ଭୁବନେଶ୍ୱର: ବସନ୍ତର ମୃଦୁ ମଳୟରେ ଥିଲା କବିତା, ଝଡ଼ାପତ୍ରରେ ବି ଥିଲା କବିତା । ‘ସମ୍ବାଦ ସାହିତ୍ୟ ପକ୍ଷ’ର ୨ୟ ସନ୍ଧ୍ୟା ଆଜି କବିତା ମନସ୍କ ହୋଇଥିଲା। 'କବିତା ସାହିତ୍ୟ' ପ୍ରସଙ୍ଗରେ ଦ୍ବିତୀୟ ସଞ୍ଜର ମଞ୍ଚକୁ ମହାନ କାବ୍ୟ ପୁରୁଷ ଅନନ୍ତ ପଟ୍ଟନାୟକଙ୍କୁ ସମର୍ପିତ ହୋଇଥିଲା। ବର୍ଷୀୟାନ କବି ସୌଭାଗ୍ୟ କୁମାର ମିଶ୍ରଙ୍କ ଆଶୀର୍ବଚନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନିଜ ଆଶୀର୍ବଚନରେ କବିତାର ସ୍ବରୂପ ବର୍ଣ୍ଣନା କରି ସେ କହିଥିଲେ, କବିତା ଏକ ପ୍ରହେଳିକା । ଏହାର ଏକ ଆଦିଭୌତିକ ରୂପ ଅଛି । ସେହି ରୂପକୁ ଧରିବା ସମ୍ଭବ ନୁହେଁ, ସେ ରୂପକୁ ଧରି ନପାରିଲେ କବିତାର ରସକୁ ଉପଭୋଗ କରିପାରିବାନି । କବିତାକୁ ସମ୍ପୂର୍ଣ୍ଣ ବୁଝିବା ସମ୍ଭବ ବା ଆବଶ୍ୟକ  ନୁହେଁ । କବିତାର ମୂଳ କଥା ହେଲା ଭୋଗ ଓ ଉପଭୋଗ କରିବା । କବିତା ଆମକୁ ଶିଖାଏନି ବରଂ ଆମକୁ ମୁଗ୍ଧ କରେ । 

Advertisment

ଆଳାପ ଅଧିବେଶନରେ ‘ଓଡ଼ିଆ କବିତାର ମୌଳିକତା କେଉଁଠି ?’ ପ୍ରସଙ୍ଗରେ ବରିଷ୍ଠ କବି ହୃଷୀକେଶ ମଲ୍ଲିକ କହିଥିଲେ, ପୃଥିବୀର କୌଣସି କବି ମୌଳିକ ନୁହଁନ୍ତି । ଶ୍ରୀଯୁକ୍ତ ମଲ୍ଲିକଙ୍କ ସହ ଆଳାପ କରିଥିଲେ ଯୁବ କବି ସରୋଜ ବଳ । ସେହିପରି ଆଲୋଚନା ଅଧିବେଶନରେ ‘କବିତା ଖାଲି ପ୍ରତିଫଳନ ନା ପ୍ରତିବାଦ ?’ ପ୍ରସଙ୍ଗରେ କବି ବାସୁଦେବ ସୁନାନୀ, ଅଖିଳ କୁମାର ମିଶ୍ର ଏବଂ ଅକ୍ଷୟ ବେହେରାଙ୍କ ସହ ଆଲୋଚନା କରିଥିଲେ କବି ଅମିୟ ରଞ୍ଜନ ମହାପାତ୍ର । ସେଥିରେ କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । 

ଆବୃତ୍ତି ଅଧିବେଶନରେ କବି ମନୋରଞ୍ଜନ ସାହୁ, କବି ବିପିନ ବେହେରାଙ୍କ କବିତାର କୁହୁକି ଶବ୍ଦରେ କମ୍ପିଥିଲା ମଞ୍ଚ ଏବଂ ଗାଳ୍ପିକା ଛନ୍ଦା ମିଶ୍ରଙ୍କ ଗଳ୍ପ ପରିବେଶକୁ କରିଥିଲା ଛଳଛଳ । କବିତାକୁ ସଂଗୀତ ମାଧ୍ୟମରେ ସଜାଇ ଭକ୍ତି ଓ ବୀରରସରେ ଶ୍ରୋତାଙ୍କୁ ଝୁମାଇଥିଲେ କଣ୍ଠଶିଳ୍ପୀ  ତଥା ସଂଗୀତ ନିର୍ଦ୍ଦେଶକ ଅରୋଶିଷ ପାଣି । ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଦୀପକ ମହାପାତ୍ର ।

ଏହି ଅବସରରେ ‘ଗୋଦାବରୀଶ ସାହିତ୍ୟ ସଂସଦ’ର ରାମଚନ୍ଦ୍ର ମହାନ୍ତି, ‘ପ୍ରଫୁଲ୍ଲ ପାଠାଗାର’ର ବିଜୟ ପତିଙ୍କ ସହ ଉପରୋକ୍ତ ଅତିଥି କବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । କୁଇଜ୍‌ ମାଧ୍ୟମରେ ପ୍ରଶ୍ନର ଗଣ୍ଠିଲି ଧରି ଦର୍ଶକଙ୍କ ଜ୍ଞାନ ପରୀକ୍ଷା କରିଥିଲେ ଆର୍‌ଜେ ଅନୀଲ । ଧନ୍ୟବାଦ ଅର୍ପଣ କରିଥିଲେ କବି ଅକ୍ଷୟ ସ୍ବାଇଁ ।

୧୪ ଫେବ୍ରୁଆରି: ପ୍ରେମ ସାହିତ୍ୟ

ଭାଲେଣ୍ଟାଇନ୍ସ ଡେ’ ପାଇଁ ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚ ହେବ ପ୍ରେମ ପ୍ରତି ସମର୍ପିତ । ଉକ୍ତ ମଞ୍ଚରେ ଆପଣମାନେ ସାଜିବେ ଅତିଥି । ପ୍ରେମକୁ ନେଇ କବିତା ଆବୃତ୍ତି ଏବଂ ମିନି ଗଳ୍ପ ପଠନ କରିପାରିବେ। ଆପଣଙ୍କ ପାଖରେ ଯଦି ପ୍ରେମକୁ ନେଇ ଲେଖା ଅଛି ଆଉ ଆପଣ ପ୍ରେମ ମଞ୍ଚରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ହ୍ବାଟ୍ସଆପ୍ ନମ୍ବର ୬୩୭୨୯୦୪୭୧୭ରେ ନିଜର ଲେଖା ପଠାଇ ପାରିବେ । କେବଳ ଚୟନ ହୋଇଥିବା କବିତା ଏବଂ ମିନି ଗଳ୍ପ ହିଁ ମଞ୍ଚରେ ପଢାଯିବ।

ଓଡ଼ିଆ ଖାଦ୍ୟର ମହକ

ଗତଥର ପରି ଏଥର ବି ଓଡ଼ିଆ ଖାଦ୍ୟର ମହକରେ ମହକିଛି ‘ସାହିତ୍ୟ ପକ୍ଷ’ । ପ୍ରଥମ ଦିବସରେ ବିରି ପୋଡ଼ ପିଠା ଏବଂ ଆଳୁକଷା ହୋଇଥିବା ବେଳେ ୨ୟ ଦିବସରେ କାକରା ଡାଲମାର ମଜା ଉଠାଇଥିଲେ ଅତିଥି ଓ ଦର୍ଶକ ।