ରାୟଗଡ଼ାରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ କୁଜେନ୍ଦ୍ରୀକୁ ନିଷିଦ୍ଧାଞ୍ଚଳ ଘୋଷଣା

ଆକ୍ରାନ୍ତ କର୍ଣ୍ଣାଟକରୁ ଫେରିଥିଲେ, ୧୮ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି

ରାୟଗଡ଼ା/ରାମନାଗୁଡ଼ା: ରାୟଗଡ଼ାରେ ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ୨୨ ବର୍ଷିୟ ମହିଳା ହୋଇଥିବା ବେଳେ କର୍ଣ୍ଣାଟକରୁ ସ୍ବାମୀଙ୍କ ସହ ଫେରିବା ପରେ ରାମନାଗୁଡ଼ା ବ୍ଲକ୍ କୁଜେନ୍ଦ୍ରୀ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିଲେ। ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ମହିଳାଙ୍କୁ ଗଜପତି କୋଭିଡ଼୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। କୁଜେନ୍ଦ୍ରୀକୁ ପ୍ରଶାସନ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୪୪ ଧାରା ଜାରି କରିଛି। ସେପଟେ ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୭ ଜଣଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

ଆକ୍ରାନ୍ତ ମହିଳା ନିଜ ସ୍ବାମୀଙ୍କ ସହ କର୍ଣ୍ଣାଟକରେ ରହୁଥିଲେ। ଲକଡାଉନ୍ ଯୋଗୁ ନିଜ ଘରକୁ ଫେରି ପାରିନଥିଲେ। ଘରକୁ ଫେରିବା ପରେ ପାଇଁ ସରକାରୀ ୱେବସାଇଟରେ ପଞ୍ଜିକରଣ କରିବା ପରେ ଭଡ଼ା ଗାଡ଼ିରେ କର୍ଣ୍ଣାଟକରୁ ଆନ୍ଧ୍ରର ଚିତ୍ତୋର ଦେଇ ବ୍ରହ୍ମପୁରରେ ପହଞ୍ଚିଥିଲେ। ଭଡ଼ା ଗାଡ଼ିରେ ୧୩ ଜଣଙ୍କ ସହ ଆକ୍ରାନ୍ତ ମହିଳା ବ୍ରହ୍ମପୁର ଅଭିମୁଖେ ଆସିଥିଲେ।

ହଳଦିଆପଦରରୁ ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ଆଣିବାକୁ ଯାଇଥିବା ଗାଡ଼ିରେ ଆକ୍ରାନ୍ତ ମହିଳା ସ୍ବାମୀଙ୍କ ସହ ଆସି ମେ’ ୨୯ ତାରିଖରେ ପରିଖିତ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିଥିଲେ। ପୁନଃ ପଞ୍ଜିକରଣ ପରେ ଉଭୟଙ୍କୁ କୁଜେନ୍ଦ୍ରୀ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ୩୦ ତାରିଖରେ ମହିଳା ଅସୁସ୍ଥ ଅନୁଭବ କରିବା ପରେ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହିଳାଙ୍କୁ ଗଜପତି କୋଭିଡ଼୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆକ୍ରାନ୍ତ ମହିଳାଙ୍କ ସହ ସ୍ବାସ୍ଥ୍ୟକେନ୍ଦ୍ରର ଗୋଟିଏ ରୁମରେ ରହୁଥିବା ତାଙ୍କ ସ୍ବାମୀ ଓ ଅନ୍ୟ ଦମ୍ପତିଙ୍କୁ ପ୍ରଶାସନ କ୍ବାରାଣ୍ଟିନରେ ରଖିଛି। ମୋଟ ୧୮ ଜଣଙ୍କ ସଂସ୍ପର୍ଶରେ ଆକ୍ରାନ୍ତ ମହିଳା ଆସିଥିବା କଣ୍ଟ୍ରାକ୍ଟ ଟ୍ରେସିଂରେ ଜଣା ପଡ଼ିଛି। ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ଜିଲ୍ଲାରେ ଦ୍ବିତୀୟ କେସ୍ ଚିହ୍ନଟ ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କୁଜେନ୍ଦ୍ରୀ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ଗାଁ ରାସ୍ତାକୁ ସିଲ୍ କରାଯାଇଛି। ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ଆବଶ୍ୟକ ନ ପଡ଼ିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଗୁଣପୁର ଉପ ଜିଲ୍ଲାପାଳ ବି. ଏସ୍. ବଳିରାମ, ଉପଖଣ୍ଡ ପୁଲିସ୍ ଅଧିକାରୀ ରାଜ କିଶୋର ଦାଶଙ୍କ ତତ୍ତ୍ବାବଧାନରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ କୁଜେନ୍ଦ୍ରୀରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଦ୍ବିତୀୟ କେସ୍ ଚିହ୍ନଟ ପରେ କରୋନା ମୁକାବିଲା ପାଇଁ ଅଧିକ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ୫୭ ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଇବା ସହ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି। ଦ୍ବିତୀୟ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଏବଂ ତାଙ୍କ ସହ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିବା ୧୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ କଡା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା ୨୦ଟି ପର୍ଯ୍ୟାୟରେ ଜିଲ୍ଲାରୁ ୨୦୭୦ ସ୍ବାବ ପରୀକ୍ଷା ପାଇଁ ଯାଇଥିବା ବେଳେ ୨୦୬୮ଟି ନେଗେଟିଭ୍ ଓ ୨ଟି ପଜିଟିଭ୍ ଆସିଛି।

ସମ୍ବନ୍ଧିତ ଖବର