ଶିକ୍ଷିତ ଯୁବକଙ୍କ ଚାଞ୍ଚଲ୍ୟକର କାରନାମା : ପେଟ୍ରୋଲ ପମ୍ପ୍‌ ପ୍ରତିଶ୍ରୁତି ଦେଇ ଠକିନେଲେ ୫ କୋଟି

୩ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ, ୪ ଦିନ ପାଇଁ ରିମାଣ୍ଡରେ ଆଣିଲା

କଟକ : ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମି (ଏନ୍‌ଡିଏ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ହୋଇଥାନ୍ତେ ସେନା ବାହିନୀର ବରିଷ୍ଠ ଅଧିକାରୀ। କିନ୍ତୁ ଟଙ୍କା ଲୋଭରେ ବିହାରର ୧୯ ବର୍ଷୀୟ ଶୁଭମ ପ୍ରିୟଦର୍ଶୀ ପାଲଟିଗଲେ ଜଣେ ଅନ୍ତର୍ଜାତୀୟ ସାଇବର‌୍‌ ଗ୍ୟାଙ୍ଗଷ୍ଟର। ଗୁଜରାଟ ଓ ଓଡ଼ିଶାରୁ ତାଙ୍କ ଗ୍ୟାଙ୍ଗ୍‌ ପାଖାପାଖି ୫ କୋଟିରୁ ଅଧିକ ଟଙ୍କା ଗଲା ଏକ ବର୍ଷ ଭିତରେ ହଡପ୍‌ କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପୁଲିସ ତାକୁ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ଶୁଭମ୍‌ ସମେତ ୩ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ଶୁଭମ ସମେତ ବିହାରର ନାଳନ୍ଦା ଜିଲ୍ଲା କଟାରିସରାଇର ବନ୍ଧୁ ଆକାଶ କୁମାର(୨୧) ଏବ˚ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭଡ଼ାରେ ଲଗାଇଥିବା ନଵାଦାର କୌଶଲେନ୍ଦ୍ର କୁମାର ଓରଫ ଲାଲୁ(୨୩)ଙ୍କୁ ଗିରଫ କରାଯାଇଛି। ଏମାନେ ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ଖୋଲିବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ଅନ୍‌ଲାଇନ୍‌ ଠକେଇ କରିଥିବା କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନର ଓମ୍‌ପ୍ରକାଶ ମିଶ୍ର ଅନ୍‌ଲାଇନ୍‌ରେ ଏକ ୱେବ୍‌ସାଇଟ୍‌ www.reliancepetroleum.org ରେ ପେଟ୍ରୋଲ ପମ୍ପର ଡିଲର‌୍‌ସିପ୍‌ ପାଇଁ ୨୦୧୮ ନଭେମ୍ବର ୧ ତାରିଖରେ ଆବେଦନ କରିଥିଲେ। ୨ ତାରିଖରେ ତାଙ୍କ ନିକଟକୁ ରିଲାଏନ୍ସ ମେଲ୍‌ ଆଇଡିରେ ଏକ କନ୍‌ଫର‌୍‌ମେସନ୍‌ ମେଲ୍‌ ଆସିଥିଲା। ୩ ତାରିଖରେ ଆକାଂକ୍ଷା ଅଗ୍ରଵାଲ ନାମରେ ଜଣେ ବ୍ୟକ୍ତି ପଞ୍ଜୀକରଣ ଫି ଦାଖଲ କରିବାକୁ ଫୋନ୍‌ରେ କହିଥିଲେ। ୧୨ ତାରିଖରେ ୨୯ ହଜାର ୫୦୦ ଏବ˚ ୧୫ ତାରିଖରେ ୮୮ ହଜାର ୫୦୦ ଟଙ୍କା ଦୁଇଟି ପର୍ଯ୍ୟାୟରେ ସେଣ୍ଟ୍ରାଲ୍‌ ବ୍ୟାଙ୍କର ରିଲାଏନ୍ସ ପେଟ୍ରୋଲିୟମ ଲିମିଟେଡ୍‌ ନାଁରେ ଥିବା ଆକାଉଣ୍ଟର‌୍‌ରେ ଜମା କରିଥିଲେ। ପରେ ଏନ୍‌ଓସି, ଲାଇସେନ୍ସ ଫି, ଇନ୍‌ସ୍ୟୁରାନ୍ସ ଫି, ସିକ୍ୟୁରିଟି ଫି ଏବ˚ କ୍ରେଡିଟ୍‌ ଡିପୋଜିଟ୍‌ ଫି’ ବାବଦରେ ଉକ୍ତ ଆକାଉଣ୍ଟରେ ୩୯ ଲକ୍ଷ ୨୭ ହଜାର ଟଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଜମା କରିଥିଲେ। ମନୋଜ ଚୌହ୍ବାନ ନାମରେ ମଧ୍ୟ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ଓମ୍‌ପ୍ରକାଶଙ୍କୁ ଫୋନ୍‌ କରି ନିତିନ ବିଜୟଙ୍କ ନେତୃତ୍ବରେ ୬ ଜଣିଆ ଟିମ୍‌ ପେଟ୍ରୋଲ ପମ୍ପ୍‌ ହେବାକୁ ଥିବା ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରିବା ସମ୍ପର୍କରେ ଫୋନ୍‌ରେ କହିଥିଲେ। କଥା ଅନୁଯାୟୀ ଡିସେମ୍ବର ୨୯ତାରିଖରେ ଆସିବାର ଯୋଜନା ଥିବାବେଳେ କେହି ଆସିନଥିଲେ। କିନ୍ତୁ ଓମ୍‌ପ୍ରକାଶ ଗୋଟିଏ ମାସ ଭିତରେ ମୋଟ ୪୦ ଲକ୍ଷ ୪୫ ହଜାର ଟଙ୍କା ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆଗୁଆ ଦେଇ ଆସିଥିଲେ। ଫୋନ୍‌ କରିଥିବା ବ୍ୟକ୍ତିଙ୍କ ସହିତ ଓମ୍‌ପ୍ରକାଶ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

ଠକେଇର ଶିକାର ହୋଇଥିବା ସନ୍ଦେହରେ ଗଲା ୨୦୧୯ ଜାନୁଆରି ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନାରେ ଏତଲା ଦେଇଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍‌ ବିହାରର ପାଟଣା ହାଵାଇ ଆଡ୍ଡା ପୁଲିସ ଥାନା ଅଞ୍ଚଳରୁ ୩ ଜଣ ଠକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ପରେ, ଭୁବନ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବା ସହିତ ୪ ଦିନିଆ ରିମାଣ୍ଡରେ ଆଣିଥିବା ଜଣାପଡ଼ିଛି।

ଏଡିଜି ସନ୍ତୋଷ ଉପାଧ୍ୟାୟ ତଦନ୍ତକାରୀ ଅଧିକାରୀ ଇନ୍‌ସ୍ପେକ୍ଟର ବିଭୁ ର˚ଜନ ସୁନ୍ଦରାୟ, ଏସ୍‌ଆଇ ବିଶ୍ବ ପ୍ରକାଶ ରାଉତ, ଗାଡ଼ି ଡ୍ରାଇଭର ବନୋଜ ବିଶ୍ବାଳ ଏବ˚ କାଳନ୍ଦୀ ମଲ୍ଲିକଙ୍କୁ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ପୁରସ୍କୃତ କରିଛନ୍ତି।

ସମ୍ବନ୍ଧିତ ଖବର