ସୁନାବେଡ଼ା ଅଭୟାରଣ୍ୟରେ ବାଘ ଶିକାର : ମା’, ପୁଅ ସମେତ ୩ ଗିରଫ

ବାଘଛାଲ ଓ ମୁଣ୍ଡ ସହ ବାର୍‌ହା ମାଂସ ଜବତ

ନୂଆପଡ଼ା : ସୁନାବେଡ଼ା ଅଭୟାରଣ୍ୟରୁ ବାଘ ଶିକାର ଅଭିଯୋଗରେ ମା’, ପୁଅଙ୍କ ସମେତ ୩ ଜଣଙ୍କୁ ନୂଆପଡ଼ା ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକ ବାଘଛାଲ, ମୁଣ୍ଡ, ୨୦ କେଜି ବାରହା ମାଂସ ଏବଂ ଶିକାର ପାଇଁ ବ୍ୟବହୃତ ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଜଣେ ‌ଫେରାର ଥିବା ନୂଆପଡ଼ା ଡିଏଫ୍‌ଓ ବିବେକ କୁମାର ତ୍ୟାଗୀ ପ୍ରକାଶ କରିଛନ୍ତି।

ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଅଭୟାରଣ୍ୟର ଅମାନାରା ସେକ୍ସନର ଟିପାଝର ଗ୍ରାମର କିଛି ‌ଲୋକ ଏକ ବାଘ ଶିକାର କରି ବାଘଛାଲ ରାଜ୍ୟ ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତ କରୁଥିଲେ। ନୂଆପଡ଼ା ବନ ବିଭାଗ ଏ ଖବର ପାଇବା ପରେ ଡିଏଫ୍ଓ ଶ୍ରୀ ତ୍ୟାଗୀଙ୍କ ନେତୃତ୍ବରେ ନୂଆପଡ଼ା ରେଞ୍ଜର ବିନିତା ଭୋଇ, ଖରିଆର ରୋଡ୍‌ ରେଞ୍ଜର ନିରଞ୍ଜନ ମାଝୀ ପ୍ରମୁଖ ଗତରାତିରେ ଟିପାଝର ଗ୍ରାମର ରାମଶିଳା ଶବର ଘରେ ଚଢ଼ଉ କରିଥିଲେ। ଘରୁ ଏକ ଚିତାବାଘର ଛାଲ, ବାଘର ମୁଣ୍ଡ, ୨୦ କେଜି ବାରହା ମାଂସ, ଝିଙ୍ଗ, କଣ୍ଟା, ଅନ୍ତଃଳନୀ, ବଜ୍ରକାପ୍ତା ଖୋଳ ସହ ଘରୁ ଧନୁ, ତୀର, ଟାଙ୍ଗିଆ, ବର୍ଛା, ପକ୍ଷୀଧରା ଜାଲ ଆଦି ଜବତ କରିଥିଲେ। ଏହି ଘଟଣାରେ ରାମଶିଳା ଶବର(୪୫), ତାଙ୍କ ସାନ ପୁଅ ଶୋଭା ଶବର( ୨୨) ଓ ଘନଶ୍ୟାମ ପହରିଆ (୨୦)ଙ୍କୁ ବନ ବିଭାଗ ଗିରଫ କରିଥିଲା। ଅନ୍ୟପକ୍ଷେ ରାମଶିଳାଙ୍କ ବଡ଼ପୁଅ ରତନ ଶବର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନୂଆପଡ଼ା ଏସିଏଫ୍‌ ଜୟରାମ ଶବର ପ୍ରକାଶ କରିଛନ୍ତି। ମୃତ ଚିତାବାଘଟି ପ୍ରାୟ ଅଢେଇ ବର୍ଷ ବୟସର ବୋଲି ଜଣାପଡିଛି। ଏହି ବାଘକୁ ୫/୬ ଦିନ ତଳେ ଧନୁ ତୀରରେ ମରାଯାଇଥିବା ବନ ବିଭାଗ ଅନୁମାନ କରୁଛି। ତେବେ ଘଟଣା ପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବା ମଧ୍ୟ ସନ୍ଦେହ କରାଯାଉଛି। ସୁନାବେଡ଼ା ଅଭୟାରଣ୍ୟରୁ ବାଘ ତଥା ବିଭିନ୍ନ ପ୍ରାଣୀ ଶିକାର ପରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ରାଜ୍ୟ ବାହାରକୁ ନିୟମିତ ଚାଲାଣ କରାଯାଉଥିବାରୁ ବନବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର