ରାୟଗଡ଼ା: ରୁଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଦ୍ଵିତୀୟ ଟିମ ରାୟଗଡ଼ାରେ ପହଞ୍ଚିଛନ୍ତି। ଡିଏସପି ତପନ ଦାସଙ୍କ ନେତୃତ୍ବରେ ୩ ଜଣିଆ ଟିମ ପହଞ୍ଚିବା ପରେ ପୁଲିସ ସହ ମାମଲା ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ଗତ ୫ ଦିନ ତଳେ ଆସିଥିବା କ୍ରାଇମବ୍ରାଞ୍ଚର ପ୍ରଥମ ଟିମ ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ନମୁନା, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଥିବା ବେଳେ ଦ୍ଵିତୀୟ ଟିମ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।
Advertisment
କ୍ରାଇମବ୍ରାଞ୍ଚ ଦ୍ଵିତୀୟ ଟିମ ମଙ୍ଗଳବାର ପହଞ୍ଚିବା ପରେ ରାୟଗଡ଼ା ପୁଲିସ ଏବଂ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିଥିବା ପ୍ରଥମ ଟିମ କର୍ତ୍ତୃପକ୍ଷ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିଛନ୍ତି। ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଜାତୀୟସ୍ତରରେ ଆଲୋଚନା ଚାଲିଥିବାରୁ ମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ପ୍ରୟାସ ଜାରି ରଖିଛି କ୍ରାଇମବ୍ରାଞ୍ଚ। ବୁଧବାର ତଦନ୍ତ ଆରମ୍ଭ ପରେ କ୍ରାଇମବ୍ରାଞ୍ଚ କେଉଁ କେଉଁ ଦିଗକୁ ପୁଣି ଧ୍ୟାନ ଦେଉଛି, କାହାକୁ ତଦନ୍ତ ପରିସରଭୁକ୍ତ କରୁଛି ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।
ସୂଚନାଯୋଗ୍ୟ, ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ପରେ ଗତ ୫ ଦିନ ହେଲା ତଦନ୍ତକାରୀ ଓ ଫରେନସିକ ଟିମ ରାୟଗଡ଼ାରେ ଛାନଭିନ ଜାରି ରଖିଛନ୍ତି। ଏହା ମଧ୍ୟରେ ଦୁଇ ମୃତ ପର୍ଯ୍ୟଟକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଛି। ସ୍ମଶାନରୁ ହାଡ଼, ପାଉଁଶ ଜବତ ହୋଇ ଡିଏନଏ ପରୀକ୍ଷା ପାଇଁ ଭୁବନେଶ୍ବର ଲ୍ୟାବକୁ ଯାଇଛି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଦୁଇ ରୁଷ ପର୍ଯ୍ୟଟକ ଭ୍ଲାଦିମିର୍ ବିଦାନୋଭ, ପାଭେଲ ଆନ୍ଥେଭ ଅନ୍ୟ ଦୁଇ ରୁଷ ଦମ୍ପତିଙ୍କ ସହ ରାୟଗଡ଼ାରେ ପହଞ୍ଚିଥିଲେ।  ତାଙ୍କ ସହ ଟୁରିଷ୍ଟ ଗାଇଡ଼ ଜିତେନ୍ଦ୍ର ସିଂ ଓ  ଡ୍ରାଇଭର ନଟବର ମହାନ୍ତି ହୋଟେଲ ସାଇ ଇଣ୍ଟର ନ୍ୟାସନାଲରେ ରହିଥିଲେ। ୨୨ ତାରିଖ ପୂର୍ବାହ୍ନରେ ଭ୍ଲାଦିମିର୍ ବିଦାନୋଭଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ତାରିଖରେ ସନ୍ଦେହଜନକ ଭାବେ ପାଭେଲ ଆନ୍ଥେଭ ଛାତରୁ ଖସି ମୃତ୍ୟୁବରଣ କରିଥିଲେ।