ବୈତରଣୀରେ ଦ୍ୱିତୀୟ ବନ୍ୟା, ଭଦ୍ରକରେ ୬୦ ଗାଁ ଜଳବନ୍ଦି

ଭଦ୍ରକ/ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧/ଧାମନଗର: ପ୍ରଥମ ବନ୍ୟାପାଣି ଏବେ ବି ଛାଡ଼ିନି। ସପ୍ତାହେ ପରେ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଆସି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ଏହି ଦୁଇଟି ବ୍ଲକର ୧୪ ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦି ହୋଇଛି। ତଳିଆ ଅଞ୍ଚଳରୁ ବନ୍ୟା ପାଣି କମିନଥିବା ବେଳେ ଦ୍ୱିତୀୟ ବନ୍ୟା ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ନଦୀର ଉପରମୁଣ୍ଡ କେନ୍ଦୁଝର ଗୋନାସିକା, ଆନନ୍ଦପୁର, ସ୍ବାମପାଟଣା, ଓ ଚମ୍ପୁଆରେ ସର୍ବାଧିକ ବର୍ଷା ସହିତ କାନ୍‌ଝରି ଓ ଦେଓ ଡ୍ୟାମ୍‌ର ନିଷ୍କାସିତ ପାଣିରେ ବୈତରଣୀ ଉବୁଟୁବୁ ହେଉଛି। ବୈତରଣୀ ବନ୍ୟାଜଳ ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ଜଳ ନିଷ୍କାସନ ପଥ (ଏସ୍‌କେପ୍‌) ଦେଇ ଗତକାଲି ରାତିରୁ ଷୋଳମପୁର, କୁରିଗାଁ, ନପଙ୍ଗ, ମାଳଦା, ରହଣିଆ ପଞ୍ଚାୟତ ଅଞ୍ଚଳକୁ ମାଡ଼ିଯାଇଛି। ରବିବାର ସକାଳେ କଣ୍ଟିଘାଇରେ ୮ ଫୁଟ୍‌ର ବନ୍ୟାଜଳ ପ୍ରବେଶ କରି ବହୁ ଗାଁ ଓ ଚାଷଜମିକୁ ବୁଡ଼ାଇ ଦେଇଥିଲା।

ଯାଜପୁର-ଭଣ୍ଡାରିପୋଖରୀ ପୂର୍ତ୍ତ ବିଭାଗ ରାସ୍ତାର ଖପୁରିଆପଦାଠାରେ ୪ ଫୁଟ୍‌ର ପାଣି ପ୍ରବାହିତ ହେଉଥିବାରୁ ଯାଜପୁର-ଭଣ୍ଡାରିପୋଖରୀ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକର ଜଳହରି, ସାରଣା, ତିଖିଲିଆ, ଚାଙ୍ଗୁଆ, ଦାଣ୍ଡକୁଳ, ବରାହନୂଆପଡ଼ା, ଷୋଳମପୁର, ଚତୁର୍ଭୁଜପୁର, ସଢ଼େଇଡିହ, ମାଳଦା, ଜୋରାଗଡ଼ିଆ, ନପଙ୍ଗ, ନୌରଙ୍ଗପୁର, ରାଢୋ, କୁରିଗାଁ, ରହଣିଆ, ମଣିନାଥପୁର, ବିନ୍ଧାଣ, ବରାହନୂଆପଡ଼ା, ବିରୋଳି, ମୁଡ଼ାପଦା, ସାରଣା, ଜଳହରି, ରାମପୁର, ଜାନଗଡ଼ିଆ, ମହିଷାଗଡ଼ିଆ, ବଡ଼ମାଳଦା, ସାନମାଳଦା, ବଡନପଙ୍ଗ, ଭାଟଣା, ଜୋରାଗଡ଼ିଆ, ବାଙ୍କମୁହାଁ, ଗିଲପଦି, ଦେଉଳପଦୀ, ରାଢୋ, କେଶପୁର, ଷଠଗାଁ, ବନ୍ଦାଳୋ, ମଡ଼ିଆଳି, ବଳିପୁର, ଖପୁରିଆପଦା, ଝୁଟୁଣା, ଦାଦେଶ୍ବର ଆଦି ଗ୍ରାମର ୩୧ ହଜାର ଲୋକ ଓ ୮ ହଜାର ଗୃହପାଳିତ ପଶୁ ପାଣି ଘେରରେ ରହିଛନ୍ତି। ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମି ଓ ପନିପରିବା ଫସଲ ନଷ୍ଟ ହୋଇଛି।

ସେହିପରି ଧାମନଗର ବ୍ଲକର ଆନନ୍ଦପୁର, ଖଡ଼ିପଦା, କରଦା, ଦୋବଲ, ସୋହଡ଼ା, ପଧାନୀ, ଦଳାଙ୍ଗ ୭ଟି ପଞ୍ଚାୟତର ଉତ୍ତେଇପୁର, ପାହାଡ଼ପୁର, କାଞ୍ଜିଆପାଳ, ଖଡ଼ିପଦା, ଆନନ୍ଦପୁର, ଦକ୍ଷିଣକୋରୁଆ, ପାଟଣାସାହି, ଦମସାହି, କଣ୍ଟାପାରି, ସୋହଡା, ଗୌରଙ୍ଗପୁର, ମିଶ୍ରସାହି, କରଦା ଆଦି ୩୦ରୁ ଅଧିକ ଗାଁ ଜଳବନ୍ଦି ହୋଇଛି। ବନ୍ୟାପାଣି ଅନେକ ଗାଁ ରାସ୍ତାରେ ପ୍ରବାହିତ ହେଉଥିବାରୁ ଗ୍ରାମ୍ୟରାସ୍ତା ସବୁ ବୁଡ଼ିଯାଇଛି। ସପ୍ତାହେ ହେଲା ଗୋରୁଗାଈ ପଦାକୁ ବାହାରି ପାରିନାହାନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଅଞ୍ଚଳରେ ବନ୍ୟାପାଣି ବଢୁଥିବା ବେଳେ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି।

ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୧୮.୯୬ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଜଳସ୍ତର ବଢ଼ୁଥିବାରୁ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଆଜି ଆଖୁଆପଦା, ବନ୍ଦାଳୋ-ମଢ଼ିଆଳି ଓ ଝୁଟୁଣା ପଞ୍ଚାୟତ ପରିଦର୍ଶନ କରି ବନ୍ୟା ସ୍ଥିତି ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ। ଭଣ୍ଡାରିପୋଖରୀ ବିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ଥାନା ଅଧିକାରୀ ଅମିତାଭ ଦାସ, ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ, ସରପଞ୍ଚ ବିଶ୍ୱନାଥ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ ପଣ୍ଡା, ବ୍ଲକ କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର