ଭୁବନେଶ୍ୱର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ଅଧ୍ୟକ୍ଷମାନେ ନିଜ ଶିକ୍ଷାନୁଷ୍ଠାନର ପ୍ରତି ବିଷୟର ଫଳାଫଳ ନିୟମିତ ସମୀକ୍ଷା କରିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବେ। ଆସନ୍ତା ବର୍ଷ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଅଧ୍ୟକ୍ଷମାନଙ୍କର ପ୍ରମୁଖ ଭୂମିକା ରହିଛି। କଲେଜଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା କିଭଳି ବୃଦ୍ଧି ପାଇବ, ଅଧ୍ୟକ୍ଷମାନେ ମଧ୍ୟ ସେଥିପ୍ରତି ଗୁରୁତ୍ବ ଦେବେ। ସେମାନେ ବ୍ଲକରେ ଥିବା ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକଙ୍କ ସହ ସମନ୍ୱୟ ରକ୍ଷା କରି ଆସନ୍ତା ଶିକ୍ଷାବର୍ଷ ଆରମ୍ଭରେ ନାମଲେଖା ଅଭିଯାନ କରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ସରକାରୀ ଧନ୍ଦାମୂଳକ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କ ଦକ୍ଷତା ବିକାଶ କର୍ମଶାଳାକୁ ଉଦ୍‌ଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏପରି ପରାମର୍ଶ ଦେଇଛନ୍ତି।

Advertisment

ରାଜ୍ୟ କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର୍‌ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାରେ ଧନ୍ଦାମୂଳକ ଶିକ୍ଷାର ବିଭିନ୍ନ ଟ୍ରେଡ୍‌ରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ। ୟୁନିସେଫ୍‌ ପକ୍ଷରୁ ଯଶୋବନ୍ତ ସିଙ୍ଘାଲ ଯୋଗଦେଇ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ କିଭଳି ନିଜର ଦକ୍ଷତା ଓ ରୁଚି ଅନୁଯାୟୀ ବୃତ୍ତି ଚୟନ କରିବେ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ, ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଫେସର୍‌ ଉଦୟନାଥ ଦାଶ ଯୋଗଦେଇ ଅଧ୍ୟକ୍ଷମାନଙ୍କ କର୍ମକ୍ଷେତ୍ରରେ ଉପୁଜୁଥିବା ମାନସିକ ଚାପ ନିୟନ୍ତ୍ରଣ ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନରହରି ସେଠୀ, ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ-ପରୀକ୍ଷା ନିୟନ୍ତ୍ରକ ଯଶୋବନ୍ତ ସାମଲ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଓସେପା ଓ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ୨୩୧ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ମଧ୍ୟରୁ ପ୍ରଥମ ଦିନରେ ୧୧୬ ଅଧ୍ୟକ୍ଷ ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ଦିବସରେ ଅବଶିଷ୍ଟ ୧୧୫ଜଣ ଅଧ୍ୟକ୍ଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଫେସର୍‌ ତିଳୋତ୍ତମା ସେନାପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ନିର୍ଦ୍ଦେଶକ ବିଜୟା କୁମାରୀ ପାତ୍ର ସ୍ୱାଗତ ଭାଷଣ ଓ ସହ ନିର୍ଦ୍ଦେଶକ ସୁନନ୍ଦା ମେକାପ ଧନ୍ୟବାଦ ଦେଇଥିଲେ।