ତୈଳ କମ୍ପାନି ଓ ପୁଲିସ ମଧ୍ୟରେ ସମନ୍ବୟ ବୈଠକ : ଶକ୍ତି ସୁରକ୍ଷା ଜାତୀୟ ସୁରକ୍ଷାର ଏକ ବଡ଼ ଅଙ୍ଗ – ଡିଜିପି

ଭୁବନେଶ୍ବର : ଶକ୍ତି ସୁରକ୍ଷା ଜାତୀୟ ସୁରକ୍ଷାର ଏକ ବଡ଼ ଅଙ୍ଗ। ଶକ୍ତି ସୁରକ୍ଷା ପାଇଁ ତୈଳ କମ୍ପାନି ଓ ରାଜ୍ୟ ପୁଲିସ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। ମୁଖ୍ୟତଃ ୩ଟି ଜିନିଷ ଉପରେ ରାଜ୍ୟ ପୁଲିସ ସମନ୍ବୟ ରକ୍ଷା କରିବାକୁ ପ୍ରୟାସ ଆରମ୍ଭ କରିଛି।

ବୁଧବାର ପୁଲିସ ଭବନଠାରେ ତୈଳ କମ୍ପାନି ମୁଖ୍ୟ ଓ ରାଜ୍ୟ ପୁଲିସ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ପୁଲିସ ଡିଜି ବି.କେ ଶର୍ମା କହିଛନ୍ତି ତୈଳ କମ୍ପାନିଗୁଡ଼ିକରେ ବିଭିନ୍ନ ସମୟରେ ଚୋରି ହେଉଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ତୈଳ କମ୍ପାନିଗୁଡିକ ବାରମ୍ବାର ରାଜ୍ୟ ପୁଲିସ ନିକଟରେ ଅଭିଯୋଗ କରିଆସୁଛନ୍ତି। ଏହି ସବୁ କାରଣରୁ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ପାଇପ ଲାଇନ କାର୍ଯ୍ୟ ଚାଲୁଥିବା ବେଳେ ଲୋକମାନେ ବିରୋଧ କରୁଛନ୍ତି। ବିଭିନ୍ନ କମ୍ପାନିର ଶ୍ରମିକ ସଂଗଠନଗୁଡ଼ିକ ମଧ୍ୟ ଧାରଣା, ବିକ୍ଷୋଭ ଓ ରୢାଲି କରୁଛନ୍ତି। ତୈଳ କମ୍ପାନିଗୁଡ଼ିକ ନିକଟରେ ଏକାଧିକ ବସ୍ତି ରହୁଛି। ସେହି ବସ୍ତିକୁ କିଏ ଆସୁଛି, କିଏ ଯାଉଛି, ତାହା ସହଜରେ ଜଣାପଡ଼ୁ ନାହିଁ। କେତେକ କ୍ଷେତ୍ରରେ ଏହି ବସ୍ତିକୁ ଆସୁଥିବା ଅଜଣା ଲୋକଙ୍କ ପାଇଁ ଅପରାଧ ବୃଦ୍ଧି ପାଉଛି। ଏଣୁ ସ୍ଥିତିରେ ସୁଧାର ପାଇଁ ବସ୍ତି ଉପରେ ପୁଲିସର ନଜର ରହିବାକୁ ଗୁରୁତ୍ବାରୋପ କରାଯାଇଥିଲା। ଏହାଛଡ଼ା କମ୍ପାନିରେ ମଧ୍ୟ ବିଭିନ୍ନ ପ୍ରକାରର ଲୋକ କାମ କରୁଛନ୍ତି। ତେଣୁ ସେମାନଙ୍କ ଉପରେ ନଜର ରଖିବାକୁ ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ପୁଲିସ ସହିତ ଆଲୋଚନା କରାଯାଇଥିଲା।

ଏ ସବୁକୁ ନଜରରେ ରଖି ସ୍ଥାନୀୟ ଥାନା ଓ ତୈଳ କମ୍ପାନିଗୁଡ଼ିକ ସହ ସମନ୍ବୟ କିଭଳି ରହିପାରିବ ଏବଂ ଜିଲ୍ଲା ସ୍ତରଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ତୈଳ କମ୍ପାନିଗୁଡ଼ିକ ସହ ଯେପରି ପୁଲିସର ମାସିକିଆ ବୈଠକ ହୋଇପାରିବ, ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ସେମାନେ ପରସ୍ପରର ସୁବିଧା, ଅସୁବିଧା ସମ୍ପର୍କରେ ଆଲୋଚନା କରିପାରି‌ବେ। ଫଳରେ ଯାହା ବି ଛୋଟ ଛୋଟ ସମସ୍ୟା ଅଛି, ତାର ସମାଧାନ ହୋଇପାରିବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ, ଅତିରିକ୍ତ ପୁଲିସ କମିସନର ସଂଜୟ ସିଂହ, ଆଇଜି ଅମିତାଭ ଠାକୁର, ଡିଆଇଜି ହିମାଂଶୁ ଲାଲ, ଡିଆଇଜି ସତ୍ୟବ୍ରତ ଭୋଇ ଓ ଆଇଓସିଏଲ ପରାମର୍ଶଦାତା( ସୁରକ୍ଷା) ବିକେ ରବି, ଶୁଭଜିତ ଘୋଷଙ୍କ ସମତେ ବିଭିନ୍ନ ତୈଳ କମ୍ପାନିର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର