ଜୟପୁର: ଆସନ୍ତା ୨୩ତାରିଖରୁ ଜୟପୁର-ଭୁବନେଶ୍ବର ମଧ୍ୟରେ ଦ୍ବିତୀୟ ବିମାନ ସେବା ଚାଳିବା ସମ୍ଭାବନା ରହିଥିବା ଇଣ୍ଡିଆ ୱାନ୍ ଏୟାର କଂପାନି ପକ୍ଷରୁ ସୂଚନା ମିଳିଛି। ୯ ସିଟ ବିଶିଷ୍ଟ ଏହି ଦ୍ଵିତୀୟ ବିମାନ ଏହି ରୁଟରେ ଚଳାଚଳ କରିବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଆସିଥିବା ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ କହିଛନ୍ତି। ଇଣ୍ଡିଆ ୱାନ୍ ଏୟାରର ୯ ସିଟ ବିଶିଷ୍ଟ ବିମାନ ଜୟପୁରରୁ ସକାଳ ୮ଟାରେ ଉଡ଼ାଣ ଭରିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ଇଣ୍ଡିଆ ୱାନ ଏୟାର ଏହି ଦ୍ଵିତୀୟ ବିମାନ ଉଡ଼ାଇବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଇଣ୍ଡିଆ ୱାନ ଏୟାର ଏହାରି ମଧ୍ୟରେ ୩ୟ ବିମାନ କିଣିବା ସହ ଏହାକୁ ବେସାମରିକ ଓବିମାନସେବା ପ୍ରାଧିକରଣ ନିକଟରେ ପଂଜୀକରଣ କରାଇବା ସହ ଡିଜିସିଏ ନିକଟରୁ ବି ଅନୁମତି ପାଇ ସାରିଛି। ରାଜ୍ୟସରକାର ବି ଜୟପୁର –ଭୁବନେଶ୍ବରକୁ ଦ୍ବିତୀୟ ବିମାନ ଚଳାଇବାକୁ ବି ଅନୁମତି ଦେଇ ସାରିଛନ୍ତି ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି। ସଂପ୍ରତି ଇଣ୍ଡିଆ ୱାନ ଏୟାର ଓଡିଶାରେ ଭୁବନେଶ୍ବର, ଜୟପୁର, ରଂଙ୍ଗେଇଲୁଣ୍ଡା, ଉତ୍କେଳା ସହ ପଡୋଶୀ ରାଜ୍ୟର ଆନ୍ଧ୍ରର ବିଶାଖାପାଟଣା, ପଶ୍ଚିମବଙ୍ଗର କଲିକତା, ଜାମସେଦପୁର, କୁଚବିହାର ପର୍ଯ୍ୟନ୍ତ ଚଳାଚଳ କରୁଛି।
୨୦୨୨ମସିହା ଅକ୍ଟୋବର ୩୧ରୁ ଜୟପୁରକୁ ପ୍ରଥମ ଯାତ୍ରୀବିମାନସେବା ଆରମ୍ଭ ହୋଇଥିଲା। ଗତ ମାର୍ଚ୍ଚ ମାସରେ ଦ୍ବିତୀୟ ବିମାନଟି କଂପାନୀ କିଣିବା ପରେ ଜୟପୁରରୁ ଏହା ଉଡ଼ିବ ବୋଲି ଏକରକମର ପ୍ରଚାର ଓପ୍ରସାର ହୋଇଥିଲା। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଟୁଇଟ୍ କରିବା ସହ ପରିବହନ ବିଭାଗ ସଚିବ ଉଷା ପାଢ଼ୀ କୋରାପୁଟ ଗସ୍ତରେ ଆସି ବିମାନବନ୍ଦରର ନିରୀକ୍ଷଣ କରିବା ପରେ ଏହା ସତ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଶେଷ ମୂହର୍ତ୍ତରେ ଏହି ବିମାନଟି ଭୁବନେଶ୍ବରରୁ ଗଂଜାମର ରଂଗେଇଲୁଣ୍ଡାକୁ ଚଳାଚଳ କରିଥିଲା। ଅଂଚଳବାସୀ ନିରାଶ ହୋଇଥିଲେ। ତତ୍କାଳୀନ ସିଇଓ ଅରୁଣ କୁମାର ସିଂ ମଧ୍ୟ ଅକ୍ଟୋବର ମାସରେ ଆରମ୍ଭ ହେବ ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ୯ ସିଟ ବିଶିଷ୍ଟ ଏହି ଦ୍ଵିତୀୟ ବିମାନ ଏହି ରୁଟରେ ଚଳାଚଳ କରିବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଇଥିଲେ। ଯଦିଓ ସମୟ ସାରିଣୀ ଏ ଯାଏଁ ଇଣ୍ଡିଆୱାନ ଏୟାର ଛାଡ଼ି ନଥିଲେ ହେଁ ସକାଳ ୬ଟାରେ ଭୁବନେଶ୍ବରରୁ ବାହାରି ଜୟପୁର ପହଚିଂବ। ଜୟପୁରରେ ସକାଳ ୮ଟାରେ ଭୁବନେଶ୍ବର ଅଭିମୁଖେ ବାହାରିବ ବୋଲି ନିଷ୍ପତି ହୋଇଥିବା ସୂଚନା ମିଳିଛି। ଜୟପୁର ବିମାନବନ୍ଦର ଟିକେଟ ସଂରକ୍ଷଣ କାଉଣ୍ଟରକୁ ବିମାନ ଚଳାଚଳକୁ ନେଇ କଂପାନୀ ପକ୍ଷରୁ ସାମ୍ୟକ୍ ସୂଚନା ଦିଆଯାଇଥିଲେହେଁ ସମୟ ସାରିଣୀ ଆସି ନାହିଁ ବୋଲି ଇଣ୍ଡିଆ ୱାନ ଏୟାରର କର୍ମଚାରୀମାନେ କହିଛନ୍ତି।