୨ୟ ପର୍ଯ୍ୟାୟ ମତଦାନ: ୨ ଲକ୍ଷ ୩୫ ହଜାର ୫୧୬ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ

ବଲାଙ୍ଗୀର: ଶୁକ୍ରବାର ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର, ଲୋଇସିଂହା ଏବଂ ପୁଇଁତଲା ବ୍ଲକ୍‌ ପାଇଁ ମତଦାନ କରାଯିବ। ଏଥିପାଇଁ ତିନୋଟି ଯାକ ବ୍ଲକରେ ତିନୋଟି ଡିସପରସାଲ ସେଣ୍ଟର କରାଯାଇଥିଲା। ଡିସପରସାଲ ସେଣ୍ଟରରୁ ବ୍ୟାଲଟ ପେପର, ବକ୍ସ ସହିତ ଅନ୍ୟାନ୍ୟ ସାମଗ୍ରୀ ଧରି ବୁଥକୁ ଯାଇଛନ୍ତି ପୋଲିଂ ପାର୍ଟି। ଡିସପରସାଲ ସେଣ୍ଟରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ ଚଂଚଳ ରାଣା ଏବଂ ଏସ୍‌ପି ନୀତିନ କୁଶଳକର। କିଛି ଡିସପରସାଲ ସେଣ୍ଟରରେ ପୋଲିଂ ପାର୍ଟିକୁ ନେଇକି ଯିବାକୁ ଥିବା ଚାରିଚକିଆ ଗାଡ଼ିକୁ ନେଇ ଅସୁବିଧା ଦେଖାଦେଇଥିଲା। କମ୍‌ ସଂଖ୍ୟକ ଗାଡ଼ି ରିପୋର୍ଟିଂ ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ପରେ ନିଜେ ଜିଲ୍ଲାପାଳ ସମସ୍ୟାର ସମାଧାନ କରିଥିଲେ। ଶୁକ୍ରବାର ତିନୋଟି ବ୍ଲକ୍‌ର ୨ ଲକ୍ଷ ୩୫ ହଜାର ୫୧୬ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୮୧୦ଟି ବୁଥ୍‌ କରାଯାଇଛି। ସେମଧ୍ୟରୁ ୧୧୩ଟି ସମ୍ୱେଦନଶୀଳ ଏବଂ ୮ଟି ଅତିସମ୍ୱେଦନଶୀଳ ବୁଥ୍‌ ରହିଛି। ଏହି ତିନୋଟି ବ୍ଲକ୍‌ରେ ୭ଟି ଜିଲ୍ଲା ପରିଷଦ ଜୋନ, ୬୫ଟି ଗ୍ରାମପଂଚାୟତ ଏବଂ ୮୧୦ଟି ୱାର୍ଡ ରହିଛି। ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର