ଯୋଡ଼ାମୁଣ୍ଡ ଅଲଗା ପାଇଁ ଏମସ୍‌ରେ ଆରମ୍ଭ ହେଲା ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଅଲଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ ବା ଏମ୍‌ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱୀତୀୟ ପର୍ଯ୍ୟାୟ ଅପରେସନ ଆରମ୍ଭ ହୋଇଛି । ଆଜି ସକାଳ ୯ଟାରୁ ଏହି ଅସ୍ତ୍ରୋପଚାର ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟକୁ ସୂଚନା ଦେଇଛନ୍ତି।


ଗତ ୨୮ ତାରିଖ ଦିନ ଏମ୍‌ସରେ ଥିବା ଓଡ଼ିଆ ଡାକ୍ତର ତଥା ନ୍ୟୁରୋସର୍ଜନ ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଯୋଡାମୁଣ୍ଡ ଦୁଇ ଶିଶୁ ଙ୍କର ପ୍ରଥମ ପର୍ଯ୍ୟୟ ଅସ୍ତ୍ରୋପଚାର ହୋଇଥିଲା। ଦିଲ୍ଲୀ ଏମ୍‌ସରେ ସକାଳ ୧୦ଟାରୁ ଏହି ଯୋଡାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା । ଜାପାନରୁ ଆସିଥିବା ବିଶେଷଜ୍ଞ କେ. ତାକି ଜାୱାଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ଦୀର୍ଘ ୨୦ ଘଣ୍ଟା ଧରି ଏହି ଏହି ବିରଳ ଅସ୍ତ୍ରୋପଚାର କରିଥିଲେ।

ସୂଚନାଯୋଗ୍ୟ ଯେ, କନ୍ଧମାଳର ଏକ ଗରିବ ପରିବାରରେ ୨୦୧୫ ମସିହାରେ ଜନ୍ମିତ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଅନୁକମ୍ପା ରାଶି ଦେଇଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଏମ୍‌ସ ଯାଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଅସ୍ତ୍ରୋପଚାର ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହେବା ପରେ ଡାକ୍ତରମାନେ ଦୁଇ ଶିଶୁଙ୍କୁ ଯୋଡ଼ାମୁଣ୍ଡ ଅଲଗା କରିବାରେ ସକ୍ଷମ ହେବା ନେଇ ବେଶ୍‌ ଆଶାବାଦୀ ହୋଇପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପ୍ରାୟ ୨ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆଜି ଆରମ୍ଭ ହୋଇଛି।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କରିଛନ୍ତି ଯେ ଆଜି ସକାଳ ୬ଟା ବେଳେ ଉଭୟ ଶିଶୁଙ୍କୁ ଅସ୍ତ୍ରୋପଚାର ଗୃହ( ଓଟି)କୁ ନିଆଯାଇଥିଲା। ସେଠାରେ ସକାଳ ୯ଟାରୁ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଜଗାବଳିଆଙ୍କୁ ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ଠାରୁ ପ୍ରକାଶ ଯେ ଏହି ଅସ୍ତ୍ରୋପଚାର ପ୍ରାୟ ୨୫ରୁ ୨୭ ଘଣ୍ଟା ଲାଗିବ। ଜଗନ୍ନାଥଙ୍କ କୃପାରୁ ଜଗାବଳିଆ ସୁସ୍ଥ ହୋଇ ଆମ ପାଖକୁ ଫେରି ଆସିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର