ବଲାଙ୍ଗୀର: ବଲାଙ୍ଗୀରର ସଂସ୍କୃତି, ପରମ୍ପରା ଏବଂ ବିକାଶ ପାଇଁ କୌଣସି ସମୟରେ ମଧ୍ୟ କୌଣସି ପ୍ରକାର ଅବହେଳା କରାଯିବ ନାହିଁ। ପାରୁପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଲୋକ କଳା ଉତ୍ସବର ଦ୍ୱୀତିୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ କଥା କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ। ସେ ଆହୁରି କହିଲେ ଯେ, ବଲାଙ୍ଗୀର ହେଉଛି ଏକ ଚେସ୍‌ବୋର୍ଡର ସହର। ବଲାଙ୍ଗୀରରେ ଅନେକ ପ୍ରତିଭାସମ୍ପନ୍ନ କଳାକାର ଅଛନ୍ତି। ବଲାଙ୍ଗୀରର ଐତିହ୍ୟ ଓ ପରମ୍ପରା ବହୁ ପ୍ରାଚୀନ। ବହୁମୂଲ୍ୟ ପରମ୍ପରାଗୁଡ଼ିକୁ ବଞ୍ଚାଇ ରଖିବାରେ ଉତ୍କୃଷ୍ଟ କାମ କରୁଥିବାରୁ ଦୁଲଦୁଲି କଳା ପରିଷଦକୁ ସେ ଧନ୍ୟବାଦ ଦେଇଥିଲେ।

Advertisment

ଉତ୍ସବରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧୀକ୍ଷକ ନିତିନ କୁଶଳକର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇଥିଲେ। ଜିଲ୍ଲାପାଳ ଶ୍ରୀ ରାଣା କହିଥିଲେ, କୋଭିଡ ପରବର୍ତ୍ତୀ ସମୟରେ ଏଭଳି ଏକ ଉତ୍ସବର ଆୟୋଜନ ଅତ୍ୟନ୍ତ ଉତ୍ସାହପ୍ରଦ। ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଳକର ଲୋକକଳା ଉତ୍ସବ ଭଳି ଏକ ଆୟୋଜନ ଅତ୍ୟନ୍ତ ଉଚ୍ଚକୋଟିର ବୋଲି କହିଥିଲେ। ନାଟ୍ୟଭୂଷଣ ଶ୍ରୀ ଛୁରିଆ ସମସ୍ତ କଳାକାରଙ୍କ ମଙ୍ଗଳ କାମନା କରି ଭଗବାନ ସମସ୍ତଙ୍କୁ ସୁଖରେ ରଖନ୍ତୁ ଏବଂ ଏଭଳି ଉତ୍ସବର ଆୟୋଜନ ସଦସର୍ବଦା ପ୍ରଶଂସନୀୟ ବୋଲି କହିଥିଲେ। ଦ୍ୱିତୀୟ ଦିନ ସଂଧ୍ୟା ସଭାକୁ ସନ୍ଦୀପ କୁଅଁର ସଂଯୋଜନା କରିଥିଲେ। ସ୍ୱାଗତ ବକ୍ତବ୍ୟ ଓ ଅତିଥି ପରିଚୟ ଲୋକକଳା ଉତ୍ସବର ଅଧ୍ୟକ୍ଷ ଡ.ସଂଜୟ ମିଶ୍ର ଦେଇଥିଲେ।

publive-image

ସଭାର ଆଭିମୁଖ୍ୟ ସଂପର୍କରେ ଦୁଲଦୁଲି କଳା ପରିଷଦର ସଭାପତି ପ୍ରଭାସ ପାଣିଗ୍ରାହୀ କହିବା ସହ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦୁଲଦୁଲି କଳା ପରିଷଦ ସଂପାଦକ ବାସୁଦେବ ସା ମଞ୍ଚାସୀନ ଥିଲେ। ଡ. ଲଳିତ ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଡ. ଶ୍ରୀକର ମିଶ୍ର, ନବୀନ କୁଅଁର, ରୀମା ବାଗ ଓ ପ୍ରିୟଦର୍ଶନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମର ବିହୁ, ଖରସୁଆଁର ଛଉ ନୃତ୍ୟ, ବଲାଙ୍ଗୀର ସାଂସ୍କୃତିକ ଦଳର ନୃତ୍ୟ, ଅର୍ଜୁନ ସାହୁ ଓ ଜ୍ୟୋତି ସାହୁ ଦଳ, ଉତ୍କଳ କଳା କେନ୍ଦ୍ର ଢାପ ନୃତ୍ୟ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଭା ପ୍ରାରମ୍ଭରେ ଲୋକ ସଂଗୀତ ପରିବେଷଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଲୋକ କଳା ଗବେଷଣା ଓ ପ୍ରଦର୍ଶନର ମହାକୁମ୍ଭ ହେଉଛି ଲୋକ କଳାଉତ୍ସବ। ସାତ ବର୍ଷ ଧରି ଆୟୋଜିତ ହେଉଥିବା ଉତ୍ସବ ଲୋକ କଳାକାରମାନଙ୍କୁ ଅନେକ ପରିମାଣରେ ଉତ୍ସାହିତ କରିଛି। ମାଟିର କଳାକାରମାନଙ୍କ ସହ ଅନ୍ୟ ଅଂଚଳର କଳାକାରମାନଙ୍କ ଭିତରେ ମଧୁର ସମନ୍ୱୟ ହୋଇଛି।