ପୁରୀ: ଦେଶରେ ୧୦୦ରୁ ୮୨ ଜଣ ଚିହ୍ନ ଦେଖି ଭୋଟ ଦିଅନ୍ତି। ୪୨ ପ୍ରତିଶତ ଭୋଟର ପ୍ରାର୍ଥୀ କିଏ ଚିହ୍ନନ୍ତି ନାହିଁ। କେବଳ ୧୮ ପ୍ରତିଶତ ବ୍ୟକ୍ତିତ୍ବ ଦେଖି ଭୋଟ ଦିଅନ୍ତି। ସାକ୍ଷରଙ୍କ ସଂଖ୍ୟା ବଢ଼ିଥିବାରୁ ଆଉ ଚିହ୍ନର ଆବଶ୍ୟକ ନାହିଁ। ‘ଚିହ୍ନ’ ଉଠିଗଲେ ଅନ୍ତତଃ ଲୋକେ ତାଙ୍କ ନେତା କିଏ ଚିହ୍ନିବେ ଓ ଭୋଟ ଦେବାକୁ ନିଷ୍ପତ୍ତି ନେବେ। ‘ଶ୍ରୀ ଶ୍ରୀକ୍ଷେତ୍ର ସୂଚନା’ ସମ୍ବାଦପତ୍ର ପକ୍ଷରୁ ଆୟୋଜିତ ‘ଗଣତନ୍ତ୍ର, ଗଣମାଧ୍ୟମର ଭୂମିକା ଓ ୨୦୨୪ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏକଥା କହିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଗଣତନ୍ତ୍ର ବ୍ୟବସ୍ଥାର ଅଧପତନ ଘଟିଛି। ଖବର ଉତ୍ପାଦ ହେବାରୁ ପାଠକଙ୍କ ବିଶ୍ବାସ ତୁଟିଯାଉଛି। ରାଜନୈତିକ ଦଳ ସୋସିଆଲ ମିଡିଆକୁ ଅସ୍ତ୍ର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଇଭିଏମ୍‌ର ଅପବ୍ୟବହାର ମଧ୍ୟ ହୋଇପାରେ। ଗଣମାଧ୍ୟମ ଠିକ୍‌ ଭାବେ ଦାୟିତ୍ବ ତୁଲାଇଲେ ଓ ନାଗରିକମାନେ ସଚେତନ ହେଲେ ହିଁ ଗଣତନ୍ତ୍ର ଓ ଦେଶ ବଞ୍ଚିବ ବୋଲି ସେ କହିଛନ୍ତି। ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ଦ୍ବିତୀୟ ସ୍ବନକ୍ଷତ୍ର ଓ ସମ୍ମିଳନୀରେ ବିଜେପି ନେତା ସଜ୍ଜନ କୁମାର ଶର୍ମା ଭୋଟ ଓ ନୋଟ୍‌କୈନ୍ଦ୍ରିକ ରାଜନୀତିକୁ ସମାଲୋଚନା କରିଥିଲେ। ବିଶିଷ୍ଟ ସାମ୍ବାଦିକ ସମ୍ପଦ ମହାପାତ୍ର କହିଲେ, ଗଣମାଧ୍ୟମ ନିରପେକ୍ଷ ନୁହେଁ ପକ୍ଷଭୁକ୍ତ। ଗଣମାଧ୍ୟମ ଉପରେ ଚାପ କାହାକୁ ଅଛପା ନାହିଁ। କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ଜନତା ଜାଗିଲେ ଅସମ୍ଭବ ବି ସମ୍ଭବ ହେବ। ସାମ୍ବାଦିକ ମୃଣାଳକାନ୍ତି ନନ୍ଦ କହିଲେ, ପ୍ରତ୍ୟେକ ଗଣମାଧ୍ୟମ ନିର୍ଦ୍ଦିଷ୍ଟ ନୀତି ନିୟମରେ ବନ୍ଧା। ସକରାତ୍ମକ, ଗଠନମୂଳକ ଓ ବାସ୍ତବବାଦୀ ଚିନ୍ତା ହିଁ ସୁସ୍ଥ ଗଣତନ୍ତ୍ର ତିଆରି କରିପାରିବ ବୋଲି କହିଥିଲେ। ବିଶିଷ୍ଟ ଅଧିବକ୍ତା ବିଭୁପ୍ରସାଦ ତ୍ରିପାଠୀ କହିଲେ, ଗଣତନ୍ତ୍ରକୁ ସୁଦୃଢ଼ କରୁଥିବା ଅନୁଷ୍ଠାନ ଏବେ ଦୁର୍ବଳ ହେବାରେ ଲାଗିଛନ୍ତି। ନିର୍ବାଚନ ପରିଚାଳନା ବି ଏବେ ସରକାରଙ୍କ ନିୟନ୍ତ୍ରଣରେ ବୋଲି ସେ କହିଥିଲେ। ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ସମ୍ପଦ ମହାପାତ୍ର, ଭାସ୍କର ମିଶ୍ର ଓ ମନୋଜ ରଥଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବାଦପତ୍ରର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲା। ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ମଧୁସୂଦନ ସିଂହାରୀ, ଶଙ୍କର୍ଷଣ ପରିଡ଼ା ଓ ଗୌରହରି ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ‘ଶ୍ରୀ ଶ୍ରୀକ୍ଷେତ୍ର ସୂଚନା’ର ସମ୍ପାଦକ ରାଜେଶ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ରର ସଂଯୋଜକ ବଦ୍ରି ମିଶ୍ର ଅତିଥିଙ୍କୁ ସ୍ବାଗତ କରିଥିଲେ। ସଂଯୋଜକ ବିଶ୍ବନାଥ ମିଶ୍ର ଓ ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।