ରାଉରକେଲା : ରାଉରକେଲାରେ ଆଇପିଏଲ୍‌ ଜୁଆଡ଼ି ସକ୍ରିୟ ହୋଇଉଠିଛନ୍ତି। ପୁଲିସ୍‌ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୯ ଲକ୍ଷ ଟଙ୍କା ଜବତ କରାଯାଇଛି। କିଙ୍ଗ୍‌ପିନ୍‌ ନାଗପୁରରେ ରହି ଏହି କାରବାର ଚଳାଉଥିବା ଜଣାପଡ଼ିଛି।

Advertisment

ରାଉରକେଲାରେ ତାଲିମ୍‌ରେ ଥିବା ଆଇପିଏସ୍‌ ଅଫିସର ପଦ୍ମିନୀ ସାହୁ କହିଛନ୍ତି ଯେ, ରାଉରକେଲାରେ ଧରାପଡ଼ିଥିବା ଆଇପିଏଲ୍‌ ବେଟିଂ ନାଗପୁରରୁ ନିୟନ୍ତ୍ରିତ ହେଉଛି। ଏଥିରେ, ନିଜ ମନପସନ୍ଦର ଖେଳାଳିଙ୍କ ପାଇଁ ଜଣେ ବ୍ୟକ୍ତି ୧୦ ହଜାରରୁ ୨୦ ହଜାର ଟଙ୍କାର ବାଜି ଲଗାଉଛନ୍ତି। ନେଣଦେଣ ତଥ୍ୟ ଧରା ନପଡ଼ିବା ପାଇଁ ସମସ୍ତ କାରବାର ନଗଦ ଆକାରରେ ଚାଲୁଛି। ଏଠାରେ ଜୁଆ ଖେଳୁଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ୍‌ କାବୁ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।

ଧରାପଡ଼ିଥିବା ତିନି ଅଭିଯୁକ୍ତ ହେଲେ-ଆଜାଦ୍‌ ମୋହଲ୍ଲାର ମହାତ୍ମା ଗଳି ନିବାସୀ ମାସୁଦ୍‌ ଆଲାମ୍‌ (୩୨), ପୁରୁଣା ପୋଷ୍ଟ୍‍ ଅଫିସ୍‌ ଲେନ୍‌ର ପରଭେଜ୍‌ ଆଲାମ୍‌ (୩୭) ଓ ମେନ୍‌ ରୋଡ୍‌ ଅଞ୍ଚଳର ଉତ୍ତମ କୁମାର ଶର୍ମା (୫୨)। ଘଟଣାସ୍ଥଳରୁ ପୁଲିସ୍‌ ୯ ଲକ୍ଷ ୪ ହଜାର ଟଙ୍କା, ୩ଟି ଏଲ୍‌ଇଡ଼ି ଟିଭି, ଗୋଟିଏ ଲେନୋଭୋ ଲ୍ୟାପ୍‌ଟପ୍‌, ୩୩ଟି ଦାମୀ ମୋବାଇଲ୍‌ ଫୋନ୍‌, ୨ଟି କାଲ୍‌କୁଲେଟର୍‌, ୩ଟି କଲମ, ଟଙ୍କା ହିସାବ କରାଯାଇଥିବା ୬ ଫର୍ଦ୍ଦ କାଗଜ ଓ ଗୋଟିଏ ହିସାବ ଖାତା ଜବତ କରିଛି। ନାଲାରୋଡ଼ ଅଞ୍ଚଳର ସୋଏବ ଅଖତର, ମହମ୍ମଦ ସୋହେଲ ଓରଫ ରାଜା, ମହମ୍ମଦ ଅବଦୁଲଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତ ଫେରାର ଅଛନ୍ତି। ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ସୁଶ୍ରୀ ସାହୁ କହିଛନ୍ତି।