ସମ୍ବଲପୁର : ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଗତବର୍ଷଠାରୁ ଅୟୋଜିତ ହେଉଥିବା ସମ୍ବଲପୁରୀ ସମ୍ମେଳନ ଚଳିତ ମାସ ୧୮ ତାରିଖରୁ ୨ ଦିନ ଧରି ଝାରସୁଗୁଡ଼ାର ମଙ୍ଗଲବଜାରସ୍ଥିତ ଜିଲ୍ଲା ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଗୋଟିଏ ମଞ୍ଚରେ ସମ୍ବଲପୁରୀ ଲେଖକ, କବି, ସାହିତ୍ୟିକ, ବାନ୍ଧଶିଳ୍ପୀ, ନାଟ୍ୟକାର, ଗାୟକ, ସଂଗୀତଜ୍ଞ, ନୃତ୍ୟଶିଳ୍ପୀ, ଗବେଷକ, ଆଲୋଚକ ଓ ସମ୍ବଲପୁରୀ ପ୍ରେମୀଙ୍କୁ ଏକତ୍ରିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଆୟୋଜକ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ହୋଟେଲ ତ୍ରିବେଣୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।
ସମ୍ମିଳନୀ ପୂର୍ବରୁ ଝାରସୁଗୁଡାର ବିଭିନ୍ନ ସ୍କୁଲ ଏବଂ ସାମାଜିକ ସଂଗଠନକୁ ନେଇ ୧୮ ତାରିଖରେ ବସ୍ଷ୍ଟାଣ୍ଡଠାରୁ ପ୍ରେକ୍ଷାଳୟ ଯାଏଁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଉଦ୍ଘାଟନୀ ସମାରୋହରେ ସମ୍ବଲପୁରୀ ଭାଷା ସାହିତ୍ୟ ଉପରେ ଆଲୋଚନା ହେବ। ଏହାପରେ ସମ୍ବଲପୁରୀ କବିତା ପାଠୋତ୍ସବ, ସମ୍ବଲପୁରୀ ନାଟକ ପରିବେଷିତ ହେବ। ୧୯ ତାରିଖରେ ସମ୍ବଲପୁରୀ ବାନ୍ଧକଳାର ବଜାର ଚାହିଦା ଉପରେ ଆଲୋଚନା ପରେ ସମ୍ବଲପୁରୀ ଫ୍ୟାସନ ସୋ’ ଆୟୋଜିତ ହେବ। ପରେ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁରୀ ମହାଜୋଟରେ ସମସ୍ତ କଳାକାର, ସାହିତ୍ୟିକ ଏକତ୍ରିତ ହେବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକତା ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି, କାର୍ଯ୍ୟକ୍ରମ ସଂଯୋଜକ ସମୀର ରଂଜନ ବାବୁ ଏସମ୍ପର୍କରେ ସୂଚନା ଦେଇଛନ୍ତି।