ବଜ୍ରକାପ୍ତା ଚୋରାଚାଲାଣ ଘଟଣା : କିଙ୍ଗ୍‌ପିନ୍ ଅଲ୍ଲୀ ସମେତ ୩ ଗିରଫ

୭ କିଲୋ ଓଜନର ବଜ୍ରକାପ୍ତା ଜବତ
୪ ଇଞ୍ଚ କାତି ଦାମ ୧୦ହଜାର ଟଙ୍କା
ପଶ୍ଚିମବଙ୍ଗ ପହଞ୍ଚାଉଥିଲା ଅଲ୍ଲୀ
ବେପାରୀ ବେଶରେ ମାଡ଼ିବସିଲା ବନବିଭାଗ

କଟକ : ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବନବିଭାଗକୁ ପୁଣି ଏକ ସଫଳତା ମିଳିଛି। ଚୋରାଚାଲାଣରେ ମୁଖ୍ୟ ଭୂମିକା ନିଭାଉଥିବା କଟକ ବକ୍ସିବଜାରର ମହମ୍ମଦ ଅଲ୍ଲୀକୁ ବନବିଭାଗ ସ୍କ୍ବାଡ୍‌ ନରାଜରୁ ନାଟକୀୟ ଢଙ୍ଗରେ ଗିରଫ କରିଛି। ମହମ୍ମଦର ସହଯୋଗୀ ବାଙ୍କୀ ଥାନା ଗୟଳବାଙ୍କ ଗ୍ରାମର ସନ୍ତୋଷ ଦାସ ଓ ମାଳବିହାରପୁର ଗ୍ରାମର ହାଡ଼ିବନ୍ଧୁ ଜେନାକୁ ଗିରଫ କରିବା ପରେ ସେମାନଙ୍କ ସୂଚନା ଆଧାରରେ ବନବିଭାଗ ଅଲ୍ଲୀକୁ ଗିରଫ କରି ପାରିଛି। ସନ୍ତୋଷ ନିକଟରୁ ୭ କେଜି ଓଜନର ମାଈ ବଜ୍ରକାପ୍ତା ଜବତ୍‌ କରାଯାଇଛି। ଆଜିର ଗିରଫଦାରୀକୁ ମିଶାଇ ବର୍ତ୍ତମାନ ସୁଦ୍ଧା ବିରଳ ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବନବିଭାଗ ୧୯ଜଣଙ୍କୁ ଗିରଫ କରିଥିବା ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କଟକ ହିଁ ବଜ୍ରକାପ୍ତା ଚୋରାଚାଲାଣର ପେଣ୍ଠସ୍ଥଳୀ। ବକ୍ସିବଜାର ଅଞ୍ଚଳର ଅଲ୍ଲୀ ବସ୍‌ ଓ ଟ୍ରେନ୍‌ରେ ବଜ୍ରକାପ୍ତା ଚାଲାଣ କରିବାରେ ମୁଖ୍ୟ ଭୂମିକା ନିଭାଉଥିଲା।

ସିଧାସଳଖ ଆଠଗଡ, ନରସିଂହପୁର, ନୟାଗଡ଼, ଢେଙ୍କାନାଳ, ବୌଦ୍ଧ ଓ ଅନ୍ୟାନ୍ୟ ଅଞ୍ଚଳରୁ ବେପାରୀ ଓ ମାଫିଆମାନେ ବଜ୍ରକାପ୍ତା ଆଣି ବକ୍ସିବଜାରରେ ଅଲ୍ଳୀକୁ ଦେଉଥିଲେ। ଅଲ୍ଲୀ ବଜ୍ରକାପ୍ତା ଓ କାତିସବୁକୁ ‌କଟକରୁ ଟ୍ରେନ୍‌ ଓ ବସ୍‌ରେ କୋଲ୍‌କାତା ଓ ପଶ୍ଚିମବଙ୍ଗର ଅନ୍ୟାନ୍ୟ ସ୍ଥାନକୁ ପଠାଉଥିଲା‌। ଇଞ୍ଚ ଅନୁସାରେ ବଜ୍ରପାପ୍ତା କାତିର ଦର ନିର୍ଦ୍ଧାରଣ କରି ହ୍ବାଟ୍‌ସ୍‌ ଆପ୍‌ରେ ଦୀର୍ଘ ‌ଦୁଇବର୍ଷରୁ ଅଧିକ ସମୟ ଧରି ଅଲ୍ଲୀ ବେପାର ଚଳାଇଥିଲା। ଅନଲାଇନ୍‌ରେ ସେ ବେପାର ସମ୍ପର୍କରେ ତାଲିମ୍‌ ଦେଉଥିଲା। ଆଠଗଡ ବନବିଭାଗ ଏହା ପୂର୍ବରୁ ଅନ୍ୟତମ ପ୍ରମୁଖ ଅଭି‌ଯୁକ୍ତ ମାଧବ ଚନ୍ଦ୍ର ପାତ୍ର, ଶୁଭେନ୍ଦୁ ରାଉତରାୟଙ୍କୁ ଗିରଫ କରିଥିବା ବେଳେ ଜେରା ସମୟରେ ମିଳିଥିବା ସୂଚନା ଓ ତଥ୍ୟକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା। ଏକ ସୂଚନାକୁ ଆଧାର କରି ଗତରାତିରେ ଆଠଗଡ଼ ଡିଏଫ୍‌ଓଙ୍କ ନେତୃତ୍ବରେ ବନବିଭାଗର ସ୍ବତନ୍ତ୍ର ଟିମ୍‌ ଚଢଉ କରି ସନ୍ତୋଷ ଓ ହାଡ଼ିବନ୍ଧୁକୁ ଗିରଫ କରିଥିଲା। ସନ୍ତୋଷକୁ ନରାଜଠାରୁ ଗିରଫ କରାଯିବା ସମୟରେ ତା ପାଖରୁ ଏକ ୭କେଜି ଓଜନର ବଜ୍ରକାପ୍ତା ଜବତ୍‌ କରାଯାଇଥିଲା। ପଚରାଉଚରା ସମୟରେ ଏହି ବଜ୍ରକାପ୍ତା କଟକ ବକ୍ସିବଜାରର ମହମ୍ମଦ ଅଲ୍ଲୀକୁ ଦେଇଥାନ୍ତା ବୋଲି ସନ୍ତୋଷ ବନବିଭାଗକୁ ସୂଚନା ଦେଇଥିଲା। ଅଲ୍ଲୀ ନରାଜକୁ ଆସି ଏହି ବଜ୍ରକାପ୍ତା ନେବାର ଯୋଜନା ରହିଥିବା ସନ୍ତୋଷଠାରୁ ସୂଚନା ମିଳିବାରୁ ବନବିଭାଗ ଟିମ୍‌ ନରାଜରେ ଅପେକ୍ଷା କରି ରହିଥିଲା। ସେମାନେ ସନ୍ତୋଷଠାରୁ ଅଲ୍ଲୀର ମୋବାଇଲ୍‌ ନମ୍ବର ନେଇ ନାଟକୀୟ ଢ଼ଙ୍ଗରେ ତା ସହ ବେପାରୀ ସାଜି କଥା ହୋଇଥିଲେ। ବଜ୍ରକାପ୍ତା ଅଛି ଓ ବିକ୍ରି କରିବା ପାଇଁ ଚାହୁଛନ୍ତି ବୋଲି ବନବିଭାଗ ଟିମ୍‌ କହିବାରୁ ଅଲ୍ଲୀ ଉକ୍ତ ବଜ୍ରକାପ୍ତାର ଫଟୋ ହ୍ବାଟ୍‌ସଆପ୍‌ରେ ଫଟୋ ପଠାଇବାକୁ କହିଥିଲା। ବଜ୍ରକାପ୍ତାର ଫଟୋ ପଠାଇବା ପରେ କାତିର ଲମ୍ବ ଅନୁସାରେ ୧୦ହଜାର ଟଙ୍କା ଦେବାକୁ କହି ଅପରାହ୍ନ ୫ଟାରେ ନରାଜଠାରେ ବଜ୍ରକାପ୍ତା ଧରି ପହଞ୍ଚିବାକୁ ଅଲ୍ଲୀ ସମୟ ଦେଇଥିଲା। ସେହି ଅନୁସାରେ ବନକର୍ମଚାରୀମାନେ ବେପାରୀ ବେଶରେ ନରାଜ୍‌ଠାରେ ପହଞ୍ଚିବା ବେଳକୁ ଅଲ୍ଲୀ ସେଠାରେ ଉପସ୍ଥିତ ଥିଲା। ବନକର୍ମଚାରୀ ତାକୁ ବଜ୍ରକାପ୍ତା ଦେଖାଇ ମାଡ଼ି ବସିଥିଲେ ଓ ଗିରଫ କରି ଆଠଗଡ଼ ବନକାର୍ଯ୍ୟାଳୟକୁ ନେଇ ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ନରାଜ ହିଁ ବଜ୍ରକାପ୍ତା ଚୋରାଚାଲାଣର ମୁଖ୍ୟ ପେଣ୍ଠ। ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍‌ ହେବାପରେ ବେପାରୀ ନରାଜଠାରେ ପହଞ୍ଚନ୍ତି। ସେଠାରେ ଥିବା ଏକ ଚାଳଘରେ ବଜ୍ରକାପ୍ତାର ମୂଲଚାଲ ଓ ଟଙ୍କା ଦେଣନେଣ ହୋଇଥାଏ। ପୂର୍ବରୁ ବନବିଭାଗ ଦୁଇଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ଗିରଫ ହୋଇଥିବା ମହମ୍ମଦ ରାଜ୍ୟ ବାହାରକୁ ଚୋରାଚାଲାଣ କରିବାରେ ପ୍ରମୁୀଖ ଭୂମିକା ନେଉଥିବା‌ ଜଣାପଡ଼ିଛି। ଗତମାସରେ ବନବିଭାଗ ବିଭିନ୍ନ ସାଙ୍କେତିକ ମୁଦ୍ରା, ଟଙ୍କା ବ୍ୟବହାର କରି ବେପାର ଚଳାଇ ଆସୁଥିବା ଜିଲ୍ଲାର କାନପୁର ନିମସାହିର ମାଧବ ଚନ୍ଦ୍ର ପାତ୍ରକୁ ଗିରଫ କରିଥିଲା। ତେବେ, ଆଜି ପର୍ଯ୍ୟନ୍ତ ମିଳିଥିବା ତଥ୍ୟକୁ ଆଧାର କରି ବନବିଭାଗ ଢେଙ୍କାନାଳ, ନୟାଗଡ, ବୌଦ୍ଧ ଜିଲ୍ଲାର କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି। ସନ୍ଦିଗ୍ଧ ତାଲିକାରେ କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର କେତେଜଣ ଥିବା ନେଇ ବନବିଭାଗ ସୂଚନା ପାଇଛି।

ସମ୍ବନ୍ଧିତ ଖବର