ଡାହାଣୀ ଚିହ୍ନଟ ପାଇଁ ତନ୍ତ୍ର ପୂଜା, ୨ ତାନ୍ତ୍ରିକ ଓ ଗାଁ ମୁଖିଆ ଅଟକ

ହେମଗିର, : ଗ୍ରାମବାସୀଙ୍କର ବାରମ୍ବାର ଅନିଷ୍ଟ ହେଉଥିଲା। ଯାହା ପ୍ରତିକାର କଲେ ବି କିଛି ଫଳ ମିଳୁ ନଥିଲା। ଡାହାଣୀ ବିଦ୍ୟା ପ୍ରଭାବରେ ଏପରି ହେଉଥିବା ଆଶଙ୍କା କରି ଗ୍ରାମବାସୀ ତାନ୍ତ୍ରିକଙ୍କ ଆଶ୍ରୟ ନେଇଥିଲେ। ଏହି ଡାହାଣୀକୁ ଚିହ୍ନଟ କରିବା ପାଇଁ ଆଜି ତନ୍ତ୍ର ପୂଜା ଚାଲିଥିବା ବେଳେ ପୁଲିସ ଚଢ଼ଉ କରି ୩ ଜଣଙ୍କୁ ଅଟକ ରଖିଛି। ଘଟଣାଟି ଘଟିଛି ହେମଗିର ଝୁଲେନବର ନୂଆପଡ଼ା ଗ୍ରାମରେ।

ହେମଗିର ବ୍ଲକ୍‌ ସଦର ମହକୁମାରୁ ୫ କିମି ଦୂର ଝୁଲେନବର ନୂଆପଡ଼ା ଗ୍ରାମରେ ଚଳିତ ମାସ ୨୨ ଓ ୨୩ ତାରିଖ ଦିନ ପୂଜାର୍ଚ୍ଚନା କରାଯିବ ବୋଲି ଗ୍ରାମବାସୀ ଥାନାକୁ ଲିଖିତ ଭାବେ ଜଣାଇଥିଲେ। କେଉଁ ପୂଜା ହେବ ସେ ସମ୍ପର୍କରେ ସେମାନେ କିଛି ଦର୍ଶାଇ ନ ଥିଲେ। ଆଜି ଛତିଶଗଡ଼ର ଦୁଇ ଜଣ ତାନ୍ତ୍ରିକ ଗ୍ରାମରେ ଡାହାଣୀ ଧରିବା ପାଇଁ ତନ୍ତ୍ର ପୂଜା କରୁଥିବା ପୁଲିସକୁ ଖବର ମିଳିଥିଲା। ତାନ୍ତ୍ରିକମାନେ ଯାହାକୁ ଡାହାଣୀ ଚିହ୍ନଟ କରିବେ ତାହା ମାନିବାକୁ ବାଧ୍ୟ ବୋଲି ଗ୍ରାମର ସବୁ ଲୋକଙ୍କଠାରୁ ଲିଖିତ ଭାବେ ନିଆଯାଇଥିଲା। ପୁଲିସ ନୂଆପଡ଼ାରେ ଚଢଉ କରି ଦୁଇ ତାନ୍ତ୍ରିକ ଓ ଗାଁ ମୁଖିଆଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି କହିଛନ୍ତି।

ସମ୍ବନ୍ଧିତ ଖବର