ଆଜି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୪ ବ୍ଲକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨, ୫୩,୮୧୧ ଭୋଟର

ରାଉରକେଲା: ଆଜି (ଶୁକ୍ରବାର) ରାଜ୍ୟରେ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସବ୍‌ଡେଗା, କୁତ୍ରା, ନୂଆଗାଁ ଓ ବିଶ୍ରା ୪ଟି ବ୍ଲକର ନିର୍ବାଚନ ହେବ। ମୋଟ ୮ ଜିଲ୍ଲା ପିରଷଦ, ୬୪ ସରପଞ୍ଚ ଓ ସମିତି ସଭ୍ୟ ଓ ୧୨୭ ୱାର୍ଡ ଆସନ ପାଇଁ ଭୋଟରମାନେ ମତଦାନ କରିବାକୁ ଯାଉଛନ୍ତି। ଚାରିଟି ବ୍ଲକର ୬୪ ପଞ୍ଚାୟତର ମୋଟ ୨ ଲକ୍ଷ ୫୩ ହଜାର ୮୧୧ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ‌ଶେଷ ହୋଇଛି। ପୁଲିଂ ପାର୍ଟି ନିଜ ନିଜ ବୁଥରେ ଆଜି ପହଞ୍ଚି ସାରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ହିଂସାକାଣ୍ଡ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସଜାଗ ହୋଇଛି ରାଜ୍ୟ ପୁଲିସ।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ମତଦାନ ଗ୍ରହଣ କେନ୍ଦ୍ରରେ ହିଂସାକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି। ଏଥିପାଇଁ ସେ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ମାନଙ୍କୁ ଶାନ୍ତିଶୃ୍ଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଅତି ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବ୍‌ଡେଗା ବ୍ଲକରେ ମୋଟ ୧୭୩ଟି ବୁଥ୍‌ କରାଯାଇଛି। ଏଥି ମଧ୍ୟରେ ୮୪ ସମ୍ବେଦନଶୀଳ ଓ ୨୨ ଅତି ସମ୍ବେଦନଶୀଳ। କୁତ୍ରା ବ୍ଲକରେ ୨୦୦ ବୁଥ କରାଯାଇଛି। ଏଥିମଧ୍ୟରେ ୧୨୮ସମ୍ବେଦନଶୀଳ ଓ ୪୯ଟି ବୁତ୍‌ ଅତି ସମ୍ବେଦନଶୀଳ ବୁଥ ରହିଛି।

ନୂଆଗାଁ ବ୍ଲକରେ (ସୁନ୍ଦରଗଡ ପୁଲିସ ଅଧୀନ)ରେ ଥିବା ୧୫୧ଟି ବୁଥ୍‌ ମଧ୍ୟରୁ ୩୦ଟି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦଶୀଳ ବୁଥ ରହିଛି। ସେମିତି ରାଉରକେଲା ଜିଲ୍ଲା ପୁଲିସ ଅଧୀନରେ ୧୧୦ଟି ବୁଥ ରହିଛି। ଏଥି ମଧ୍ୟରୁ ୨୬ଟି ହେଉଛି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦନଶୀଳ ବୁଥ୍‌। ଅନୁରୂପ ଭାବେ ବିଶ୍ରା ବ୍ଲକରେ ୧୮୮ଟି ବୁଥ୍‌ କରାଯାଇଛି। ଏଥି ମଧ୍ୟରେ ୭୭ଟି ବୁଥ୍‌ ସମ୍ବେନଶୀଳ ଓ ୪୨ଟି ବୁଥ୍‌ ଅତି ସମ୍ବେଦନଶୀଳ ବୁଥ୍‌। ବିଶେଷ କରି ନୂଆଗାଁ ଓ ବିଶ୍ରାର କିଛି ବୁଥ୍‌ ଓଡ଼ିଶା-ଝାଡ଼ଖଣ୍ଡ ମାଓ ଉପଦ୍ରୁତ ଅଞ୍ଚଳରେ ରହିଛି। ଏସବୁ ବୁଥରେ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୀମାନ୍ତରେ ଉଭୟ ଝାଡ଼ଖଣ୍ଡ, ଓଡ଼ିଶା ପୁଲିସ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ଉଲ୍ଲେଖଯୋଗ୍ୟ, ସବ୍‌ଡେଗା ବ୍ଲକରେ ୧୪ଟି ପଞ୍ଚାୟତରେ ମୋଟ ୫୦, ୬୧୨ ‌ଭୋଟର ମତଦାନ କରିବେ। କୁତ୍ରା ବ୍ଳକରେ ୧୬ଟି ବ୍ଲକରେ ମୋଟ ୬୪ ହଜାର ୮୨୪ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି। ନୂଆଗାଁ ବ୍ଲକର ମୋଟ ୨୦ଟି ପଞ୍ଚାୟତରେ ୭୯ ହଜାର ୫୧ ଜଣ ଭୋଟର ସେମାନଙ୍କ ମନପସନ୍ଦର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ୱାର୍ଡସଭ୍ୟଙ୍କୁ ବାଛିବେ। ବିଶ୍ରାର ମୋଟ ୧୪ଟି ବ୍ଲକରେ ୫୯ ହଜାର ୩୭୪ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଗତ ୧୬ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର ବଣାଇଗଡ, ଲାଠିକଟା, କୁଆରମୁଣ୍ଡା ଓ ବଡଗାଁର ନିର୍ବାଚନ ଶେଷ ହୋଇଛି।

ସମ୍ବନ୍ଧିତ ଖବର