ଝାରସୁଗୁଡ଼ା ଜିଲ୍ଲାରେ ନକଲି ନୋଟ କାରବାର: ବାମରାରେ କାରଖାନା ଠାବ, ୩ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଥାନା ଅନ୍ତର୍ଗତ ବନ୍ଧବାହାଲଠାରେ କିଛି ନକଲି ନୋଟ ବ୍ୟବହାରକାରୀଙ୍କ ଠାରୁ ଏହାର ଖିଅ ଜଣାପଡ଼ିଥିବା ବେଳେ ପୁଲିସ ସମ୍ବଲପୁର ଜିଲ୍ଲାରୁ ଏହି କାରବାରରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ଆଜି ଏସପି ରାହୁଲ ପିଆର୍ ଝାରସୁଗୁଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ପାଖରୁ ୯୬ ହଜାର ୩ ଶହ ଟଙ୍କାର ଜାଲ ନୋଟ ଓ ପ୍ରିଣ୍ଟିଂ ମେସିନକୁ ପୁଲିସ ଜବତ କରିଛି।

ଝାରସୁଗୁଡା ଜିଲ୍ଲା ବନହରପାଲି ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ପରେ ସମ୍ବଲପୁର ଜିଲ୍ଲା ବାମରାରେ ଠାରେ ଥିବା ଏହି ନକଲି ନୋଟ କାରଖାନାକୁ ଠାବ କରିଥିଲା। ଗୁରୁବାର ରାତି ଏହା ଉପରେ ଚଢ଼ଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ଵଲପୁର ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪), ଇସ୍ଥିଫାକ ଆନ୍ସାରୀ (୩୨), ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଖଡ଼ମର ମହମ୍ମଦ ଅଜମଲ (୨୦) ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ସୂଚନା ଦେଇଛନ୍ତି l

ସୂଚନା ଅନୁଯାୟୀ, ବନ୍ଧବାହାଲସ୍ଥିତ ଏକ ପେଟ୍ରୋଲ ପମ୍ପରେ ଅଜମଲ ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିଲେ l ପମ୍ପ ମାଲିକ ନକଲି ନୋଟ ବିଷୟରେ ଜାଣିପାରି ବନହରପାଲି ପୁଲିସକୁ ଖବର ଦେଇଥିଲେl ପୁଲିସ ଏନେଇ ତଦନ୍ତ କରି ଅଜମଲକୁ ଗିରଫ କରିଥିଲା l ତାକୁ ଅଧିକ ପଚରାଉଚୁରା କରିବା ପରେ ସମ୍ବଲପୁରର ବାମରାରେ ଏକ ନକଲି ନୋଟ କାରାଖାନା ଚାଲୁଥିବା ଖବର ପାଇଥିଲାl ତାପରେ ପୁଲିସ ବାମରାସ୍ଥିତ ନକଲି ନୋଟ କାରଖାନାରେ ଚଢ଼ଉ କରି ସେଠାରୁ ଅନ୍ୟ ୨ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଜବତ ନୋଟରେ ୯୧୮ ଟି ଶହେ ଟଙ୍କିଆ, ୯ଟି ପାଞ୍ଚ ଶହ ଟଙ୍କିଆ, ଗୋଟିଏ କଲର ପ୍ରିଣ୍ଟର ଓ ଏକ ଗ୍ଲାମର ଗାଡି ଜବତ କରାଯାଇଛି। ସାମ୍ବାଦିକ ସମ୍ମଳନୀରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ବରହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର