରୁ ୧୪ ଜଣ, ସିନାପାଲି ବ୍ଳକରୁ ୪ଜଣ, ଖଡ଼ିଆଳ ବ୍ଳକରୁ ୩ଜଣ, ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରୁ ୨ଜଣ ଖଡ଼ିଆଳ ରୋଡ଼ରୁ ୬ଜଣ ଚିହ୍ନଟ ହୋଇଥିବା ନୂଆପଡ଼ା କୋଭିଡ୍ ଡାକ୍ତର ଗୋପାଲ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।