ବିବାହ ଭୋଜି ପାଇଁ ନେଉଥିଲେ ବାର୍‌ହା, ୩ ଗିରଫ

ହରଭଙ୍ଗା: ବାହାଘର ଭୋଜିରେ ଅତିଥିମାନଙ୍କୁ ବାର୍‌ହା ମାଂସରେ ଆପ୍ୟାୟିତ କରିବା ପାଇଁ ହୋଇଥିଲା ଯୋଜନା। ଟଙ୍କା ଦେଇ କିଣା ହୋଇଥିବା ଗୋଟିଏ ବର୍‌ହାକୁ ବୌଦ୍ଧ ଜିଲ୍ଲା ଉପାନ୍ତ ତଳଗାଁ ଅଞ୍ଚଳରୁ ମରାଯାଇ ଏକ ପିକ୍‌ଅପ୍‌ ଯୋଗେ  କନ୍ଧମାଳ ଜିଲ୍ଲାର ମାଲାକେରି ଗାଁକୁ ନିଆ ଯାଉଥିଲା। ହେଲେ ସବୁ ଯୋଜନାକୁ ଫସର ଫଟାଇ ଦେଲା ବନ ବିଭାଗ। ଆଡେନିଗଡ଼ ପଞ୍ଚାୟତର ମାଧପୁର ଛକ ଦେଇ କନ୍ଧମାଳ ଆଡ଼କୁ ମୃତ ବାର୍‌ହା ଧରି ଯାଉଥିବା ଗାଡ଼ିକୁ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ବନ କର୍ମଚାରୀମାନେ ଅଟକାଇଥିଲେ।

ବାର୍‌ହା ଓ ପିକଅପ୍‌ ସହିତ ସେଥିରେ ଥିବା ୩ ଯୁବକଙ୍କୁ ଗିରଫ କରିଥିଲେ। ଶୁକ୍ରବାର ବିଳମ୍ବିତ ରାତିର ପିକ୍‌ଅପ୍‌ (ଓଡି-୦୩ଜି-୨୦୧୩)ରେ ଏହି ବାର୍‌ହାକୁ ଶିକାର କରି ନିଆଯାଉଥିଲା। ଯାଞ୍ଚ କରିବା ବେଳେ ପଲିଥିନ୍‌ ପାଲ ଭିତରେ ଏକ ମୃତ ବାର୍‌ହା  ଥିବା ଦେଖିବାକୁ ମିଳିଥିଲା। ଶନିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଲମସରି ପଞ୍ଚାୟତ ଖଇରମାଲ ଗ୍ରାମର ଡ୍ରାଇଭର ଦିଲ୍ଲୀପ ସାହୁ(୨୫), କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ପକାରୀ ଗାଁର ଆର୍ତ୍ତ କହଁର(୩୨), ବଳରାମ ରଣା (୨୫)। ଚଢ଼ଉରେ ମାଧପୁର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା, ଫରେଷ୍ଟର ରମାକାନ୍ତ କହଁର, ଫରେଷ୍ଟ ଗାର୍ଡ ଦୀପକ ପ୍ରଧାନ, ସୁବଳ ପ୍ରଧାନ, ସୁନୀଲ କ୍ଷେତୀ ଓ ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ବାଡ୍‌ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର