ସାବଧାନ! ମାତିଛନ୍ତି ଜମତରା ଗ୍ୟାଙ୍ଗ୍‌: ୩ ଗିରଫ

ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ ଠକିଥିଲେ ୧୫ ଲକ୍ଷ ୬୦ ହଜାର

ରାଉରକେଲା: ସ୍ମାର୍ଟସିଟିରେ ସାଇବର ଠକେଇ ଆଶାତୀତ ହେଲାଣି। କେତେବେଳେ ଫେସ୍‌ବୁକ୍‌ ମ୍ୟାସେଞ୍ଜର୍‌ ମାଧ୍ୟମରେ ତ କେତେବେ‌‌ଳେ ବ୍ୟାଙ୍କ୍‌ ସହ ଆଧାର ଲିଙ୍କ୍‌, ପାନ୍‌ କାର୍ଡ ଲିଙ୍କ୍‌ ନାଁରେ ଠକୁଛନ୍ତି। ସମାନ ଢ଼ଙ୍ଗରେ ଜିଲ୍ଲାର ଜଣେ ସ୍ବେଚ୍ଛାକୃତ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ ଠକିଥିବା ୩ ଜଣ ସାଇବର ଠକଙ୍କୁ ଗିରଫ କରିଛି ରାଉରକେଲା ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୁଲିସ। ତେବେ ଏମାନେ ହେଉଛନ୍ତି କୁଖ୍ୟାତ ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗର ସଦସ୍ୟ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଝାଡ଼ଖଣ୍ଡ ଜମତରା ଜିଲ୍ଲା ଅନ୍ତର୍ଗତ ନାରାୟଣପୁର ଥାନା ଅଞ୍ଚଳର କୋରିଡ଼ିର ଗାଁର ଜାମେଶଦ ଅନସାରୀ(୩୭), ଗିରିଡ଼ି ଜିଲ୍ଲାର ଅହିଲ୍ୟାପୁର ଥାନା ଅନ୍ତର୍ଗତ ଫୁଲଝରିଆର ମହମ୍ମଦ ଆରିଫ୍‌ ଅନସାରୀ(୨୧) ଓ ଅହିଲ୍ୟାପୁର ଥାନା ଅନ୍ତର୍ଗତ ଜାମଯୋରୀର ମହମ୍ମଦ ରାଜଉଲ(୩୦)। ଏମାନଙ୍କଠାରୁ ନଗଦ ୭,୮୦୦ ଟଙ୍କା ସମେତ ୪ଟି ମୋବାଇଲ ଫୋନ, ପାନ୍‌ କାର୍ଡ, ଆଧାର କାର୍ଡ, ପାସ୍‌ବୁକ୍‌, ସିମ୍‌କାର୍ଡ ଆଦି ଜବତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଲ ବିରିଙ୍ଗାଟୋଲିରେ ସପରିବାର ବାସ କରନ୍ତି ନଳିନ୍ଦ୍ର ଟପ୍ପୋ। ସେ ବ୍ୟକ୍ତିଗତ କାରଣରୁ ରେଳବାଇରୁ ୨୦୨୧ ମସିହା ମେ’ ପହିଲାରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଅବସରକାଳୀନ ପ୍ରାପ୍ୟ ବାବଦକୁ ମିଳିଥିବା ୩୪ ଲକ୍ଷ ୯୯ ହଜାର ୯୦୮ ଟଙ୍କାକୁ ନିଜ ଏସ୍‌ବିଆଇ ଆକାଉଣ୍ଟ୍‌ରେ ଜମା କରିଥିଲେ। ଜମା ହେବାର ପ୍ରାୟ ୭ ମାସ ପରେ, ଅର୍ଥାତ୍‌ ୨୦୨୧ ନଭେମ୍ବର ୨୯ ତାରିଖରେ ତାଙ୍କ ପାଖକୁ ଏକ ଅଜଣା ନମ୍ବର(୭୦୬୪୮୮୫୬୬୯)ରୁ କଲ୍‌ ଆସିଥିଲା। ଶ୍ରୀ ଟପ୍ପୋ ଫୋନ୍‌କଲ୍‌ ରିସିଭ୍‌ କରିବାପରେ ଅଜଣା ବ୍ୟକ୍ତି ଜଣକ ନିଜକୁ ନୂଆଦିଲ୍ଲୀସ୍ଥ ଫୋନ୍‌ ‌ପେ’ କାର୍ଯ୍ୟାଳୟ ଅଧିକାରୀ ପରିଚୟ ଦେଇଥିଲେ।

ଏହାପରେ ‌ଠକ ନିଜର ଚକ୍ରାନ୍ତ ଆରମ୍ଭ କରିଥିଲା। ପ୍ରଥମେ ଫୋନ୍‌ ମାଧ୍ୟମରେ ୨୦ ହଜାର ଟଙ୍କା ପେମେଣ୍ଟ୍‌ କରାଯାଇଥିବା କହିବାରୁ ଶ୍ରୀ ଟପ୍ନୋ ମନା କରିଦେଇଥିଲେ। ସେ କୌଣସି ପ୍ରକାର ଅନଲାଇନ କାରବାର କରୁନଥିବା କହିଥିଲେ। ଏହାପରେ ଠକ ଜଣକ ଉକ୍ତ ଟଙ୍କାକୁ ଆକାଉଣ୍ଟରେ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେବାସହ ମୋବାଇଲ୍‌ରେ ଏକ ଲିଙ୍କ୍‌ ପଠାଇଥିଲେ। ଉକ୍ତ ଲିଙ୍କକୁ ଶ୍ରୀ ଟପ୍ପୋ କ୍ଲିକ୍‌ କରିବା‌ସହ ଓଟିପି ମଧ୍ୟ ଠକକୁ ଦେଇଦେଇଥିଲେ। ଏହାପରେ ସଂପୃକ୍ତ ଠକ ଶ୍ରୀ ଟପ୍ପୋଙ୍କୁ ମୋବାଇଲରେ ‘ଏନି ଡେସ୍କ୍‌ ଆପ୍‌’ ଡାଉନଲୋଡ୍‌ କରିବାକୁ କହିଥିଲେ। ଏହାପରେ ବ୍ୟାଙ୍କ୍‌ ଆକାଉଣ୍ଟରେ ଉଲ୍ଲେଖଥିବା ଫୋନ୍‌ ନମ୍ବରକକୁ ପରିବର୍ତ୍ତନ କରି ନିଜର ଜାଲ୍‌ ନମ୍ବର ସହ ପଞ୍ଜିକରଣ କରିଦେଇଥିଲେ। ଏହାପରେ ଅନାୟାସରେ ଶ୍ରୀ ଟପ୍ପୋଙ୍କ ଆକାଉଣ୍ଟରୁ ୧୫ ଲକ୍ଷ ୫୬ ହଜାର ଟଙ୍କା ଠକିନେଇଥିଲେ। ଏନେଇ ଶ୍ରୀ ଟପ୍ପୋ ଅବଗତ ହେବାପରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର ପୁଲିସ ମାମଲାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ମୋବାଇଲ୍‌ ଟ୍ରାକିଂ, ଟ୍ରାଞ୍ଜେକ୍ସନ ଆଦିକୁ ତର୍ଜମାକରି ସାଇବର ଥାନାଧିକାରୀ ସେରୋଫିନା ଖେସ୍‌ଙ୍କ ନେତୃତ୍ବରେ ଏକ ଦଳ ଜମତରା ଅଭିମୁଖେ ବାହାରିଥିଲା। ସେଠାରେ ଦୁଇଦିନ ଧରି ଅଭିଯୁକ୍ତଙ୍କ ଗତିବିଧିକୁ ଲକ୍ଷ୍ୟ କରିବାପରେ ତୃତୀୟ ଦିନ ବିଳମ୍ବିତ ରାତିରେ ସମସ୍ତଙ୍କୁ ନିଜ ନିଜ ଘରକୁ ଉଠାଇ ଆଣିଥିଲା।

ବିଗତ କିଛି ଦିନ ହେଲା ଜିଲ୍ଲାରେ ସାଇବର ଠକେଇ ବଢ଼ିବାରେ ଲାଗିଛି। ଯଦିଓ ପୂର୍ବରୁ ଏକାଧିକ ସାଇବର ଠକେଇ ମାମଲାରେ ଜମତରା ଗ୍ୟାଙ୍ଗ୍‌ର ସଂପୃକ୍ତି ଜଣାପଡ଼ୁଥିଲା; କିନ୍ତୁ ସାଇବର ପୁଲିସ ଠୋସ୍‌ ପଦକ୍ଷେପ ନେଇପାରୁନଥିଲା। ଏମାନେ ପ୍ରାୟତଃ ମୁମ୍ବାଇ-ଦିଲ୍ଲୀ-ଝାଡ଼ଖଣ୍ଡରେ ଡେରା ପକାଉଥିଲେ। ନିୟମିତ ବ୍ୟବଧାନରେ ସ୍ଥାନ ପରିବର୍ତ୍ତନ କରୁଥିବାରୁ ଏମାନଙ୍କୁ କାବୁ କରିବା ସମ୍ଭବ ନ ଥିଲା। ତେବେ ଗତ ସପ୍ତାହ ହେଲା ଏହି ତିନି ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ଭିତ୍ତିକରି ପୁଲିସ ଜମତରାରେ ପହଞ୍ଚିବାସହ ସଫଳତା ହାସଲ କରିଛି। ତେବେ ଏହି ଗ୍ୟାଙ୍ଗରେ ଆହୁରି ଅଧିକ ସଂଖ୍ୟକ ସଦସ୍ୟ ଥିବା ଜଣାପଡ଼ିଛି। ଗ୍ୟାଙ୍ଗ୍‌ ମୁଖ୍ୟ ଜାମିଲ ଅନସାରୀ ବର୍ତ୍ତମାନ ମୁମ୍ବାଇ ଜେଲ୍‌ରେ ବନ୍ଦ ଥିଲେ ମଧ୍ୟ ତା’ର ନେଟ୍‌ୱର୍କ‌ ଏବେ ବି ପୂର୍ବବତ ଜାରି ରହିଥିବା ଗିରଫ ଠକମାନେ ବୟାନ ଦେଇଛନ୍ତି।

ସମ୍ବନ୍ଧିତ ଖବର