ଭୁବନେଶ୍ବର: ବିଶ୍ବର ଅନନ୍ୟ ଆକର୍ଷଣ କୋଣାର୍କ ସୂର୍ଯ୍ୟମନ୍ଦିର ପିଢ଼ିପିଢ଼ି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହି ସୂର୍ଯ୍ୟମନ୍ଦିର ବର୍ତ୍ତମାନ ଭଗ୍ନସ୍ତୂପରେ ପରିଣତ ହୋଇଛି। ମନ୍ଦିରର ନିର୍ମାଣ ଶୈଳୀ ସମ୍ବନ୍ଧରେ ଗବେଷଣା କରି ଏହାର ସଂରକ୍ଷଣ ସମ୍ଭବ। ମାତ୍ର ଏବେ କୌଣସି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଦକ୍ଷ ଇଞ୍ଜିନିୟର୍‌ମାନେ ଏ ସମ୍ପର୍କରେ ଅଜ୍ଞ। ଏଣୁ ନୂଆ ସୂର୍ଯ୍ୟମନ୍ଦିର ନିର୍ମାଣର ଆବଶ୍ୟକତା ରହିଛି। ଗତବର୍ଷ ପ୍ରତିଷ୍ଠିତ ‌ଅଯୋଧ୍ୟା ରାମମନ୍ଦିରକୁ ବର୍ତ୍ତମାନ ସୁଦ୍ଧା ୩୧ କୋଟି ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି। ଅନ୍ୟପକ୍ଷେ ଏକ ବର୍ଷରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଏକ କୋଟିରୁ କମ୍‌। ଏଥିଲାଗି ପରିକଳ୍ପିତ ନୂତନ ସୂର୍ଯ୍ୟମନ୍ଦିର ବିଶାଳ ପରିବର୍ତ୍ତନ ଆଣିପାରିବ। ଯାହା ବିକଶିତ ଓଡ଼ିଶା ସ୍ବପ୍ନକୁ ଶକ୍ତି ଯୋଗାଇବ। ‘ଆମ ଓଡ଼ିଶା’ର ୨୯ତମ ପ୍ରତିଷ୍ଠା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଅର୍କକ୍ଷେତ୍ର ‌କୋଣାର୍କ’ର ରଚୟିତା ଅନିଲ ଦେ ଏହା କହିଛନ୍ତି।

Advertisment

‘ଆମ ଓଡ଼ିଶା’ ପତ୍ରିକା ଉନ୍ମୋଚିତ
ଅନିଲ ଦେଙ୍କୁ ‘ଆମ ଓଡ଼ିଶା ଅସ୍ମିତା ସମ୍ମାନ’

ବୁଦ୍ଧମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଜଗଦାନନ୍ଦ କହିଲେ, ସମାଜରେ ଘଟୁଥିବା ଅନ୍ୟାୟ ବିରୋଧରେ ନାଗରିକ ସମାଜ ଜୋରଦାର ସ୍ବର ଉତ୍ତୋଳନ କରିବା ଜରୁରି। ସମାଜର ଦୁର୍ବଳ ବର୍ଗଙ୍କ ଅସଜଡ଼ା କାମକୁ ସଜାଡ଼ିବାର ଦାୟିତ୍ବ ନାଗରିକ ସମାଜର। ରଚନାତ୍ମକ କାର୍ଯ୍ୟକ୍ରମ ଓ ସଂଘର୍ଷ ଦ୍ବାରା ସମାଜର ରୂପ ବଦଳିପାରିବ। ନାଗରିକ ସମାଜ ଏହାର ନେତୃତ୍ବ ନେବା ଆବଶ୍ୟକ। ଓଡ଼ିଶା ଭଳି ପ୍ରାକୃତିକ ଦୁର୍ବିପାକପ୍ରବଣ ରାଜ୍ୟରେ ନାଗରିକ ସମାଜକୁ ବିକାଶମୁଖୀ ହେବାକୁ ପଡ଼ିବ। ‘ଆମ ଓଡ଼ିଶା’ ଏହି ବିକାଶଧାରାକୁ ଆଗକୁ ନେବାରେ ସହାୟକ ‌ହେବ। ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏହି ସମାରୋହରେ ପୌରୋହିତ୍ୟ କରି କହିଲେ, ଓଡ଼ିଆ ଭାଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ଆମ ଓଡ଼ିଶା’ ଗଠିତ ହୋଇଥିଲା। ୨୯ ବର୍ଷର ସଂଘର୍ଷମୟ ଯାତ୍ରାରେ ବିଭିନ୍ନ ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମ ଦ୍ବାରା ଏହା ଲୋକଙ୍କ ନିକଟରେ ପହଞ୍ଚି ପାରିଛି। ଓଡ଼ିଶାର ସର୍ବ ବୃହତ୍‌ ଓଡ଼ିଆ ପରିବାର ଭାବେ ‘ଆମ ଓଡ଼ିଶା’ ନିଜର ପରିଚୟ ସୃଷ୍ଟି କରିଛି। ନାଗରିକ ସମାଜ ପାଇଁ ଦୁଇଟି ଜିନିଷ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ହେଲା ଗଣମାଧ୍ୟମ ଓ ଅନ୍ୟଟି ସ୍ବେଚ୍ଛାସେବୀ ଅନୁଷ୍ଠାନ। ‘ଆମ ଓଡ଼ିଶା’ ଅନୁଷ୍ଠାନ ଏହାର ସମାହାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆମ ଓଡ଼ିଶାର ଉପସଭାପତି ବିଶିଷ୍ଟ କଥାକାର ଦାଶ ବେନହୁର କହିଲେ ଓଡ଼ିଆ ସ୍ବାଭିମାନର ଜାଗରଣ, ଓଡ଼ିଆ ପରମ୍ପରାର ପ୍ରଚାର ପ୍ରସାର, ଓଡ଼ିଶାର ବିକାଶ ଓ ସମୃଦ୍ଧି ପାଇଁ ଓଡ଼ିଶାବାସୀଙ୍କୁ ଏକତ୍ର କରିବା ଅନୁ‌ଷ୍ଠାନର ମୂଳ ଲକ୍ଷ୍ୟ। ଏହି ଅବସରରେ ଅନିଲ ଦେଙ୍କୁ ଚଳିତ ବର୍ଷ ପାଇଁ ‘ଆମ ଓଡ଼ିଶା ଅସ୍ମିତା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ନୂଆ ସାପ୍ତାହିକୀ ‘ଆମ ଓଡ଼ିଶା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆମ ଓଡ଼ିଶାର ପ୍ରକାଶନ ମୁଖ୍ୟ ଅସିତ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଧନ୍ୟବାଦ ଦେଇଥିଲେ।