ରାୟଗଡ଼ା: ରାୟଗଡା ସହରର ହୋଟେଲ ସାଇ ଇଂଟରନ୍ୟାସନାଲରେ ଗତବର୍ଷ ଡିସେମ୍ବର ୨୨ ତାରିଖରେ ଋଷୀୟ ନାଗରିକ ତଥା ପର୍ଯ୍ୟଟକ ଭ୍ଳାଦମିିରି ବିନୋଭାଦେ ଓ ୨୪ତାରିଖରେ ଆଟୋଂଭା ପାୱେଲଙ୍କ ସନ୍ଦେହଜନକ ଭାବେ ହୋଇଥିବା ମୃତ୍ୟୁ ଘଟଣାର ପ୍ରକୃତ ସତ୍ୟ ବାହାର କରିବାକୁ ରାୟଗଡାରେ ଡେରା ପକାଇ ତଦନ୍ତ ଚଳାଇଛନ୍ତି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଚଂ ଟିମ୍ । ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୫ଜଣିଆ କ୍ରାଇମବ୍ରାଂଚ ଏବଂ ୫ଜଣିଆ ଫୋରେନସିକ୍ ଟିମ୍ ପଂହଚି ରାୟଗଡାରେ ୫ଦିନ ଧରି ମୃତ୍ୟୁ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ପୁଣି କ୍ରାଇମବ୍ରାଂଚ ଡିଏସପି ତପନ ଦାସଙ୍କ ନେତୃତ୍ୱରେ ୫ଜଣିଆ ଦ୍ୱିତୀୟ ଟିମ୍ ରାୟଗଡାରେ ପଂହଚି ପ୍ରଥମ ଟିମ୍ ନିକଟରୁ ସମସ୍ତ ତଥ୍ୟ ଓ ତଦନ୍ତ ରିପୋର୍ଟ ଓ ଜବତ୍ ସାମଗ୍ରୀକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।
ଆଜି ସକାଳେ ପ୍ରଥମେ ଟିମ୍ ରାୟଗଡା ଥାନାକୁ ଯାଇ ଦୀର୍ଘ ୩ଘଂଟା ଧରି କେସ୍ ସଂପର୍କରେ ଆଲୋଚନା କରିଥିଲେ । ପରେ ଜିଲ୍ଳା ଏସ.ପି. ବିବେକାନନ୍ଦ ଶର୍ମାଙ୍କୁ ଭେଟି ଆଲୋଚନା କରିଥିଲେ । କ୍ରାଇମବ୍ରାଂଚ ଡିଏସପି ଶ୍ରୀ ଦାସ ଗଣମାଧ୍ୟମକୁ ଟିମ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବିଷୟରେ ପ୍ରକାଶ କରିଥିଲେ । ପ୍ରଥମ ଟିମ୍ ନିକଟରୁ ସମସ୍ତ ତଥ୍ୟ ଓ ତଦନ୍ତ ରିପୋର୍ଟ,ସାକ୍ଷୀମାନଙ୍କ ବୟାନ ରେକର୍ଡ, ଶ୍ମଶାନରୁ ଜବତ ହୋଇଥିବା ହାଡ, ପାଉଁଶ ଏବଂ ହୋଟେଲରୁ ଜବତ ବିଭିନ୍ନ ସାମଗ୍ରୀକୁ ନେଇ ପୁଣିଥରେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଗତ ଡିସେମ୍ବର ୩୦ତାରିଖରୁ କ୍ରାଇମବ୍ରାଂଚ ଡିଏସପି ସରୋଜ କାନ୍ତ ମହାନ୍ତଙ୍କ ନେତୃତ୍ୱରେ ପ୍ରଥମ ଟିମ୍ ସମସ୍ତ ଦିଗକୁ ନେଇ ତଦନ୍ତ କରି ଘଟଣାରେ ଥିବା ସାକ୍ଷୀମାନଙ୍କୁ ଜେରା କରିବା ଏବଂ ହୋଟେଲ ରୁମରେ ରହିଥିବା ଋଷିୟ ପର୍ଯ୍ୟଟକଙ୍କ ସମସ୍ତ ସାମଗ୍ରୀ ଜବତ କରିଥିଲେ । ଏଥିସହ ଶ୍ମଶାନରୁ ଆଂଟୋଭା ପାୱେଲଙ୍କ ହାଡ,ପାଉଁଶକୁ ଜବତ କରିଥିଲେ ।
ତେବେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମୃତ ଋଷିୟ ନାଗରିକ ଭ୍ଳାଦମିରିଙ୍କ ହୃଦଘାତଜନିତ ଏବଂ ପାୱେଲଙ୍କ ଦୁର୍ଘଟଣାଜନୀତ ମୃତ୍ୟୁ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଳେଖ ରହିଛି। ଘଟଣାକୁ କ୍ରାଇମବ୍ରାଂଚ ଟିମ୍ ତନ ତନ କରି ହୋଟେଲ ପରିସରରେ ତଦନ୍ତ କରିଥିଲେ। ପ୍ରକାଶ ଥାଉ କି, ଆଂଟୋଭା ପାୱେଲ ଋଷ ରାଷ୍ଟ୍ରପତି ପୁତିନ୍ଙ୍କ ଏକ ବଡ ସମାଲୋଚକ ଏବଂ ଜଣେ ବିତିୟଶୀଳ ବ୍ୟକ୍ତିବିଶେଷ ଏବଂ ପୂର୍ବତନ ସାଂସଦ ରହିଥିବାରୁ ତାଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ହୋଟେଲ ସାଇ ଇଂଟରନ୍ୟାସନାଲରେ ଗତ ୨୧ତାରିଖ ଦିନ ଋଷର ଭ୍ଳାଦମିର ବିନୋଭାଦେ, ଆଂଟୋଭା ପାୱେଲଙ୍କ ସମେତ ତାଙ୍କ ବନ୍ଧୁ ଦମ୍ପତି ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ ୪ଜଣ ପଯ୍ୟଟକ ଏବଂ ଭାରତୀୟ ଗାଇଡ ଜିତେନ୍ଦ୍ର ସିଂ ଆସି ରହିଥିଲେ ।
ତେବେ ୨୨ତାରିଖ ଦିନ ଭ୍ଳାଦମିରଙ୍କ ହୃଦଘାତ ଜନୀତ ମୃତ୍ୟୁ ନେଇ ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଳେଖ କରିଥିବା ବେଳେ ତାହାର ୨ଦିନ ପରେ ୨୪ତାରିଖ ଦିନ ହୋଟେଲକୁ ଲାଗି ନିର୍ମାଣଧୀନ ଏକ କୋଠାର ଛାତ ଉପରେ ଆଂଟୋଭା ପାୱେଲଙ୍କ ମୃତ ଦେହକୁ ରାୟଗଡା ପୋଲିସ ଉଦ୍ଧାର କରିଥିଲେ । ତେବେ କେଉଁ ପରିସ୍ଥିତିରେ ପାୱେଲଙ୍କ ମୃତ୍ୟୁ ହେଲା ସେ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ଘଟଣାର ତଦନ୍ତ ଭାର ହସ୍ତାନ୍ତର କରିଥିଲେ ।