ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲର କ୍ରସର ବ୍ୟବସାୟୀଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ୭ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ପୁଲିସ ୩ଜଣକୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଜାମସେଦପୁରର କାର୍ତ୍ତିକ ଜ୍ୟୋତିଷ, ପପୁ ଜ୍ୟୋତିଷ ଓ ବୀରେନ୍ଦ୍ର କୁମାର ପାଣ୍ଡେ। ପୁଲିସ ଅପହୃତ ବ୍ୟବସାୟୀ ତବରେଜ୍ ଆଲମଙ୍କୁ ଜାମସେଦପୁରରୁ ଉଦ୍ଧାର କରିଛି। ତେବେ ଝାଡ଼ଖଣ୍ଡ ପୁଲିସ ସହଯୋଗ କରି ନଥିବା ଅଭିଯୋଗ ହୋଇଛି। ଓଡ଼ିଶା ପୁଲିସର ଟ୍ରାଞ୍ଜିଟ ରିମାଣ୍ଡ ଆବେଦନକୁ ସେଠାକାର ସିଜେଏମ୍ ଖାରଜ କରିବା ସହ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାରୁ ସେମାନେ ଖସିଯିବାରେ ସଫଳ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବଡ଼ବିଲ ପୌରାଞ୍ଚଳ ୮ ନମ୍ବର ୱାର୍ଡର ବାସିନ୍ଦା ତବରେଜ୍ ଆଲମ ଓ ତାଙ୍କ ସହଯୋଗୀମାନେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଖରସୁଆଁ ଅଞ୍ଚଳରେ ଏକ ଷ୍ଟୋନ୍ କ୍ରସର କରି ବ୍ୟବସାୟ କରିଆସୁଥିଲେ। କିଛିମାସ ତଳେ ଜାମସେଦପୁରର କାର୍ତ୍ତିକ, ପପୁ ଓ ବୀରେନ୍ଦ୍ର ଚିପ୍ସ ପାଇଁ ଅଗ୍ରିମ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ତବରେଜ୍ ଓ ତାଙ୍କ ବ୍ୟବସାୟିକ ସହଯୋଗୀମାନଙ୍କ ମଧ୍ୟରେ ବିବାଦ ଯୋଗୁଁ କ୍ରସର ବନ୍ଦ ରହିଥିଲା। ଅଗ୍ରିମ ଟଙ୍କା ଦେଇଥିବା ଲୋକଙ୍କୁ ଚିପ୍ସ ଯୋଗାଇଦେବା ସମ୍ଭବ ହୋଇ ନଥିଲା। ଟଙ୍କା ଫେରସ୍ତ ନ ପାଇବାରୁ ଯୋଜନାବଦ୍ଧ ଭାବେ ଅଭିଯୁକ୍ତମାନେ ତବରେଜ୍ଙ୍କୁ ଝାଡ଼ଖଣ୍ଡ ଯାମୁଦା ଅଞ୍ଚଳରୁ ଅପହରଣ କରିନେଇଥିଲେ। ମୁଣ୍ଡ ଜାମିନ ରଖି ପରିବାର ଲୋକଙ୍କୁ ୭ ଲକ୍ଷ ଟଙ୍କା ମାଗିଥିଲେ। ନଚେତ ହତ୍ୟା କରିବାକୁ ଧମକ ଦେଇଥିଲେ।
ଏନେଇ ତବରେଜ୍ଙ୍କ ପତ୍ନୀ ଅଫସାରୀ ଖାତୁନ୍ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୧୩୭/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବଡ଼ବିଲ ଏସ୍ଡିପିଓ ହିମାଂଶୁ ଭୂଷଣ ବେହେରାଙ୍କ ନିର୍ଦେଶକ୍ରମେ ଏସ୍ଆଇ ଆଲୋକ ପରିଡ଼ାଙ୍କ ନେତୃତ୍ବରେ ବଡ଼ବିଲ ପୁଲିସର ଏକ ଟିମ୍ ଝାଡ଼ଖଣ୍ଡ ଜାମସେଦପୁରରେ ଚଢ଼ଉ କରି ଜୁବୁଲି ପାର୍କ ଅଞ୍ଚଳରୁ ତବରେଜ୍ଙ୍କୁ ଉଦ୍ଧାର କରିବା ସହ ୩ ଅପହରଣକାରୀଙ୍କୁ ଗିରଫ କରିଥିଲା। ଅପହରଣରେ ବ୍ୟବହୃତ ଏକ କାର୍ (ଜେଏଚ୍-୦୫-ଏଜି-୯୯୩୨)କୁ ପୁଲିସ ଜବତ କରାଯାଇଥିଲା। ଟ୍ରାଞ୍ଜିଟ ରିମାଣ୍ଡରେ ଅଭିଯୁକ୍ତମାନଙ୍କୁ ଆଣିବା ପାଇଁ ବଡ଼ବିଲ ପୁଲିସ ଜାମସେଦପୁର କୋର୍ଟରେ ଆବେଦନ କରିଥିଲେ। ସିଜେଏମ୍ ପୁଲିସର ରିମାଣ୍ଡ ଆବେଦନକୁ ଖାରଜ କରିବା ସହ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାରୁ ସେମାନେ ଖସି ଯାଇଛନ୍ତି।
ଏନେଇ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି, ବ୍ୟବସାୟୀଙ୍କୁ ଅପହଣ କରାଯାଇଥିବା ନେଇ ଅଭିଯୋଗ ପାଇବା ପରେ ତ୍ବରିତ ପଦକ୍ଷେପ ନିଆଯାଇଥିଲା। ଏକ ଟିମ୍ ଜାମସେଦପୁର ଯାଇ ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ବିଷ୍ଟୁପୁର ଥାନାକୁ ନିଆଯାଇଥିଲା। ସେମାନେ ପ୍ରଭାବଶାଳୀ ଲୋକ ହୋଇଥିବାରୁ ସେଠାକାର ପୁଲିସ ଆମ ଟିମ୍କୁ ସହଯୋଗ କରିନଥିଲେ। ଓଲଟା କୋର୍ଟରେ ହାଜର କରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କହିଥିଲେ। କୋର୍ଟ ରିମାଣ୍ଡ ଆବେଦନକୁ ଖାରଜ କରିବା ସହ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାରୁ ସେମାନେ ଖସି ଯାଇଛନ୍ତି। ଅନ୍ୟପକ୍ଷରେ ଅପହୃତ ବ୍ୟବସାୟୀ ତବରେଜ୍ଙ୍କୁ ଆଜି ବଡ଼ବିଲ ଜେଏମ୍ଏଫ୍ସି ନିକଟରେ ହାଜର କରାଯାଇଥିଲା। କୋର୍ଟରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିବାକୁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)