ରାଉରକେଲା: ପୁଣି ସାଇବର ଠକାମିରେ ଶିକାର ହୋଇଛନ୍ତି ସହରର ଜଣେ ଦିନ ମଜୁରିଆ। କୋଟିପତି ଭାଗ୍ୟଶାଳୀ ବିଜେତା ଲୋଭ ଦେଖାଇ ବନ୍ଧମୁଣ୍ଡା ଉତ୍ତମବସ୍ତିର ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୭ ହଜାର ଟଙ୍କା ଠକିନେଇଛି ସାଇବର ଠକ। ଦିନ ମଜୁରିଆଙ୍କ ଲିଖିତ ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଉତ୍ତମ ବସ୍ତିର ଦୁଗା ମୁଣ୍ଡା ପରିବାର ସହ ରହନ୍ତି। ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରିନ୍ତି। ଆଜି ପୂର୍ବାହ୍ନରେ ତାଙ୍କ ମୋବାଇଲକୁ ଏକ ଅଜଣା କଲ୍ ଆସିଥିଲା।
ଦୁଗା କଲ୍ ରିସିଭ୍ କଲା ପରେ ଅଜଣା ଯୁବକ ଜଣକ ତାଙ୍କୁ କୋଟିଏ ଟଙ୍କା ଲଟେରି ଜିତିଛ ବୋଲି କହି ଲୋଭ ଦେଖାଇଥିଲେ। ହଠାତ୍ ଅଜଣା ଯୁବକଙ୍କଠାରୁ ଏମିତି କଥା ଶୁଣିବା ପରେ ଦୁଗା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉତ୍କଣ୍ଠାର ସହ କୋଟିଏ ଟଙ୍କା କେମିତି ପାଇବେ ବୋଲି ଦୁଗା ଅଜଣା ଯୁବକଙ୍କୁ ପଚାରିଥିଲେ। ଯୁବକ ଜଣ ବିଶ୍ବାସ ଜନ୍ମାଇବାକୁ ଦୁଗାଙ୍କ ୱାଟସ୍ଆପ୍ ନମ୍ବରକୁ ଲିଙ୍କ୍ ମେସେଜ୍ ସହ ଆବେଦନ ଫର୍ମ ପଠାଇଥିଲେ। ଲିଙ୍କ୍ ମେସେଜ୍କୁ ଡାଉନ୍ଲୋଡ କରିବାକୁ ଦୁଗାଙ୍କୁ କହିଥିଲେ।
ଦୁଗା କୋଟିଏ ଟଙ୍କା ପାଇବା ଲୋଭରେ ଅଜଣା ଯୁବକଙ୍କ କହିବାନୁଯାୟୀ ମୋବାଇଲକୁ ଆସିଥିବା ଲିଙ୍କ୍କୁ ଡାଉନ୍ଲୋଡ୍ କରିଥିଲେ। ଡାଉନ୍ଲୋଡ୍ କରିବାର କିଛି ସମୟରେ ଦୁଗାଙ୍କ ବ୍ୟାଙ୍କ ଖାତାରୁ ୩ ଲକ୍ଷ ୭ ହଜାର ଟଙ୍କା ଗାଏବ୍ ହୋଇଯାଇଥିଲା। ଏ ସମ୍ପର୍କିତ ମେସେଜ୍ ମୋବାଇଲକୁ ଆସିବା ପରେ ଦୁଗା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଲ୍ କରିଥିବା ଅଜଣା ଯୁବକ ଜଣଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଯୁବକ ଜଣକ ଆଦୌ କଲ୍ ଉଠାଇ ନଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ରାଉରକେଲା ସାଇବର ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/cybercrime.jpg)