ଓଡ଼ିଶାରେ ନାଁକୁ ୫ଜି ସେବା, ୨ଜି ଇଣ୍ଟରନେଟ୍ ବି ମିଳୁନି

ଅଧା କଥାରୁ କଲ୍‌ କଟିଯାଉଛି, ଡାଉନଲୋଡ୍‌କୁ ବଳି ଯାଉଛି ଅପଲୋଡ୍‌

ଭୁବନେଶ୍ବର : ଜାନୁଆରି ୫ରୁ ଓଡ଼ିଶାରେ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେଲାଣି। ଏହାମଧ୍ୟରେ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ଜିଓ ପକ୍ଷରୁ ଏବଂ ଭୁବନେଶ୍ବର, କଟକ, ରାଉରକେଲା ଓ ପୁରୀରେ ଏୟାରଟେଲ୍ ପକ୍ଷରୁ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରାଯାଇଛି। ହେଲେ ୫ଜି ସେବା ଆରମ୍ଭ ହେବା ଦିନଠାରୁ ଟେଲିକମ୍ ସଂସ୍ଥାଗୁଡ଼ିକ ଏମିତି ସେବା ଯୋଗାଉଛନ୍ତି ଯେ ମୋବାଇଲ୍ ବ୍ୟବହାରକାରୀ ଚିଡ଼ଚିଡ଼ା ହୋଇଗଲେଣି। ୫ଜି ଇଣ୍ଟରନେଟ୍ ସେବା ପାଇଁ ଅଧିକ ଅର୍ଥ ଦେବାକୁ ପଡ଼ୁନି, କିନ୍ତୁ ୫ଜିରେ ଅଧିକାଂଶ ସମୟରେ ଯେଉଁ ଇଣ୍ଟରନେଟ୍ ମିଳୁଛି ତାହା ୨ଜି ଠାରୁ ବି ହୀନ ହୋଇଯାଇଛି। ନାଁକୁ ‌ମାତ୍ର ମୋବାଇଲ୍‌ରେ ୫ଜି ନେଟୱର୍କ ଦେଖାଉଥିବାବେଳେ ନା ଦ୍ରୁତ ଇଣ୍ଟରନେଟ ମିଳୁଛି ନା ଠିକ୍‌ରେ ‌ମୋବାଇଲ୍ ଉପଭୋକ୍ତା କଥା ହୋଇପାରୁଛନ୍ତି।

ଭୁବନେଶ୍ବରରୁ ଆରମ୍ଭ କରି ବ୍ରହ୍ମପୁର, ପୁରୀ ପର୍ଯ୍ୟନ୍ତ ସବୁଠି ଏହି ସମସ୍ୟା। ୫ଜି ମାୟାରେ ପଡ଼ିଥିବା ମୋବାଇଲ ଉପଭୋକ୍ତା ଏବେ ୫ଜିକୁ ମୁହଁ ମୋଡ଼ିଲେଣି। ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବାବେଳେ ଟେଲିକମ୍ ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଗଲା ଯେ, ଏଣିକି ଲୋକ ୧ ଜିବିପିଏସ୍‌ (୧୦୦୦ ଏମ୍‌ବିପିଏସ୍‌) ପର୍ଯ୍ୟନ୍ତ ଦ୍ରୁତ ଇଣ୍ଟରନେଟ୍ ପାଇବେ। ଏପରିକି ୪ଜି‌େର ‌ଏବେ ଉପଭୋକ୍ତା ଯେତିକି ଦ୍ରୁତରେ ଇଣ୍ଟରନେଟ୍ ପାଉଛନ୍ତି ତା’ଠାରୁ ୨୦ରୁ ୩୦ଗୁଣା ଦ୍ରୁତ ଇଣ୍ଟରନେଟ୍ ପାଇବେ। ହେଲେ ଏହା କେବଳ ଧୂଆଁ ବାଣ ଥିଲା ତାହା ଏବେ ପ୍ରମାଣିତ ହୋଇଗଲାଣି। ଡାଉନଲୋଡ୍‌ କି ଅପଲୋଡ୍‌ କିଛି ବି ହଜାରେ ଏମ୍‌ବିପିଏସ୍ ଛୁଇଁବା ଦୂର କଥା ୧୦ ଏମ୍‌ବିପିଏସ୍‌ ବି ଟପୁନି। ଡାଉନଲୋଡ୍‌ ଠାରୁ ଅପଲୋଡ୍ ବଳିଯାଉଛି। ଫେସ୍‌ବୁକ୍, ହ୍ବାଟସଆପ୍ ଓ ଟୁଇଟର୍‌ ଭଳି ସୋସିଆଲ୍ ମିଡିଆ ବ୍ୟବହାରେ କମ୍‌ ଇଣ୍ଟରନେଟ୍ ଖର୍ଚ୍ଚ ହେଉଥିଲେ ହେଁ ଏଥିରେ କଣ୍ଟେଟ୍ ଅପଲୋଡ୍‌ ହେବାକୁ ଅଧିକାଂଶ ସମୟରେ ୧ମିନିଟ୍ ଲାଗିଯାଉଛି। ଅପରପକ୍ଷେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଅପେଲାଡ୍‌ ପ୍ରମୁଖ ଆବଶ୍ୟକତା ଥିବାବେଳେ ଏହା ଅଧିକାଂଶ ସମୟରେ ୧ଏମ୍‌ବିପିଏସ୍‌ରେ ବି ପହଞ୍ଚୁନି।

ବିଟିଏସ୍ ବଢ଼ାଉନାହାନ୍ତି ଟେଲିକମ୍‌ ସଂସ୍ଥା‌
ଭୁବନେଶ୍ବର ଓ କଟକରେ ୫୧୦ଟି, ପୁରୀ, ରାଉରକେଲା, ବ୍ରହ୍ମପୁରରେ ମାତ୍ର ୧୧୪ଟି ବିଟିଏସ୍

iStock

କେବଳ ଇଣ୍ଟରନେଟ୍ ନୁହେଁ। ମୋବାଇଲ୍‌ରେ ୫ଜି ନେଟୱର୍କ ପୂରା ଆସୁଛି ବୋଲି ଦେଖାଉଛି। କିନ୍ତୁ ମୋବାଇଲ୍‌କୁ କଲ୍‌ କଲାବେଳକୁ ସୁଇଚ୍ ଅଫ୍ କହୁଛି। ଯଦି କଲ୍‌ ଲାଗୁଛି ତେବେ ଅଧ ମିନିଟ୍ କଥା ହୋଇଥିବ କି ନାହିଁ ହଠାତ୍ କଟିଯାଉଛି। ପୂରା ବ୍ଲାକ୍‌ଆଉଟ୍ ହୋଇଯାଉଛି। ଜିଓ ଓ ଏୟାରଟେଲ୍‌ର ଇଣ୍ଟରନେଟ୍ ଓ କଲ୍‌ ସେବା ଏବେ ଲୋକଙ୍କୁ କିଲବିଲ୍‌ କରିଦେଲାଣି। କେନ୍ଦ୍ରର ଦୂରସଞ୍ଚାର ମନ୍ତ୍ରଣାଳୟ ଏବଂ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ‌ରାଜ୍ୟରେ ୫ଜି ସେବା ଆରମ୍ଭ ହେଲା ବୋଲି ଜୋରଦାର୍ ପ୍ରଚାର କରୁଛନ୍ତି। କିନ୍ତୁ ଲୋକ ଇଣ୍ଟରନେଟ୍, କଲ୍‌ ପାଇଁ ଦହଗଞ୍ଜ ହେଉଥିଲେ ବି ଏହାର ସମାଧାନ କରୁନାହାନ୍ତି।
ପ୍ରଚାରରେ ମାତିଥିବା ମନ୍ତ୍ରୀ, ଅଧିକାରୀଙ୍କୁ ଲୋକ ଟୁଇଟ୍ କଲେ ଏହାର ଜବାବ୍ ବି ମିଳୁନି।

ଏନେଇ ଉଭୟ ଜିଓ ଓ ଏୟାରଟେଲ୍ କର୍ତ୍ତୃପକ୍ଷ କହୁଛନ୍ତି ଯେ, ଆମେ ଗୁଣାତ୍ମକ ଇଣ୍ଟରନେଟ୍ ସେବା ଯୋଗାଉଛୁ। ସହରର ସବୁ ଟାୱାରରେ ୫ଜି ବିଟିଏସ୍ ଉପଲବ୍ଧ ନଥିବାରୁ ଲୋକଙ୍କୁ କିଛି ସମସ୍ୟା ହେଉଛି। ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ଆମେ ସେବାରେ ଉନ୍ନତି ଆଣିବୁ। ଯେତେବେଳେ ସବୁ ଟାୱାରରେ ୫ଜି ବିଟିଏସ୍ ଲାଗିଯିବ ସେତେବେଳେ ଏହି ସମସ୍ୟା ରହିବନି।

ଦୁଇ ଟେଲିକମ୍ ସଂସ୍ଥା ଜାନୁଆରି ୫‌େର ୫ଜି ସେବା ଆରମ୍ଭ ହେବାବେଳେ କହିଥିଲେ ଯେ, ସପ୍ତାହେରୁ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ବର ଓ କଟକରେ ଇଣ୍ଟରନେଟ୍ ସେବାରେ ଦ୍ରୁତ ପରିବର୍ତ୍ତନ ହେବ। ପୂରା ସହରରେ ସମସ୍ତଙ୍କୁ ୫ଜି ସେବା ମିଳିବ। କିନ୍ତୁ ଅଧିକ ସହରରେ ୫ଜି ସେବା ଯୋଗାଇବା ପ୍ରଚା‌ରରେ ଟେଲିକମ୍ ସଂସ୍ଥାଗୁଡ଼ିକ ମାତିଥିବାରୁ କୌଣସି ଗୋଟିଏ ସହରରେ, ଗୋଟିଏ ଅଞ୍ଚଳରେ ଉନ୍ନତମାନର ଇଣ୍ଟରନେଟ୍ ସେବା ମିଳୁନି। ଏହାର ଉଦାହରଣ ହେଲା ଭୁବନେଶ୍ବର ଓ କଟକରେ ୫ଜି ସେବା ଆରମ୍ଭ ହେବା ବେଳେ ଜିଓ ଓ ଏୟାରଟେଲ୍‌ ପକ୍ଷରୁ ୫୧୦ଟି ବିିଟିଏସ୍ ପ୍ରତିଷ୍ଠା କରାଯାଇଥିଲା। ହେଲେ ଏବେ ରାଉରକେଲା, ବ୍ରହ୍ମପୁର ଏବଂ ପୁରୀରେ ୫ଜି ସେବା ଆରମ୍ଭ ହୋଇଥିଲେ ହେଁ ଏହି ତିନି ସହରରେ ଦୁଇ ଟେଲିକମ୍ ସଂସ୍ଥା ପକ୍ଷରୁ ଆଉ ୧୧୪ଟି ବିଟିଏସ୍ ଲାଗିଛି। ଏହି ୪ସହରରେ ମୋଟ୍ ୬୨୪ଟି ବିଟିଏସ୍ ଲାଗିଛି। ଏତିକି ବିଟିଏସ୍‌ରେ କିପରି ଲୋକଙ୍କୁ ଉନ୍ନତମାନର ଇଣ୍ଟରନେଟ୍ ସେବା ମିଳିବ ସେନେଇ ପ୍ରଶ୍ନ ଉଠିଲାଣି। ଲୋକ ‌୫ଜି ମାୟାରେ ନୂଆ ଫୋନ୍ କିଣି ଏବେ ପଶ୍ଚାତାପ କରୁଛନ୍ତି।

IT PRO

ଏନେଇ ଏୟାରଟେଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ସବୁ ଟାୱାରରେ ୫ଜି ସେବା ଉପଲବ୍ଧ ନଥିବାରୁ ଲୋକଙ୍କ ନେଟୱର୍କ ଅପ୍‌ଡାଉନ୍ ହେଉଛି। ତେଣୁ ଗାଡ଼ିରେ ଗଲାବେଳେ କି ଚାଲିଚାଲି କଥା ହେଲାବେଳେ ଏହି ସମସ୍ୟା ହେଉଥିବ। ଏବେ କେଉଁ ଅଞ୍ଚଳରେ କେତେ ଉପଭୋକ୍ତା ଅଛନ୍ତି, କେତେ ସ୍ପିଡ୍‌ରେ ଇଣ୍ଟରନେଟ୍ ସେବା ଯୋଗାଇବାକୁ ହେବ ତା’ର ସର୍ଭେ ଚାଲିଛି। ବହୁ ଲୋକ ନୂଆ ୫ଜି ହ୍ୟାଣ୍ଡସେଟ୍ କିଣୁଥିବାରୁ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ଏହାର ସମାଧାନ ହୋଇଯିବ।

ସେହିପରି ଜିଓର ଜଣେ ଇଞ୍ଜିନିୟରଙ୍କ କହିବାନୁଯାୟୀ, ଆମର ଯେଉଁ ଟାୱାରରେ ୫ଜି ବିଟିଏସ୍ ଲାଗିଛି ସେହି ଅଞ୍ଚଳରେ ଦ୍ରୁତ ଇଣ୍ଟରନେଟ୍ ଆସୁଛି। ବହୁ ଟାୱାରରେ ଏବେ ୫ଜି ସେବା ଉପଲବ୍ଧ ନଥିବାରୁ ଲୋକଙ୍କର ଇଣ୍ଟରନେଟ୍ ସେବା ଅପଡାଉନ୍ ହେଉଛି। ଆଉ ଦୁଇରୁ ତିନି ମାସରେ ସ୍ଥିତି ସୁଧୁରିଯିବ।

ଅପରପକ୍ଷେ ଜଣେ ଟେଲିକମ୍ ଇଞ୍ଜିନିୟରଙ୍କ କହିବାନୁଯାୟୀ, ଟେଲିକମ୍ ସଂସ୍ଥାଗୁଡ଼ିକ ତାଙ୍କର ଲାଟେନ୍ସି ବଢ଼ାଉନାହାନ୍ତି। ମୋବାଇଲ୍‌ର ଡାଟା ସ୍ପିଡ୍‌ ଟେଷ୍ଟରେ ଯାହାର ଲାଟେନ୍ସି ବା ପିଙ୍ଗ୍ ଯେତେ କମ୍‌ ରହିବ ସେ ସଂସ୍ଥା ସେତେ ଭଲ ଇଣ୍ଟରନେଟ୍ ଦେଉଛି ବୋଲି ଜଣାପଡ଼ିବ। ୫ଜିରେ ପିଙ୍ଗ୍ ୨୦ତଳକୁ (ସର୍ଭରରେ ପହଞ୍ଚିବାକୁ କେତେ ମାଇକ୍ରୋସେକେଣ୍ଡ ଲାଗୁଛି) ରହିଲେ ହିଁ ଦ୍ରୁତ ଇଣ୍ଟରନେଟ୍ ମିଳିବ। କିନ୍ତୁ ଏବେବି ୫ଜି ନେଟୱର୍କରେ ଏହା ୫୦ ଉପରେ ରହୁଛି। ଫଳରେ ଲୋକମାନେ ଯେଉଁ ସର୍ଭରରେ ପହଞ୍ଚିବାକୁ ଚାହୁଁଛନ୍ତି ସେଠାରେ ବିଳମ୍ବରେ ପହଞ୍ଚୁଛନ୍ତି। ଟେଲିକମ୍‌ ସଂସ୍ଥାଗୁଡ଼ିକ ଯେଉଁଭଳି ଭିତ୍ତିଭୂମି ଯୋଗାଇବେ ବୋଲି ଘୋଷଣା କରିଥିଲେ ତାହା ଏପର୍ଯ୍ୟନ୍ତ କରିନାହାନ୍ତି। ତେଣୁ ଏହି ଅସୁବିଧା ହେଉଛି।

ସମ୍ବନ୍ଧିତ ଖବର