ଭୁବନେଶ୍ବର: ନୂଆପଲ୍ଲୀ ଭୋଇସାହିସ୍ଥିତ ଲେଡିଜ୍ ହଷ୍ଟେଲରେ ପଶି ଆତଙ୍କ ଖେଳାଇଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାର ଖବର ମିଳିଛି। ସିସିଟିଭି ଫୁଟେଜ ଦେଖିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି। ଆଜି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପରେ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଉଗ୍ରତାରା ହଷ୍ଟେଲ ନିକଟକୁ ଆସି କିଛି ଯୁବକ ହଙ୍ଗାମା କରିଥିଲେ। କଦର୍ଯ୍ୟ ଭାଷାରେ ଗାଳିମନ୍ଦ କରିବା ସହ ହଷ୍ଟେଲକୁ ଟେକା ପଥର ମାରିଥିଲେ। ଫଳରେ କାଚ ଝରକା ଭାଙ୍ଗିଯାଇଥିଲା ଏବଂ ହଷ୍ଟେଲ ପରିସରରେ ଥିବା ଗାଡ଼ିଗୁଡ଼ିକ ଭାଙ୍ଗି ଯାଇଥିଲା। କାଚ ଝରକା ଭାଙ୍ଗିଯିବାରୁ ୩୦/୪୦ ଅନ୍ତେବାସୀ ଭୟରେ ହଷ୍ଟେଲ ପଛକୁ ଯାଇ ଲୁଚିବାକୁ ଚେଷ୍ଟା କରିଥିଲେ। ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଲୀଳାବତୀ ସ୍ବାଇଁ ପୁଲିସକୁ ଫୋନ୍ କରିବା ସହ ସାହସ କରି ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିଥିଲେ।
କିନ୍ତୁ ସେମାନେ ତାଙ୍କୁ ବି ଆକ୍ରମଣ କରିବାକୁ ପଛାଇନଥିଲେ। ସେମାନେ ଲୀଳାବତୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ଲୀଳାବତୀଙ୍କୁ ମାଡ଼ ହେବା ଦେଖି ଅନ୍ତେବାସୀମାନେ ସମ୍ଭାଳି ପାରିନଥିଲେ ଏବଂ ଚିତ୍କାର କରି ପାଖ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ଏଥିସହିତ ଅନ୍ତେବାସୀମାନେ ବି ଏକାଠି ହୋଇ ମୁକାବିଲା କରିବାକୁ ଆଗେଇ ଆସିଥିଲେ। ପାଟି ଶୁଣି କିଛି ଯୁବକ ଘଟଣାସ୍ଥଳକୁ ଆସିବା ଦେଖି ଦୁର୍ବୃତ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପିସିଆର୍ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇସାରିଥିଲେ। ସୂଚନାଯୋଗ୍ୟ ଯେ ଯୁବକମାନେ ସମସ୍ତେ ସ୍ଥାନୀୟ। ପୂର୍ବରୁ ସେମାନେ ଏଠାରେ ରହୁଥିବା ଅନ୍ତେବାସୀଙ୍କୁ କମେଣ୍ଟ ମାରି ହଇରାଣ କରୁଥିଲେ। ଏମିତିକି ସେମାନେ ବହୁ ସମୟରେ ହଷ୍ଟେଲ୍ ନିକଟରେ ଖଟି କରି ଅନ୍ତେବାସୀମାନଙ୍କୁ ଖରାପ ଇଙ୍ଗିତ ପ୍ରଦର୍ଶନ କରୁଥିଲେ। ତେଣୁ କିଛି ଦିନ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ କିଛି ଯୁବକଙ୍କୁ ତାଗିଦ୍ କରିଥିଲା। ତେଣୁ ସେହି ରାଗରେ ପୁଣି ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଅନୁମାନ କରାଯାଉଛି।
ଲେଡିଜ୍ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା: ତିନି ଅଭିଯୁକ୍ତ ଥାନାରେ ଅଟକ
/sambad/media/post_attachments/wp-content/uploads/2018/04/nayapalli_small.jpg)