କୋଟିକୋଟି ଟଙ୍କାର ଜମି ଦୁର୍ନୀତି ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ମୁମ୍ବାଇରୁ ଗିରଫ

ବ୍ରହ୍ମପୁର : ସ୍ଥାନୀୟ ଗାନ୍ଧୀନଗର ଅଂଚଳରେ କୋଟି କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଟାଉନ୍‌ ଥାନା ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ମହିଳା ହୋଇଥିବା ବେଳେ ତାଙ୍କ ସହ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଏକ ସ୍ବତନ୍ତ୍ର ପୁଲିସ୍‌ ଟିମ୍ ମୁମ୍ବାଇରୁ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତଙ୍କ ନାମ ଭାରତୀ ପାତ୍ର ହୋଇଥିବା ବେଳେ ଅନ୍ୟମାନଙ୍କ ପରିଚୟ ହସ୍ତଗତ ହୋଇନାହିଁ। ତିନି ଅଭିଯୁକ୍ତଙ୍କୁ ଗିରଫ ପରେ ମହାରାଷ୍ଟ୍ରର ଥାନେସ୍ଥିତ ଜେଏମ୍‌ଏଫ୍‌ସିରେ ହାଜର କରାଯାଇଥିଲା। ଏହାପରେ ତିନି ଦିନିଆ ରିମାଣ୍ଡରେ ବ୍ରହ୍ମପୁର ଅଣାଯାଉଥିବା ସୂଚନା ମିଳିଛି।

ସୂଚନା ମୁତାବକ, ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ଜମିକୁ ବିକ୍ରି କରିଦେବା, ମାଲିକ ଅଜାଣତରେ ଜମିକୁ ଅନ୍ୟକୁ ବିକ୍ରି କରିଦେବା ଭଳି ଏକାଧିକ ଅଭିଯୋଗ ଟାଉନ୍‌ ଥାନାରେ ହୋଇଥିଲା। ଗତ ଜାନୁଆରି ୨୨ରେ ଗାନ୍ଧୀନଗର ଅଂଚଳର କମଳେନ୍ଦୁ ପାତ୍ର ନାମକ ଜଣେ ବ୍ୟକ୍ତି ଥାନାରେ କରିଥିବା ଅଭିଯୋଗ ମୁତାବକ, ତାଙ୍କ ବାପା ଲକ୍ଷ୍ମୀକାନ୍ତ ପାତ୍ର ୨୭ବର୍ଷ ତଳେ ଏକ ପ୍ଲଟ୍ କିଣିଥିଲେ, ଯାହାର ସେଲ୍‌ଡିଡ୍ କମଳେନ୍ଦୁଙ୍କ ନିକଟରେ ଅଛି। କିନ୍ତୁ ଅନ୍‌ଲାଇନ୍‌ରେ ସେହି ପ୍ଲଟ୍‌ଟି ଅନ୍ୟନାମରେ ଥିବା ଦେଖିବାକୁ ପାଇଥିଲେ। ସେହି ପ୍ଲଟ୍‌ଟି ତାଙ୍କ ବାପା ବିକ୍ରି କରିନଥିବାବେଳେ ମାଲିକାନା କିଭଳି ପରିବର୍ତ୍ତନ ହେଲା, ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ଥାନାର ଦ୍ବାରସ୍ଥ ହେବା ପରେ କେସ୍‌ନଂ ୯।୨୨ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଜମି ମାଲିକାନା ପରିବର୍ତ୍ତନ କରାଇବାରେ ସାମିଲ୍ ଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୁଣି ଗତ ‌ଫେବ୍ରୁଆରି ୨୭, ୨୮ରେ ଜମି ଦୁର୍ନୀତି ନେଇ ଅନ୍ୟ ଦୁଇଟି ଅଭିଯୋଗ ହୋଇଥିଲା। ଏହି ତିନି ମାମଲାର ମାଷ୍ଟର୍‌ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍‌ ଯୋଜନା ପ୍ରସ୍ତୁତ କରିଥିଲା। ସେ ଜଣେ ମହିଳା ହୋଇଥିବା ବେଳେ ମୁମ୍ବାଇରେ ରହୁଥିବା ଜାଣିବାକୁ ପାଇ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସେଠାକୁ ପଠାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଅଣାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର