ଛତ୍ରପୁର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଚାଙ୍ଗୁଡ଼ିଆପଦର ସାହିର ସୁନା ଅଳଙ୍କାର ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ପ୍ରାୟ ସାଢ଼େ ତିନି କୋଟି ଟଙ୍କାର ଗହଣା ଓ ଟଙ୍କା ଲୁଟ୍ ଘଟଣା ଉପରୁ ପର୍ଦ୍ଦା ଉଠାଇଛି ଗଞ୍ଜାମ ପୁଲିସ। ଦୀର୍ଘ ୨୯ ଦିନ ପରେ ପୁଲିସକୁ ଏହି ଘଟଣାରେ ସଫଳତା ମିଳିଛି। ବ୍ୟବସାୟୀ ଶ୍ରୀ ନାୟକଙ୍କ ଗୁମାସ୍ତା ହିଁ ମାଲିକଙ୍କ ଲୁଣ ଖାଇ ବିଶ୍ବାସରେ ବିଷ ଦେଇଥିଲେ। ସେ ହିଁ ସୁନା, ଟଙ୍କା ମୋହରେ ପଡ଼ି ମାଷ୍ଟରମାଇଣ୍ଡ୍ ତଥା ମୁଖ୍ୟ ଅଭିଯୁକ୍ତକୁ ସମସ୍ତ ତଥ୍ୟ, ଅଳଙ୍କାର ଥିବା କୋଠରି ନକ୍ସା ଯୋଗାଇଥିଲେ। ଏହା ପରେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରି ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆ ଯାଇଥିଲା।
୬.୫ କିଲୋ ସୁନା ଓ ୪.୪୪ ଲକ୍ଷ ଟଙ୍କା ଜବତ
ଘଟଣାର ମାଷ୍ଟରମାଇଣ୍ଡ୍ କାଳିଆ ଓରଫ୍ ଘନଶ୍ୟାମ ବେହେରା ସମେତ ୧୦ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ସେହିପରି ଲୁଟେରାଙ୍କଠାରୁ ସୁନା କିଣି ଓ ଏହାକୁ ତରଳାଇଥିବା ଅଭିଯୋଗରେ ୫ ଜଣ ସୁନାରୀଙ୍କୁ ମିଶାଇ ସମୁଦାୟ ୧୫ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠୁ ୬କେଜି ୫୦୧ ଗ୍ରାମ ସୁନା ଅଳଙ୍କାର ଏବ˚ ୪ଲକ୍ଷ ୪୪ହଜାର ୫ଶହ ଟଙ୍କା ଜବତ ହୋଇଛି। ଜବତ ସୁନା ଅଳଙ୍କାରର ଆନୁମାନିକ ମୁଲ୍ୟପ୍ରାୟ ୩.୫ କୋଟି ହେବ ବୋଲି କୁହାଯାଉଛି। ଏହାସହ ସିସିଟିଭି ଡିଭିଆର, ଷ୍ଟାବିଲାଇଜର୍, ଏମ୍ଆଇ ମୋବାଇଲ୍ ଓ ଲୁଟ୍ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ପୁଲିସ ହାତରେ ଲାଗିଛି। ଘଟଣାର ତଦନ୍ତ ଜାରି ରହିଥିବା ନେଇ ଛତ୍ରପୁର ଗଞ୍ଜାମ ପୁଲିସ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ‘ଅଣ୍ଟି ଛୁରୀ ତଣ୍ଟି କାଟିବା’ ଭଳି ଦୋକାନ ଗୁମାସ୍ତା ହିଁ ମାଲିକ ସୁରେନ୍ଦ୍ରଙ୍କୁ ଧୋକା ଦେବା ଏବଂ ତାଙ୍କ ସହଯୋଗରେ ଅଭିଯୁକ୍ତମାନେ ଏତେ ବଡ଼ ଲୁଟ୍ ଯୋଜନାକୁ ରୂପ ଦେଇଥିବା ଜଣାପଡ଼ିଛି। ଗତ ଅକ୍ଟୋବର ୧୨ ତାରିଖ ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତଥା ପୁରୁଷୋତ୍ତମପୁର ସହର ଚାଙ୍ଗୁଡ଼ିଆପଦର ସାହିର ସୁନା ଅଳଙ୍କାର ବ୍ୟବସାୟୀ ଶ୍ରୀ ନାୟକଙ୍କ ଦୁଇ ମହଲା ଘର ପଛପଟେୁ ଉପର ପାର୍ଶ୍ବ ଦେଇ ଲୁଟେରାମାନେ ତଳକୁ ଓହ୍ଲାଇଥିଲେ। ତଳ ଘର କବାଟ ତାଡ଼ି ଆଲମିରାରେ ଥିବା ଅଳଙ୍କାର ସହ ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଥିବା ନେଇ ସୁରେନ୍ଦ୍ର ପ୍ରଥମେ ଥାନାରେ ଏତଲା ଦେଇଥିଲେ। ପୁରୁଷୋତ୍ତମପୁର ପୁଲିସ ଏକ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଥିଲା। ଗଞ୍ଜାମ ଏସ୍.ପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍.ପି ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତକୁ ତ୍ବରାନ୍ବିତ କରା ଯାଇଥିଲା। ପ୍ରଥମେ ଅଭିଯୁକ୍ତ ତଥା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବ ବାଉରୀ ସାହିର ବୁଲୁ ନାହାକ (୩୦)କୁ ପୁଲିସ ଧରି ତା’ଠାରୁ ସବୁ ତଥ୍ୟ ଉଗାଳିଥିଲା।
ମାଷ୍ଟରମାଇଣ୍ଡ୍ ଓରଫ୍ କାଳିଆ ନେତୃତ୍ବରେ ସମୁଦାୟ ୧୦ଜଣ ଏହି ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଅଧିକ ଜେରା ଓ ତଦନ୍ତରୁ ପଦାକୁ ଆସିଲା। ଜଣକ ପରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ମାଡ଼ି ବସିଥିଲା। ଅନ୍ୟମାନେ ହେଲେ ପୁରୁଷୋତ୍ତମପୁର ବଡ଼ବାଉରୀ ସାହିର କାଳିଆ ଦାସ(୨୦), କବିସୂର୍ଯ୍ୟନଗର ଥାନା ରଘୁନାଥପଲ୍ଲୀ ଗ୍ରାମର ପିଣ୍ଟୁ ନାହାକ ଓ ସନ୍ନ୍ୟାସୀ ନାହାକ, ପୁରୁଷୋତ୍ତମପୁର ନନ୍ଦିକ ସାହିର ତ୍ରିନାଥ ବେହେରା, ଗଡ଼ ସାହିର କାହ୍ନୁଚରଣ ପଟ୍ଟନାୟକ ଓ ଶଙ୍କର ବେହେରା, ପୁରୁଷୋତ୍ତମପୁର ଥାନା କୋଳାସିଂ ଗ୍ରାମର ସ୍ବରାଜ୍ ଦାସ ଏବଂ ସୁନା ଅଳଙ୍କାର ବ୍ୟବସାୟୀଙ୍କ ଗୁମାସ୍ତା ତଥା ପୁରୁଷୋତ୍ତମପୁର ପୁରୁଣା ଜଗନ୍ନାଥ ମନ୍ଦିର ସାହିର ଅମିତ୍ ବେହେରା। ଏଥିସହ ଚୋରି ସୁନା କିଣିଥିବା ଓ ତାହାକୁ ତରଳାଇଥିବା ଅଭିଯୋଗରେ ପୁରୁଷୋତ୍ତମପୁର ବଜାର ସାହିର ଦୀପୁ ଆଚାର୍ଯ୍ୟ, ନନ୍ଦିକ ସାହିର ସନ୍ତୋଷ ଆଚାରୀ, ବ୍ରହ୍ମପୁର ଆସିକା ରୋଡ଼ ଶ୍ରୀରାମନଗର ରାଧାକ୍ରିଷ୍ଣ ଏନ୍କ୍ଲେଭ୍ର ପି.ବୀରଭଦ୍ର ରାଓ, ବ୍ରହ୍ମପୁର ପଞ୍ଚଦେଉଳ ସାହିର ନନ୍ଦକିଶୋର ଭଗତ ଓ ପୁରୁଷୋତ୍ତମପୁର ନଇତଟ ସାହିର ମିଥୁନ ବେହେରାକୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତମାନେ କେଉଁ କେଉଁ ଲୁଟ୍ ମାମଲାରେ ସଂପୃକ୍ତ ଅଛନ୍ତି, ଆଉ କେଉଁଠି ଚୋରି ଅଳଙ୍କାର ରଖିଛନ୍ତି ନା ନାହିଁ ଏ ଦିଗରେ ପୁଲିସ ଅଧିକ ତଦନ୍ତ କରୁଥିବା ଡିଆଇଜି ଶ୍ରୀ ଭୋଇ କହିଛନ୍ତି। ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ, ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଏସ୍ଡିପିଓ ସୀମା ସ୍ୱାଇଁ, ଥାନାଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସମେତ ବହୁ ପୁଲିସ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।