ସୁନ୍ଦରଗଡ ଜିଲ୍ଲାରେ ଟିକା ନେଲେଣି ୩ ଲକ୍ଷ ୨୯ ହଜାର

୩୬ ହଜାର ୯୩୨ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍
ଅର୍ଦ୍ଧାଧିକ ଟିକାକରଣ କେନ୍ଦ୍ରରେ ସ୍ଲଟ ବୁକିଂ ନୈରାଶଜନକ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଥମୁନି କରୋନାର ଦ୍ବିତୀୟ ଲହର ସଂକ୍ରମଣ ପ୍ରକୋପ। ରାଜ୍ୟର ଖୋର୍ଦ୍ଧା ଜିଲ୍ଲା ପରେ ଦ୍ବିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ। ଦୈନିକ ଆକ୍ରାନ୍ତ ସଂଖ୍ୟା କେତେବେଳେ ୪ ତ ଅନ୍ୟ କେତେବେଳେ ୩ ଅଙ୍କ ଛୁଉଁଛି। ସଂକ୍ରମଣକୁ ବ୍ରେକ୍ ଦେବାକୁ ଜିଲ୍ଲାରେ ଜାରି ରହିଛି ଟିକାକରଣ। ଅଧିକ ପ୍ରାଥମିକତା ଦିଆଯାଉଛି ସ୍ମାର୍ଟ ସିଟି ରାଉରକେଲା। ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଛି। ମାତ୍ର ପ୍ରଚାର ପ୍ରସାର ଅଭାବରୁ ଅଧିକାଂଶ ଟିକାକରଣ କେନ୍ଦ୍ରରେ ଯେତିକି ସ୍ଲଟ୍ ଦିଆଯାଉଛି, ତା’ ଅର୍ଦ୍ଧଧିକ ବୁକିଂ ହେଉ ନାହିଁ।

୧୮ ବର୍ଷରୁ ୪୪ ବର୍ଷ ଯୁବବର୍ଗ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, ନା ଅନ୍ୟ କିଛି କାରଣ ରହିଛି ତାକୁ ଜିଲ୍ଲା ପ୍ରଶାସନ ତର୍ଜମା କରିବାର ଆବଶ୍ୟକତା ରହିଛି। ସେମିତି ଟିକା ଅଭାବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବା କାର୍ଯ୍ୟ ବନ୍ଦ ରହିଛି। କେବଳ ଦ୍ବିତୀୟ ଡୋଜ୍ ନୁହେଁ ପ୍ରଥମ ଡୋଜ୍ ଟିକାକରଣ ମଧ୍ୟ ଅନୁରୂପ ଭାବେ ବନ୍ଦ ରହିଛି। କେବେ ଚାଲୁ ହେବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଜିଲ୍ଲାର ସୁନ୍ଦରଗଡ ସମେତ ଅନ୍ୟ ବ୍ଲକରେ ୧୮ରୁ ୪୪ ବର୍ଷର ଯୁବବର୍ଗଙ୍କୁ ଅଣଦେଖା କରାଯାଉଛି। ଏଯାଇଁ ବ୍ଲକର ଯୁବବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇ ନାହିଁ। ଏସବୁ କାରଣରୁ ସୁନ୍ଦରଗଡ ଜିଲ୍ଲା ରାଜଧାନୀ ଭୁବନେଶ୍ବର ଠାରୁ ଢ଼େର ପଛରେ ରହିଛି।

ଜିଲ୍ଲାରେ ଗତ ୨୦୨୧ ଜାନୁଆରୀ ୧୬ରୁ ୨୨ ମେ ମଧ୍ୟରେ ୩ ଲକ୍ଷ ୨୯ ହଜାର ୨୩ ଜଣଙ୍କୁ ଟିକା ଦିଆଯାଇଛି। ଏମାନଙ୍କ ମଧ୍ୟରେ କିଛି ପ୍ରଥମ ଡୋଜ୍ ଓ ଅନ୍ୟ କିଛି ଦ୍ବିତୀୟ ଡୋଜ୍ ନେଇଛନ୍ତି। ଜିଲ୍ଲାରେ ୧୬ ହଜାର ୪୫୬ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨ ହଜାର ୨୨୫ ସ୍ବାସ୍ଥ୍ୟ କର୍ମୀ ଦ୍ବିତୀୟ ଡୋଜ୍ ନେଇ ସାରିଛନ୍ତି। ୧୬ ହଜାର ୬୮୭ ଆଗ ଧାଡିର କରୋନା ଯୋଦ୍ଧା ପ୍ରଥମ ଡୋଜ୍ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ହଜାର ୧୯୦ ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇ ସାରିଛି। ଅନୁରୂପ ୩୬ ହଜାର ୯୩୭ ଜଣ ୧୮ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି। ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ୧ ଲକ୍ଷ ୧୫ ହଜାର ୧୪୯ ପ୍ରଥମ ଡୋଜ୍ ନେଇଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ୯ ହଜାର ୫୪୦ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୮୮ ହଜାର ୫୧୫ ଜଣ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୨୪ ହଜାର ୩୨୨ ବରିଷ୍ଠ ନାଗରିକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି।

ସେପଟେ ୧୮ରୁ ୪୪ ବର୍ଷର ଯୁବ ବର୍ଗଙ୍କ ପାଇଁ ସେକ୍ଟର-୫ ଭଞ୍ଜଭବନ, ସେକ୍ଟର-୧୮ ସୋସିଆଲ ହୋମ୍, ରିଜର୍ଭପୁଲିସ ଲାଇନ୍, ଉଦିତନଗର ମ୍ୟୁନିସିପାଲ କଲେଜ, ସେକ୍ଟର-୬ ହେଲ୍ଥ ସେଣ୍ଟର, ଇଏସ୍ଆଇ ମଡେଲ ହସ୍ପିଟାଲ, ପାନପୋଷ ୟୁସିଏଚ୍‌ସି, କୋଏଲନଗର ସି ବ୍ଲକ ନୀଳକଣ୍ଠେଶ୍ବର ମନ୍ଦିର, ସେଲ୍ ହେଲ୍ ସେଣ୍ଟର, ଆଇଜିଚ୍, ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍), ଜଗଦା କମ୍ୟୁନିଟି ସେଣ୍ଟର, ବନ୍ଧମୁଣ୍ଡା ରେଲୱେ କଲୋନି ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଏଥିସହ କିଛି ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ମଧ୍ୟ ଟିକା ଦିଆଯାଇଛି।୨୪ରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଟିକାକରଣ କେନ୍ଦ୍ର ଅନୁଯାୟୀ ଯେତିକି ସ୍ଲଟ୍ ଦିଆଯାଇଛି। କିନ୍ତୁ ଅର୍ଦ୍ଧାଧିକ ଟିକାକରଣ କେନ୍ଦ୍ରର ଅର୍ଦ୍ଧାଧିକ ସ୍ଲଟ୍ ବୁକିଂ ହେଉ ନାହିଁ। ସେକ୍ଟର-୫ ଭଞ୍ଜଭବନ ପାଇଁ ଦୈନିକ ପାଖାପାଖି ୨ ହଜାର ସ୍ଲଟ୍ ଉପଲବ୍ଧ ରହିଛି। ଅର୍ଥାତ୍ ୨ ହଜାର ଯୁବବର୍ଗ ସ୍ଲଟ୍ ବୁକିଂ କରି ଟିକା ନେଇ ପାରିବେ।

କିନ୍ତୁ ସୋମବାର ଅପରାହ୍ନ ୩ଟା ସୁଦ୍ଧା ଭଞ୍ଜଭବନ କେନ୍ଦ୍ରରେ ୮୬୨ ସ୍ଳଟ୍ ବୁକିଂ ହୋଇପାରି ନଥିଲା। ମଙ୍ଗଳବାର ପାଇଁ ୨ ହଜାରରୁ ୧୦୩୯ ସ୍ଲଟ୍ ବୁକିଂ ହୋଇ ନାହିଁ। ୨୬ ତାରିଖ ପାଇଁ ୧୨୩୯ , ୨୭ ତାରିଖ ପାଇଁ ୧୬୬୪ ସ୍ଲଟ୍ ରହିଛି। ସେକ୍ଟର-୧୮ ସୋସିଆଲ ହୋମ୍ ଟିକାକରଣ କେନ୍ଦ୍ର ୨୫ତାରିଖ ପାଇଁ ଆହୁରି ୧୦୦, ୨୬ ତାରିଖ ପାଇଁ୯୫୧, ୨୭ ତାରିଖ ପାଇଁ୧୬୩୦ ସ୍ଲଟ୍ ବାକି ରହିଛି। ରିଜର୍ଭ ପୁଲିସ ଲାଇନ୍ ହସ୍ପିଟାଲ ଟିକାକରଣ କେନ୍ଦ୍ର ପାଇଁ ୨୫ ତାରିଖ ପାଇଁ ୯୦, ୨୬ ତାରିଖ ପାଇଁ ୨୦୦ ଓ ୨୭ ତାରିଖ ପାଇଁ ଆହୁରି ୨୨୫ ସ୍ଲଟ ବୁକିଂ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର