ମାଷ୍ଟରକ୍ୟାଣ୍ଟିନ ଘୋଡା ସ୍ଥାନାନ୍ତରଣକୁ ନେଇ ଦ୍ଵିତୀୟ ଦିନ ବିରୋଧ ଜାରି

ଭୁବନେଶ୍ଵର: ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଂଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତର ନେଇ ବଢୁଛି ବିବାଦ । ଆଜି ଲଗାତାର ଦ୍ୱିତୀୟ ଦିନ ଲାଗି କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଇଛନ୍ତି । ଗତକାଲି ବି ସେ ମାଷ୍ଟରକ୍ୟାଂଟିନ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଥିଲେ । ବିଜେପି ବି ଘୋଡା ସ୍ଥାନାନ୍ତରଣକୁ ବିରୋଧ କରିଥିଲା ।କିଛି ସଙ୍ଗଠନ ମଧ୍ୟ ଏଭଳି ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ କରିସାରିଛନ୍ତି । ୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ତେବେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଘୋଡାର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ ଏବେ ବଢିବାରେ ଲାଗିଛି ।

ସୂଚନା ଥାଉ କି ଗତକାଲି ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରିଥିଲେ | ସରକାର ଘୋଡ଼ା ସ୍ଥାନାନ୍ତର ନିଷ୍ପତ୍ତିରୁ ନ ଓହରିଲେ ଆଗକୁ ଜୋରଦାର୍ ଆନ୍ଦୋଳନ ହେବ ବୋଲି ବିରୋଧୀଦଳଗୁଡ଼ିକ ଚେତାବନୀ ଦେଇଛନ୍ତି। ଏପଟେ ସଂସ୍କୃତି ବିଭାଗ ଘୋଡ଼ା ଓ ଯୋଦ୍ଧା ସମେତ ସମସ୍ତ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜିଦ୍‌ରେ ଥିବାରୁ ବିବାଦ ଘନେଇଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଘୋଡ଼ା ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କହିଛନ୍ତି ଯେ, ଏହି ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ବର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କର ବୀରତ୍ବ ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ।

ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିବାବେଳେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସତ୍ୟପ୍ରିୟ ମହାନ୍ତି, ନୀଳମଣି ରାଉତରାୟ, ଚିନ୍ତାମଣି ପାଣିଗ୍ରାହୀଙ୍କ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି। ତେଣୁ ଏଠାରୁ ପ୍ରତିମୂର୍ତ୍ତିକୁ ନ ହଟାଇ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେଉ। ଯଦି ସରକାର ନିଷ୍ପତ୍ତିର ପୁନଃବିଚାର ନକରନ୍ତି ତେବେ ଜନଆନ୍ଦୋଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର