ଭୁବନେଶ୍ୱର : ଗତ ୨୯ ତାରିିଖରେ ଭିଡିଓ କନ୍ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପ୍ରଗତି’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ବ୍ରାହ୍ମଣୀ ନଦୀ ସେତୁ ନିର୍ମାଣ ସଂପର୍କରେ ଆଲୋଚନା କରିଥିଲେ।
ସେତେବେଳେ ଏହି ପ୍ରକଳ୍ପ ସଂପର୍କରେ ଆଗାମୀ ୭ ଦିନରେ କ୍ୟାବିନେଟ୍ ସଚିବ ବିଶଦ୍ ଭାବେ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତଦନୁଯାୟୀ ଆଜି କ୍ୟାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନା ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ମଧ୍ୟରେ ଭିଡିଓ କନ୍ଫରେନ୍ସିଂ ଯୋଗେ ପ୍ରକଳ୍ପର ସମୀକ୍ଷା ହୋଇଥିଲା। ସମୀକ୍ଷାର ଫଳାଫଳରୁ ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ତ୍ୱରାନ୍ଵିତ ହେବ ବୋଲି ସୂଚନା ମିଳିଛି।
ସୂଚନା ମୁତାବକ ବ୍ରାହ୍ମଣୀ ସେତୁର ଗୁରୁତ୍ୱ ଉପଲବ୍ଧ କରି ସ୍ୱତନ୍ତ୍ର ଭାବେ ଏହାର ନିର୍ମାଣ ଆରମ୍ଭ ହୋଇଛି। ଏଥିପାଇଁ ରାଉରକେଲା ଦିଗରୁ ଆପ୍ରୋଚ୍ ରାସ୍ତା ନିର୍ମାଣ ନେଇ କୌଣସି ସମସ୍ୟା ନାହିଁ। କିନ୍ତୁ ସେତୁର ଅପରପାର୍ଶ୍ୱରେ ଆପ୍ରୋଚ୍ ରୋଡ୍ ପାଇଁ ଜାଗା ଅଧିକାର ସମସ୍ୟା ରହିଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହି ସମସ୍ୟା ଦୂର ହୋଇପାରିବ ବୋଲି ମୁଖ୍ୟ ସଚିବ କହିଥିଲେ। ଏ ନେଇ କ୍ୟାବିନେଟ୍ ସଚିବ ଶ୍ରୀ ସିହ୍ନା ସହମତି ପ୍ରକାଶ କରି ସେତୁ ନିର୍ମାଣ ତ୍ୱରାନ୍ଵିତ କରିବାକୁ ଏନ୍ଏଚ୍ଏଆଇକୁ ନିର୍ଦେଶ ଦେଇଥିଲେ।
ତେବେ ବୀରମିତ୍ରପୁରରୁ ବ୍ରାହ୍ମଣୀ ସେତୁ ଓ ବ୍ରାହ୍ମଣୀ ସେତୁରୁ ବାର୍କୋଟ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ଦିଗ ପରିବର୍ତନ ସହିତ ଜମି ଅଧିଗ୍ରହଣ ସମସ୍ୟା ରହିଛି। ଘରୋଇ ଜମି ଅଧିଗ୍ରହଣ ସହିତ ଜଙ୍ଗଲ ଜମି ପାଇଁ ମଞ୍ଜୁରି ପ୍ରକ୍ରିୟା ବିଳମ୍ବିତ ହେବ ବୋଲି ମୁଖ୍ୟ ସଚିବ କହିଥିଲେ। ତେବେ ଜଙ୍ଗଲ ଜମିରୁ ଗଛକଟା କାମ ଦୁଇମାସରେ ସରିବ ବୋଲି ସେ ପ୍ରକାଶ କରିଥିଲେ। ସେ ପଟେ ଅଣଜଙ୍ଗଲ ରାସ୍ତା ପାର୍ଶ୍ୱସ୍ଥ ଜମିରୁ ଗଛକଟା ପାଇଁ ଏନ୍ଏଚ୍ଏଆଇକୁ ୨୦୧୭ ଡିସେମ୍ବର ମାସରୁ ଅନୁମତି ଦିଆଯାଇଥିଲେ ବି ସେ କାମ ଆରମ୍ଭ ହୋଇନଥିବା କହିଥିଲେ ଶ୍ରୀ ପାଢ଼ୀ।
ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗ କେବଳ ରାଉରକେଲା ସହର ପାଇଁ ନୁହେଁ, ରାଜ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ନଦୀ ଉପରେ ରହିଥିବା ପୁରୁଣା ସେତୁ ଯେ କୌଣସି ମୁହୂର୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଏପରି ସ୍ଥଳେ ସମ୍ବଲପୁର ଓ ଅନ୍ୟାନ୍ୟ ଦିଗରୁ ରାଉରକେଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବ। ଏ ନେଇ ୨୦୧୪ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ବ୍ରାହ୍ମଣୀ ସେତୁ ନିର୍ମାଣ ପ୍ରକଳ୍ପ ହାତକୁ ନେବା ପରିବର୍ତେ ଜାତୀୟ ରାଜପଥ କର୍ତୃପକ୍ଷ(ଏନ୍ଏଚ୍ଏଆଇ) ୩୮୧.୭୫ କୋଟିର ବୀରମିତ୍ରପୁର-ବ୍ରାହ୍ମଣୀ ବ୍ରିଜ୍-ବାର୍କୋଟ୍ ରାଜପଥ ପ୍ରକଳ୍ପ ତିନିଟି ପ୍ୟାକେଜ୍ରେ ବିଭକ୍ତ କରିଥିଲେ। ଫଳରେ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବିତ ହୋଇସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/brahmani.jpg)