ସୋନପୁର: ସୋନପୁର ନାଟ୍‌ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ନାଟ୍ ମେଲା–୨୦୨୩ର ଦ୍ବିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଶନିବାର ଭୀମ ଭୋଇ କଳାମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ନାଟ୍‌ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଟ୍ୟକାର କେଶରଞ୍ଜନ ପଧାନ, ନାଟ୍ୟକାର ଅଶୋକ ବହିଦାର, ସମାଜସେବୀ ଗୌରୀଶ୍ୟାମ ପଣ୍ଡା, ନାଟ୍ୟକାର ପ୍ରସନ୍ନ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ନାଟକ ସମାଜ ସଂସ୍କାରର ବାର୍ତ୍ତା ପ୍ରଦାନ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

Advertisment

ଦେବଗଡ଼ ବାମଣ୍ଡା କଳାକାର ସଂଘ ପକ୍ଷରୁ ଆଶିଷ ସୋନାର ରଚିତ ଏବଂ ମଙ୍ଗଳ ମହାକୁଡ଼ ନିର୍ଦ୍ଦେଶିତ ନାଟକ 'କେଡ଼ା', ପଦ୍ମପୁର ‘ଲୁ’ ଅନୁଷ୍ଠାନ ପକ୍ଷରୁ ଅଶୋକ ମିଶ୍ରଙ୍କ ମୂଳ ହିନ୍ଦୀ ରଚନା ଏବଂ କେଶରଞ୍ଜନ ପ୍ରଧାନଙ୍କ କୋଶଲି ଅନୁବାଦ ତଥା ଜଗନ୍ନାଥ ସେଠ୍‌ଙ୍କ ନିର୍ଦ୍ଦେଶିତ ନାଟକ ‘ଗାନ୍ଧୀ ଛକ’, ସମ୍ବଲପୁର ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ପରିଷଦ ପକ୍ଷରୁ ସନ୍ତୋଷ ମିଶ୍ର ରଚିତ ଏବଂ ନିର୍ଦ୍ଦେଶିତ ନାଟକ ‘ଭାଗ’ ମଞ୍ଚସ୍ଥ ହୋଇଥିଲା। ଏଥିରେ ବିଚାରକ ଭାବରେ ଡ.ଦ୍ବାରିକା ନାୟକ, ଡ.ସୁଧାଂଶୁ ପଟ୍ଟନାୟକ, ନାଟ୍ୟକାର ହରିହର ପ୍ରଧାନ, ପ୍ରସନ୍ନ ଦାଶ ରହିଥିଲେ। ଲକ୍ଷ୍ମୀନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବନମାଳୀ ପଣ୍ଡା, ସଂସ୍କୃତି ସମ୍ପାଦକ ଅବିନାଶ ହୋତା, ସାହିତ୍ୟ ସମ୍ପାଦକ ନରେନ୍ଦ୍ର ଭୋଇ, ସମାଜସେବା ସମ୍ପାଦକ ସଞ୍ଜୟ ପଣ୍ଡା, କୋଷାଧ୍ୟକ୍ଷ ଜ୍ୟୋତିବିକାଶ ମିଶ୍ର, ଶୈଳେନ୍ଦ୍ର ବସ୍ତିଆ ପ୍ରମୁଖ ସହଯୋଗ କରିଥିଲେ।