ଲାଉମୁଣ୍ତାରେ ଫାଙ୍କା ଗୁଳି ଚାଳନା, ୩ ଗିରଫ, ୨ ବନ୍ଧୁକ ଜବତ

ବିଜେପୁର : ‘ବିଜେପୁର ଅଂଚଳରେ ବଢ଼ି ଚାଲିଛି ରାଜନୈତି ହିଂସା’ ଶୀର୍ଷକ ଖବର ‘ସମ୍ବାଦ’ ଶୁକ୍ରବାର ସଂସ୍କରଣରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇଥିବା ଦିନ ( ଶୁକ୍ରବାର) ହିଁ ଫୁଟୁଛି ଗୁଳି। ବିଜେପୁର ଥାନା ଲାଉମୁଣ୍ତା ଗ୍ରାମରେ ତିନି ଯୁବକ ଫାଙ୍କା ଗୁଳି ଚଳାଇ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବରପାଲିର ରାଧେଶ୍ୟାମ ରଣା, ବରପାଲି ନିକଟସ୍ଥ କଦଲିପାଲି ଗାଁର ଅନୀଲ ଦୀପ ଓ ଭଟଲିର ରାହୁଲ ବାଦୀ। ପୁଲିସ ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଏବଂ ଗୋଟିଏ ସ୍କୁଟି(ଓଡି ୧୭ଜି ୨୨୧୮) ଜବତ କରିଛି। ପୁଲିସ୍‌ ସୂଚନା ଅନୁସାରେ, ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳେ ତିନି ଜଣ ଯୁବକ ସ୍କୁଟିରେ ଲାଉମୁଣ୍ତାକୁ ଆସି ଜଗନ୍ନାଥ ମନ୍ଦିର ନିକଟରେ ଫାଙ୍କା ଗୁଳି ଫୁଟାଇ ଚମ୍ପଟ ମାରିଥିଲେ। ଗୁଳି ଶବ୍ଦ ଶୁଣି ଗ୍ରାମବାସୀ ଭୟଭୀତ ହୋଇଥିଲେ। ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏସ୍‌ଆଇ ସୁନୀଲ ଦୋରା ଏବଂ ଅନ୍ୟ ପୁଲିସ୍ କର୍ମଚାରୀ ବିଜେପୁର ପଟରୁ ବାହାରିଥିଲେ। ଗ୍ରାମବାସୀ ଅଭିଯୁକ୍ତମାନଙ୍କୁ ଗୋଡ଼ାଇ ବିଜେପୁର ରାସ୍ତା ପେଟ୍ରୋଲ ଟାଙ୍କି ନିକଟରେ କାବୁ କରିଥିଲେ। ସର୍ବସମ୍ମୁଖରେ ଅଭିଯୁକ୍ତଙ୍କୁ ଜେରା କରିବାକୁ ଦାବି କରି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତେଜନା ବଢ଼ୁଥିବାରୁ ପୁଲିସ ଅଭିଯୁକ୍ତମାନଙ୍କୁ ଥାନାକୁ ନେଇଥିଲା। ଏସ୍‌ଡିପିଓ ପ୍ରଦୀପ ସାହୁ ପହଂଚିବା କ୍ଷଣି ଲୋକେ ତାଙ୍କୁ ଘେରି ଯାଇଥିଲେ। ତେବେ ଅଭିଯୁକ୍ତମାନେ କେଉଁ ଉଦ୍ଦେଶ୍ୟରେ ଗୁଳି ଫୁଟାଇଥିଲେ, ପୁଲିସ୍‌ ତାହାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କ ଠାରୁ ଏୟାର ଗନ୍‌ ମିଳିଥିବା ପୁଲିସ୍‌ କହୁଛି। ହେଲେ ଗ୍ରାମବାସୀ ଅଭିଯୁକ୍ତମାନେ ଅସଲି ବନ୍ଧୁକରେ ଗୁଳି ଫୁଟାଇଛନ୍ତି ଏବଂ ଲାଉମୁଣ୍ତା ଆସିବାର କିଛି ସମୟ ପୂର୍ବରୁ ସାତବନ୍ଧ ନିକଟରେ ଜଣେ ବାଇକ୍‌ ଆରୋହୀଙ୍କ ଠାରୁ ୫ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ତିନି ଯୁବକ ଡକାୟତି ଉଦ୍ଦେଶ୍ୟରେ ଆସିଥିବା ପୁଲିସ୍‌ ସନ୍ଦେହ କରୁଛି। ବିଜେପୁର ଉପନିର୍ବାଚନ ପୂର୍ବରୁ କ୍ରମାଗତ ହିଂସା ଘଟୁଥିବାରୁ ଅଂଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର