ରେଳ ବିଭାଗରେ ନିଯୁକ୍ତିପତ୍ର ଦେବାକୁ କହି ୧୪ ଲକ୍ଷ ଠକେଇ: ଅଭିଯୁକ୍ତ ୩ ଭାଇ ଭଉଣୀ ଗିରଫ, ୧୩ ଲକ୍ଷ ଜବତ

ଝାରସୁଗୁଡ଼ା : ରେଳ ବିଭାଗରେ ଚାକିର ପାଇଁ ପରୀକ୍ଷା ଦେଇଥିବା ଜଣେ ଯୁବକଙ୍କୁ ନିଯୁକ୍ତିପତ୍ର ଦେବା ବାହାନାରେ ୧୪ ଲକ୍ଷ ଠକେଇ ହୋଇଥିବା ବେଳେ ଠକେଇରେ ସାମିଲ ୩ ଭାଇ ଭଉଣୀଙ୍କୁ ଝାରସୁଗୁଡ଼ା ପୁଲିସ ଗିରଫ କରିଛି।

ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଏସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଚିଚିଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲ ଗତ ବର୍ଷ ରେଳ ବିଭାଗରେ ଚାକିରି ପାଇଁ ପରୀକ୍ଷା ଦେଇଥିଲେ। ମାତ୍ର ସେହି ପରୀକ୍ଷାର ଫଳ ପ୍ରକାଶ ପାଇନଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ନମ୍ବରୁ ତାଙ୍କ ପାଖକୁ ରେଳ ବିଭାଗ କହି ଫୋନ୍‌ ଆସିଥିଲା। ଫୋନରେ ତାଙ୍କୁ ଚାକରି ହୋଇଯିବ ଓ ଏଥିପାଇଁ ତାଙ୍କୁ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ସେତେବେଳେ ମାନସ ଏହି ଫୋନ୍‌କଲକୁ ଏଡ଼ାଇ ଯାଇଥିଲେ। ମାତ୍ର ବାରମ୍ବାର ଫୋନ୍‌ରେ ତାଙ୍କୁ ନିଯୁକ୍ତି ହୋଇ ଯାଇଛି ଓ ଟଙ୍କା ଦେଲେ ନିଯୁକ୍ତିପତ୍ର ମିଳିବ ବୋଲି କୁହାଯିବା ପରେ ଏହାକୁ ବିଶ୍ବାସ କରିଥିଲେ। ଅଭିଯୁକ୍ତ ମାନେ ତାଙ୍କୁ ୩ ମାସ ମଧ୍ୟରେ ନିଯୁକ୍ତିପତ୍ର ମିଳିଯିବ ବୋଲି କହି ଟଙ୍କା ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ। ୧୪ ଲକ୍ଷ ଟଙ୍କା ଦେବାପରେ ତାଙ୍କୁ ତାଙ୍କ ଘର ଠିକଣାରେ ନିଯୁକ୍ତିପତ୍ର ଯିବ ବୋଲି କହିଥିଲେ। ତାଙ୍କ କଥାରେ ମାନସ ୧୪ ଲକ୍ଷ ଟଙ୍କା ଯୋଗାଡ଼ କରି ଗତ ୨୨ ତାରିଖ ଦିନ ଝାରସୁଗୁଡ଼ା ଆସିଥିଲେ ଓ ଉତ୍କଳ କଣ୍ଟିନେଣ୍ଟାଲ ହୋଟେଲରେ ସେମାନଙ୍କୁ ସାକ୍ଷାତ କରିଥିଲେ। ସେଠାରେ ଜଣେ ଯୁବତୀ ତାଙ୍କୁ ରିସେପସନ୍‌ କାଉଣ୍ଟର ନିକଟରେ ବସାଇ କାହାକୁ ଫୋନ୍‌ କରିଥିଲା। ଏହାପରେ ‌ଜଣେ ଯୁବକ ଆସି ତାଙ୍କ ଠାରୁ ଟଙ୍କା ନେଇଥିଲା ଓ ୨୧୨ ନମ୍ବର ରୁମ୍‌କୁ ନେଇ ସେଠାରେ ବସିବାକୁ ଅନୁରୋଧ କରିଥିଲା ଓ ତଳ ମହଲାରେ ଥିବା ଅଧିକାରୀଙ୍କ ପାଖରୁ ନିଯୁକ୍ତପତ୍ରର ଜେରକ୍ସ ଆଣୁଛି କହି ରୁମ୍‌ ଲକ୍‌ କରି ଚାଲି ଯାଇଥିଲା। ଦୀର୍ଘ ସମୟ ରୁମ୍ ଭିତରେ ରହିବା ପରେ ମଧ୍ୟ କେହି ନଆସିବାରୁ ବିକାଶ ଠକେଇର ଶିକାର ହୋଇଥିବା ଜାଣିଥିଲେ। ଲକ୍‌ ଖୋଲି ବାହାରକୁ ଆସି ହୋଟେଲ କର୍ମଚାରୀଙ୍କୁ ପଚରାଉଚୁରା ପରେ ସେମାନେ ଏକ ଇଣ୍ଡିଗୋ କାର୍‌ (ଓଆର୍‌ ୦୨ ବିଜେ ୦୫୦୭)ରେ ଫେରାର ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଝାରସୁଗୁଡ଼ା ଥାନାକୁ ଆସି ଏ ସଂପର୍କରେ ଅଭିଯୋଗ କରିଥିଲେ।

ପୁଲିସ ସାଇବର ସେଲର ସହାୟତାରେ ତଦନ୍ତ କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା। ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ନେତୃତ୍ବରେ ଆଇଆଇସି ସାବିତ୍ରୀ ବଳ ବରଗଡ଼ ଗଣପତି ଭିଲ୍ଲାରୁ ଅଭିଯୁକ୍ତ ତିନି ଭାଇ ଭଉଣୀ ଝରଣା ବାଦୀ(୩୨), ରାଜେଶ ବାଦୀ(୩୦) ଓ ରାଜକୁମାରୀ ବାଦୀ (୧୯)ଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୧୨ ଲକ୍ଷ ୯୬ ହଜାର ଟଙ୍କା ଓ ସଂପୃକ୍ତ ଇଣ୍ଡିଗୋ କାର ଜବତ କରିଛି। ଅଭିଯୁକ୍ତମାନଙ୍କୁ କେସ୍ ନମ୍ବର ୫୧୨ ରେ ଦଫା ୪୧୯, ୪୨୦, ୩୪ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର