ରୂପସା : ଅବକାରୀ କନେଷ୍ଟବଳ ବାବାଜୀ ପଣ୍ତିତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବୁଧବାର ବସ୍ତା ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରାସଗୋବିନ୍ଦ ଥାନା ତମ୍ବାଖୁରୀ ଗ୍ରାମର ବାସନ୍ତୀ ଜେନା, ସଞ୍ଜୟ କବି ଓ ଜଳେଶ୍ବର ଥାନା ରାଜପୁର ଅଞ୍ଚଳର ସଂଗ୍ରାମ ବିଶ୍ବାଳ।
ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ନଭେମ୍ବର ୧ ତାରିଖରେ ଅବକାରୀ ଥାନା କନେଷ୍ଟବଳ ବାବାଜୀ ପଣ୍ଡିତ ଓ ଦୁର୍ଗାପ୍ରସାଦ ଗିରି ରାଜଘାଟସ୍ଥିତ ସରକାରୀ ମଦ ଦୋକାନକୁ ସିଲ୍ କରି ସନ୍ଧ୍ୟାରେ ଫେରୁଥିଲେ। ନିଶା ବ୍ୟବସାୟୀ ବୁଲବୁଲ୍ ଜେନା, ତାଙ୍କ ଭାଇ ଓ ସହଯୋଗୀ ସଞ୍ଜୟ କବି, ସଂଗ୍ରାମ ବିଶ୍ବାଳ ପ୍ରମୁଖ ବାଟରେ କନେଷ୍ଟବଳଦ୍ବୟଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଆକ୍ରମଣରେ ବାବାଜୀ ପଣ୍ଡିତଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ଥାନା କେସ୍ ନଂ ୨୫୬/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଜାନୁଆରିରେ ବାସନ୍ତୀଙ୍କ ସହ ପୁଅ ବୁଲବୁଲ୍, ତାଙ୍କ ଭାଇଙ୍କ ସମେତ ଅନ୍ୟ ସହଯୋଗୀମାନେ ଅବକାରୀ ଥାନାରେ ପଶି ଗଣ୍ଡଗୋଳ କରିବା ସହ ଜଣେ ଗିରଫ ମଦ ବେପାରୀକୁ ଖସାଇ ନେଇ ପଳାଇଥିବା ଅଭିଯୋଗ କ୍ରମେ ୧୨/୨୦ରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ବସ୍ତା ଥାନା ଆଇଆଇସି ଅଶୋକ ନାୟକ, ଏଏସ୍ଆଇ ଚିତ୍ତରଞ୍ଜନ ମହାନ୍ତି ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/basat-police-station.jpg)