ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଆକ୍ରମଣ ଘଟଣ‌ାରେ ୩ ଗିରଫ: ଆକ୍ରମଣରେ ବିଧାୟକଙ୍କ ପିଏସ୍‌ଓ ସମ୍ପୃକ୍ତ!

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମରେ ଗତକାଲି ରାତିରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ ବସନ୍ତ ଚକ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୁଲିସ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ତିନିଜଣ ସମର୍ଥକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ସେହି ଗ୍ରାମର ଦୀପକ ଜେନା, ସରିଫୁଦ୍ଦିନ୍‌ ଖାଁ ଓ କାଳିଆ ଜେନା। ଏନେଇ ରାମଚନ୍ଦ୍ରପୁର ଥାନାରେ କେସ୍ ନମ୍ବର ୨୪୨/୨୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଆକ୍ରମଣ ଘଟଣାରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଇଲିଆସ୍ ଖାନ୍ ସାମିଲ ଥିବା ନେଇ ଅଭିଯୋଗ ହୋଇଛି।

ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଥିବାରୁ ଘସିପୁରା ନିର୍ବାଚନମଣ୍ଡଳୀରେ ବିଜେଡି ସମର୍ଥକମାନେ ହତାଶ ହୋଇ ଶେଷରେ ହିଂସାର ଆଶ୍ରୟ ନେଇଛନ୍ତି। ବସନ୍ତ ଗତକାଲି ଅପରାହ୍ନରେ ସୌମ୍ୟରଞ୍ଜନଙ୍କୁ ଭେଟି ସମର୍ଥନ ଜଣାଇବା ସହ ପଞ୍ଚାୟତର ଦାୟିତ୍ବ ନେଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ‌ହୋଇ ବିଧାୟକ ଶ୍ରୀ ପାତ୍ରଙ୍କ ୧୫ରୁ ଉକ୍ତ ସମର୍ଥକ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣା ପରେ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହିଂସାକାଣ୍ଡ ଘଟାଉଥିବା ବଦ୍ରି ପାତ୍ରଙ୍କୁ ଆସନ୍ତା ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ଯୁବନେତା ରାଜେଶ ମଲିକ କହିଛନ୍ତି।

ଅନ୍ୟପକ୍ଷରେ ଏହି ଆକ୍ରମଣ ଘଟଣାରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଇଲିଆସ୍ ଖାନ୍ ସାମିଲ ଥିବା ଅଭିଯୋଗ ହୋଇଛି। ବସନ୍ତଙ୍କ ପତ୍ନୀ ସଂଯୁକ୍ତା ଚକ୍ରଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି। ଏଥିରେ ୮ ନମ୍ବର ଅଭିଯୁକ୍ତ ଭାବେ ଇଲିଆସଙ୍କ ନାମ ରହିଛି। ଗତକାଲି ରାତିରେ ବସନ୍ତଙ୍କୁ ଆକ୍ରମଣ କରାଯାଇଥିଲା। ଏଥିରେ ଇଲିଆସ୍‌ ସାମିଲ ଥିବା ସଂଯୁକ୍ତା କହିଛନ୍ତି। ତେବେ ପୁଲିସ ଅଦ୍ୟାବଧି ତାଙ୍କୁ ଗିରଫ କରିନାହିଁ। ପୁଲିସ ରେକର୍ଡରେ ଜଣେ ଅଭିଯୁକ୍ତ ହେବାପରେ ଇଲିଆସ୍‌ ଫେରାର ହୋଇଯାଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ଇଲିଆସ୍ ବହୁବର୍ଷ ହେଲା ବଦ୍ରିଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଏହାଛଡ଼ା ସେ ଗାଁରେ ବିଜେଡି ରାଜନୀତିରେ ମଧ୍ୟ ସକ୍ରିୟ ରହିଛନ୍ତି। ଏପରିକି ପୁଲିସ ଓ ବଦ୍ରି ପାତ୍ରଙ୍କ ପ‌ାଖଲୋକ ବୋଲି କହି ଗ୍ରାମର ଠିକା କାମରେ ମଧ୍ୟ ତାଙ୍କର ଭାଗ ରହୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର