ମହାନଦୀ କୂଳରେ ଲାଗିବ ୨ କୋଟି ଗଛ

ଭୁବନେଶ୍ୱର: ସବୁଜ ମହାନଦୀ ମିସନ୍‌ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ୨୦୧୮-୧୯ ବର୍ଷରେ ମହାନଦୀର ଦୁଇ କୂଳରେ ଦୁଇ କୋଟି ଗଛ ଲଗାଯିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାନଦୀର ଭୂତଳ ଜଳର ସଂରକ୍ଷଣ ଓ ସଞ୍ଚାରଣକୁ ଦୃଷ୍ଟିରେ ରଖି ବ୍ୟାପକ ବୃକ୍ଷରୋପଣ କରାଯିବ। ଏହା ସହ ଇବ୍‌ ଓ ତେଲ୍‌ ନଦୀ କୂଳରେ ଗଛ ଲଗାଯିବ। ରାଜ୍ୟର ସମସ୍ତ ବଡ଼ ବଡ଼ ନଦୀ କୂଳରେ ମଧ୍ୟ ବ୍ୟାପକ ବ୍ୟକ୍ଷରୋପଣ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ମହାନଦୀର ଦୁଇ କୂଳରେ ଥିବା ସରକାରୀ ଓ ବେସରକାରୀ ସ୍ଥାନଗୁଡ଼ିକରେ ଏହି ବୃକ୍ଷରୋପଣ କରାଯିବ। ମହାନଦୀ କୂଳରେ ଜଙ୍ଗଲ ଜମିକୁ ବାଦ୍‌ ଦେଲେ ୭୫.୭୬୦ ହେକ୍ଟର୍‌ ସରକାରୀ ଜମି ଓ ୪୭,୪୭୦ ହେକ୍ଟର୍‌ ବେସରକାରୀ ଜମି ରହିଛି। ଏଠାରେ ମୁଖ୍ୟତଃ ଆମ୍ବ, ପଣସ ଓ ଜାମୁ ଆଦି ଗଛ ଲଗାଯିବ। ଏଥି ପାଇଁ ପଞ୍ଚାତୟ ଓ ବ୍ଲକ୍‌ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ କମିଟି ଗଠନ କରାଯିବ। ଏହା ବାଦ୍‌ ମହାନଦୀ ଉପକୂଳରେ ଥିବା ଜଙ୍ଗଲରେ ଜଳ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ବ୍ୟାପକ ଭାବେ ଗ୍ରହଣ କରାଯିବ।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର