କୋରେଇ: କୋରେଇ ବ୍ଲକ୍ ଗୌରପୁର ପଞ୍ଚାୟତ ସାହାସପୁର ଗ୍ରାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ନେଇ ହୋଇଥିବା ଗଣ୍ତଗୋଳ ଘଟଣାରେ ପୁଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନିରଞ୍ଜନ ମହାପାତ୍ର, ଧନେଶ୍ବର ମହାପାତ୍ର ଓ ହୃଷିକେଶ ଜେନା। ଏନେଇ କୋରେଇ ଥାନାରେ ୧୪୪/୨୨ରେ ଏକ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି କୋରେଇ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି। ସାହାସପୁର ଗ୍ରାମରେ ମନରେଗା ଯୋଜନାରେ ଆର୍‌ଡି ରୋଡ୍‌ଠାରୁ ପଣାଦିଆ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ହେଉଥିଲା। ମନରେଗା କୋଡ୍‌ ନମ୍ବର-୨୪୨୦୦୦୮୦୦୬/ଏଲ୍‌ଡି/ ୧୦୬୭୯୮୩୦ରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ କରାଯାଇଥିବା ବେଳେ ଏଥିପାଇଁ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

Advertisment

ସରକାରୀ ନିୟମ ଅନୁସାରେ ମନରେଗା ଯୋଜନାରେ କେବଳ ଜବ୍‌ର୍ଡଧାରୀ ଶ୍ରମିକ କାମ କରିବାର ନିୟମ ରହିଛି। ଗ୍ରାମରେ ବହୁ ଜବ୍‌କାର୍ଡଧାରୀ ଥିଲେ ହେଁ ଏଠ‌ାରେ ମେସିନ୍ ସାହାଯ୍ୟରେ କାମ କରୁଥିଲେ। ସେମାନଙ୍କୁ ଅଣଦେଖା କରି ମେସିନରେ କାମ କରିବାକୁ ନେଇ ଗ୍ରାମର ଦିବାକର ବେହେରା ଏହାର ବିରୋଧ କରି ଗତକାଲି କାମ ବନ୍ଦ କରିବାକୁ କହିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ନିରଞ୍ଜନ ମହାପାତ୍ର, ବିଷ୍ଣୁ ମହାପାତ୍ର, ଧନେଶ୍ବର ମହାପାତ୍ର, ହୃଷୀକେଶ ଜେନା ତାଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଥିଲା। ଏନେଇ ନିରଞ୍ଜନଙ୍କ ପତ୍ନୀ ରଶ୍ମିତା ଗତକାଲି କୋରେଇ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଗୌରପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ୍ କାମ କରୁଥିବା ସଂପର୍କରେ କୋରେଇ ବିଡିଓଙ୍କ ସମେତ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।