ସାଇବର କ୍ରାଇମ୍‌ରେ କଳାହାଣ୍ଡି ପୁଲିସକୁ ସଫଳତା: ଜମତରା ଗ୍ୟାଙ୍ଗ୍‌ର ୩ ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଣେ ବ୍ୟବସାୟୀଙ୍କ ଠାରୁ କଷ୍ଟମ୍‌ର କେୟାର୍‌ ନାଁରେ ୮୯ ହଜାର ଟଙ୍କା ସାଇବର ଅପରାଧୀମାନେ ହଡ଼ପ କରିଥିଲେ। ଉକ୍ତ ଘଟଣାର ଅଭିଯୁକ୍ତ ଥିବା ୩ଜଣଙ୍କୁ କଳାହାଣ୍ଡି ପୁଲିସ ଝାଡ଼ଖଣ୍ଡର ଜମତରା ଜିଲ୍ଲାରୁ ଗିରଫ କରିଛି। ସେମାନଙ୍କ ଠାରୁ ୬୯ ହଜାର ଟଙ୍କା ମୋବାଇଲ୍‌ ଓ ସିମ୍‌କାର୍ଡ ଜବତ କରାଯାଇଛି। ସୋମବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାନୁସାରେ କେସିଙ୍ଗା ସହରର ୱାର୍ଡ଼ ନଂ ୧ର ବ୍ୟବସାୟୀ ବିବେକ ଅଗ୍ରୱାଲ, ରାୟପୁରର ଏକ୍ସେଲ ଏଜୁକେସନାଲ୍‌ ଇନଷ୍ଟିଚ୍ୟୁଟରୁ କିଛି ବହି ମଗାଇଥିଲେ। ଏହି ବହିଗୁଡ଼ିକ ସ୍କାଇ କିଙ୍ଗ୍‌ କୋରିୟର ଜରିଆରେ ପଠାଯାଉଥିବା ନେଇ ଗତ ମେ ୨୫ ତାରିଖରେ ସୂଚନା ମିଳିଥିଲା। ପରେ ମେ ୨୯ ତାରିଖରେ ପୁଣିଥରେ ମୋବାଇଲ୍‌କୁ ମେସେଜ୍‌ ଆସିଥିଲା ଯେ ଏହି ପାର୍ସଲଟି ଭୁବନେଶ୍ବରରେ ରହିଛି ଓ କେସିଙ୍ଗାକୁ ପୁଣିଥରେ ପଠାଯିବ। ବିବେକ ଗତ ମେ ୩୧ ତାରିଖରେ କେସିଙ୍ଗା ଶାଖାର କୋରିୟର ସର୍ଭିସ୍‌କୁ ପଚାରିବାରୁ ଲକ୍‌ଡାଉନ୍‌ ଯୋଗୁଁ ପାର୍ସଲ ପହଞ୍ଚିବାରେ ବିଳମ୍ବ ହେଉଛି ବୋଲି କହିଥିଲେ। ଏହାପରେ ଅଭିଯୋଗକାରୀ ଗୁଗୁଲ୍‌ରୁ ସ୍କାଇ କିଙ୍ଗ୍‌ କୋରିୟର ସର୍ଭିସର ଲ୍ୟାଣ୍ଡ୍‌ ଲାଇନ୍‌ ନଂ( ୦୨୨୪୦୧୨୦୭୨୦) ଜାଣିବାକୁ ପାଇଥିଲେ। ଏଥିରେ କଲ୍‌ କରିବା ପରେ ୫ଟଙ୍କା ୟୁପିଆଇ ପେମେଣ୍ଟ୍‌ କରିବା ସହିତ ଅନ୍‌ଲାଇନ୍‌ ଫର୍ମ ଲିଙ୍କ ପଠାଇଥିଲେ। ପରେ କଷ୍ଟମର କେୟାର ଥିବା ନମ୍ବରକୁ ୟୁପିଆଇ ପିନ୍‌ ନମ୍ବର ଦେଇ ପଠାଇଥିଲେ। ଏହାପରେ ବ୍ୟାଙ୍କ୍‌ ଆକାଉଣ୍ଟରୁ ୮୯ ହଜାର ଟଙ୍କା କଟି ଯାଇଥିଲା।

ସାଇବର ଠକେଇ ହୋଇଥିବା ଜାଣିବା ପରେ ବିବେକ ଗତ ଜୁନ ୧ ତାରିଖରେ କେସିଙ୍ଗା ଥାନାରେ ଏତଲା ଦେଇଥିଲେ। ଆଇଆଇସି ସତ୍ୟ ନନ୍ଦ ଏସ୍‌ପିଙ୍କୁ ଏନେଇ ଅବଗତ କରିବାରୁ ଏକ ଟିମ୍‌ ଗଠନ କରାଯାଇ ଥିଲା। ଝାଡ଼ଖଣ୍ଡ ରାଜ୍ୟର ଜାମତରା ଜିଲ୍ଲା କର୍ମନତାର ଥାନା ଡୁମୁରିଆ ଗାଁରେ କେସିଙ୍ଗା ପୁଲିସ ସ୍ଥାନୀୟ ପୁଲିସ ସହାୟତାରେ ପହଞ୍ଚିଥିଲା। ସେଠାରୁ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାଜଦ ଅନସାରୀ (୨୬) ଗିରଫ ହୋଇଥିଲା। ତାର ତଥ୍ୟ ମୁତାବକ କାବରି ଗ୍ରାମର ଅବଦୁଲ ଅନସାରୀ (୨୨) ଓ ବରମୁଣ୍ଡି ଗ୍ରାମର ରାଇସ‌୍‌ ଅନସାରୀ (୧୮) କୁ ଗିରଫ କରାଯାଇଥିଲା।

କଷ୍ଟମର କେୟାର୍‌ ଅପରେଟର ଭାବେ ସେମାନେ ଦେଶ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଟଙ୍କା ଠକିଥିଲେ। ଗୁଗୁଲରେ ବିଭିନ୍ନ ବ୍ରାଣ୍ଡ୍‌ ନାମରେ ବିଜ୍ଞାପନ ରଖୁଥିଲେ ଏବଂ ଗ୍ରାହକଙ୍କ ସେବା ନମ୍ବର ସ୍ଥାନରେ ନିଜର ନମ୍ବର ରଖିଥିଲେ। ଯେତେବେଳେ ଗ୍ରାହକ ସେମାନଙ୍କୁ କଲ୍‌ କରନ୍ତି ଲୋକଙ୍କୁ ମୋବାଇଲ୍‌ ଫୋନରେ ସେୟାର କରୁଥିବା ଲିଙ୍କ୍‌କୁ କ୍ଲିକ୍‌ କରିବାକୁ କହିଥାନ୍ତି। ଏହି ଲିଙ୍କ ନକଲି ଥିବାବ‌େଳେ ଗ୍ରାହକଙ୍କ ବ୍ୟାଙ୍କ୍‌ ବିବରଣୀ ଦେବା ପରେ ଏହି ତଥ୍ୟକୁ ବ୍ୟବହାର କରି ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିଲେ।

ସମ୍ବନ୍ଧିତ ଖବର