ଜଳାଶୟ ସଂସ୍କାର ଯୋଜନାରେ ଖର୍ଚ୍ଚ ହେବ ୩.୬୭ କୋଟି

ବର୍ଷା ପୂର୍ବରୁ କାର୍ଯ୍ୟ ସରିବା ନେଇ ସନ୍ଦେହ

ବାଲେଶ୍ବର: ଜଳାଶୟ ସଂସ୍କାର ଯୋଜନାରେ ରାଜ୍ୟ ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେବେ ଏସବୁର ଠିକ୍‌ କାର୍ଯ୍ୟାନ୍ବୟନ ନେଇ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି।

ବାଲେଶ୍ବର ମ୍ୟୁନିସିପାଲଟି ଅଞ୍ଚଳରେ ପୂର୍ବରୁ ସରକାରୀ ଓ ବେସରକାରୀ ଭାବେ ପ୍ରାୟ ଛୋଟବଡ଼ ୩୦ରୁ ଊର୍ଦ୍ଧ୍ବ ପୋଖରୀ ରହିଥିଲା। କିନ୍ତୁ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜମି ମାଫିଆଙ୍କ ଲୋଲୁପ ଦୃ‌ଷ୍ଟି ପାଇଁ ପୋଖରୀ ଓ ଜଳାଶୟଗୁଡ଼ିକ ପୋତି ହୋଇଗଲାଣି। ମାଫିଆମାନେ ଏହି ଜାଗାକୁ ବିକ୍ରି କରି ‌ମୋଟା ଅଙ୍କର ମୁନାଫା ରୋଜଗାର କରୁଛନ୍ତି।

ସୂଚନା ଅନୁଯାୟୀ ପୌରାଞ୍ଚଳରେ ବର୍ତ୍ତମାନ ପ୍ରାୟ ୨୦ଟି ଜଳାଶୟ ରହିଛି। ସେଥିମଧ୍ୟରୁ ଜଳାଶୟ ଉନ୍ନତୀକରଣ ଯୋଜନାରେ ୬ଟି ପୋଖରୀର ପୁନରୁଦ୍ଧାର ପାଇଁ ପୌରପାଳିକା ପକ୍ଷରୁ ୩ କୋଟି ୬୭ ହଜାର ଟଙ୍କାର ଅଟକଳ କରାଯାଇଛି। ୮ ନଂ ୱାର୍ଡ ମଠସାହିସ୍ଥିତ ହରଗଂଗା ପୋଖରୀ ପାଇଁ ୩୫ ଲକ୍ଷ ମଂଜୁର ହୋଇଥିବା ବେଳେ ୫ ନଂବର ୱାର୍ଡ ମାନସିଂ ବଜାରସ୍ଥିତ ହରିଚନ ପୋଖରୀ ପାଇଁ ୫୨ ଲକ୍ଷ ୪୩ ହଜାର ଟଙ୍କା ମଂଜୁର କରାଯାଇଛି। ସେହିପରି ୧୬ ନଂ ୱାର୍ଡ ଆଜିମାବାଦସ୍ଥିତ ନୂଆପୋଖରୀ ପାଇଁ  ୫୨ ଲକ୍ଷ ୧୯ ହଜାର, ଶୋଭାରାମପୁର ପୋଖରୀ ପାଇଁ ୫୭ ଲକ୍ଷ ୬୮ ହଜାର, ଗଡ଼ଗଡ଼ିଆ ପୋଖରୀ ପାଇଁ ୬୯ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟବରାଦ ହୋଇ ନିର୍ମାଣଧୀନ ରହିଛି।

୨ ନଂ ୱାର୍ଡର ବଡ଼ଖୁଆ ପୋଖରୀ ଉନ୍ନତି ପାଇଁ ୧ କୋଟି ଟଙ୍କା ମଂଜୁର ହୋଇ କାମ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ କାମ ବନ୍ଦ ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଆଜିମାବାଦସ୍ଥିତ ନୂଆପୋଖରୀର ପାଣି ଶୁଖାଯାଇଛି। ଏଯାବତ ସେଠାରେ କାମ ଆରମ୍ଭ ହୋଇନାହିଁ। ଅବଶିଷ୍ଟ ୪ଟି ପୋଖରୀର ମାତ୍ର ୩୦ ପ୍ରତିଶତ କାର୍ଯ୍ୟ ହୋଇଛି। ଏଭଳି ପରିସ୍ଥିତିରେ ପୋଖରୀ ସଂସ୍କାର ଯୋଜନାରେ ସମସ୍ତ ଜଳାଶୟର ଉନ୍ନତୀକରଣ କାର୍ଯ୍ୟ ବର୍ଷା‌ଦିନ ପୂର୍ବରୁ ସଂପୂର୍ଣ୍ଣ ହେବ କି ନାହିଁ, ତାହା ସନ୍ଦେହ ସୃଷ୍ଟି କରିଛି।

ଏ ସଂପର୍କରେ ଦାୟିତ୍ବରେ ଥିବା ଯନ୍ତ୍ରୀ ସୁଶାନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ସମସ୍ତ ପୋଖରୀଗୁଡ଼ିକର ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଛି। କେତେକ ପୋଖରୀ ପରିଷ୍କାର କରାଯାଇ ପାଣି ଶୁଖାଯାଇଛି। ‌କିଛି ପୋଖରୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଠିକାଦାରମାନଙ୍କୁ ଶୀଘ୍ର କାମ ସାରିବା ପାଇଁ କୁହାଯାଇଛି। ଠିକ୍‌ ସମୟରେ କାମ ନ ସାରିଲେ କାହାର ବିଲ୍‌ ପାସ୍‌ କରାଯିବ ନାହିଁ ବୋଲି ଶ୍ରୀ ବେହେରା କ‌ହିଛନ୍ତି। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା ସବିତା ସାହୁଙ୍କ କହିବା‌ନୁଯାୟୀ, ଜଳାଶୟଗୁଡ଼ିକର ପୁନରୁଦ୍ଧାର ଓ ଉନ୍ନୟନ କାର୍ଯ୍ୟକୁ ପୌରପାଳିକା ପକ୍ଷରୁ ପ୍ରାଥମିକତା ଦିଆଯାଇଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ କହିଥିଲେ।

ସମ୍ବନ୍ଧିତ ଖବର