ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

ହରିଚନ୍ଦନପୁର : ଘର ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ପୁଲିସ ମୃତ ମହିଳାଙ୍କ ସ୍ବାମୀ, ତାଙ୍କ ପ୍ରେମିକା ଓ କକାପୁଅ ଭାଇଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ମୃତ ଜୟନ୍ତୀ ପଲେଇ(୨୪)ଙ୍କ ସ୍ବାମୀ ଉଗ୍ରସେନ ପଲେଇ(୨୮), ପ୍ରେମିକା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଭେଜିଡିହି ଗ୍ରାମର ବିନୋଦ ପଲେଇଙ୍କ ଝିଅ ଅଞ୍ଚଳି(୨୧) ଏବଂ ଉ‌ଗ୍ରସେନଙ୍କ କକାପୁଅ ଭାଇ କୁଳମଣି(୨୧)। ସେମାନଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି।

ହରିଚନ୍ଦନପୁର ଥାନା ଧଗୋଠ ଗ୍ରାମରେ ୨୧ ତାରିଖ ରାତିରେ ଘରେ ଶୋଇଥିବା ବେଳେ ବାହାରପଟୁ ଚାବି ଦେଇ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଦେଇଥିଲେ। ଜୟନ୍ତୀ ପଲେଇ (୨୪)ଙ୍କ ଶରୀରର ପ୍ରାୟ ୮୦ ଭାଗରୁ ଅଧିକ ଜଳିଯାଇଥିଲା। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୨ ତାରିଖ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଥାନା ଅଧିକାରୀ ଦେବକୀ ନାଏକଙ୍କ ସୂଚନା ଅନୁଯାୟୀ, ଉଗ୍ରେସେନ ଓ ଅଞ୍ଜଳିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୁଇ ବର୍ଷ ପୂର୍ବରୁ ଉଗ୍ରେସେନ ଅଞ୍ଜଳିକୁ ବିବାହ କରିବା ପାଇଁ ତା’ ଘରେ ୧୫ ଦିନ ରଖିଥିଲା । ବାହାଘର ତାରିଖ ସ୍ଥିର ହୋଇଥିଲା। ଯେଉଁଦିନ ବାହାଘର ହୋଇଥାନ୍ତା, ଠିକ ପୂର୍ବଦିନ ଅଞ୍ଜଳି ନିଜ ଘରକୁ ଚାଲି ଯାଇଥିଲା । ଅଞ୍ଜଳି ଚାଲିଯିବା ପରେ ପରିବାର ଲୋକ ଉଗ୍ରେସେନକୁ ଘସିପୁରା ବ୍ଲକ ବରମୂଳ ଗ୍ରାମର ଜୟନ୍ତୀ ସହ ବୈଦିକ ରୀତିରେ ବିବାହ କରାଇଥିଲେ। ଉଗ୍ରେସେନ ଜୟନ୍ତୀକୁ ବିବାହ କରିଥିଲେ ମଧ୍ୟ ଅଞ୍ଜଳି ସହ ସମ୍ପର୍କ ରଖିଥିଲା। ରକ୍ଷାବନ୍ଧନରେ ଅଞ୍ଜଳି ଧଗୋଠ ଗ୍ରାମକୁ ଆସି ଜୟନ୍ତୀକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଉଗ୍ରେସେନ ଏବଂ ପ୍ରେମିକା ଅଞ୍ଜଳି ସହ ଜୟନ୍ତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

୨୧ ତାରିଖ ସଂଧ୍ୟାରେ ଅଞ୍ଜଳି ବସରେ ଆସି ହରିଚନ୍ଦନପୁରରେ ପହଞ୍ଚିଥିଲା । ପୂର୍ବରୁ ଉଗ୍ରେସେନ ହରିଚନ୍ଦନପୁରରେ ତାକୁ ଅପେକ୍ଷା କରି ରହିଥିଲା । ଉଗ୍ରେସେନ ଠାରୁ ଟଙ୍କା ନେଇ ଅଞ୍ଜଳି ୫ ଟି ତାଲା କିଣିଥିଲା । ଉଭୟ ଧଗୋଠ ଗ୍ରାମକୁ ଯାଇ ୩ ବୋତଲ ପେଟ୍ରୋଲ କିଣିବା ପରେ ଚାଉମିନ ଖାଇଥିଲେ। ଉଗ୍ରେସେନ ଘରପଛପାଖ ପଡ଼ିଆରେ ଅଞ୍ଜଳିକୁ ଛାଡି ଏକୁଟିଆ ଘରକୁ ଯାଇଥିଲା। ଜୟନ୍ତୀ ଶୋଇବା ପରେ ଉଗ୍ରେସନ ଅଞ୍ଜଳିକୁ ନେଇ ଘରକୁ ଯାଇଥିଲା। ନିଜ ଘର ସମେତ ଆଖପାଖ ଘର ଗୁଡିକରେ ମଧ୍ୟ ତାଲା ପକାଇଦେଇଥିଲେ। ଉଭୟ ଏକ ବୋତଲ ଲେଖାଏଁ ପେଟ୍ରୋଲ ଏକ କୁଣ୍ଡା ବସ୍ତା ଉପରେ ଚଢ଼ି ଜୟନ୍ତୀ ଶୋଇଥିବା ଘରେ ଦରି ଓ ପ୍ଲାଷ୍ଟିକ ଉପରେ ପକାଇଥିଲେ। ଅଞ୍ଜଳି ସମସ୍ତ ପେଟ୍ରୋଲ ପକାଇ ନପାରିବାରୁ ଉଗ୍ରସେନ ସେହି ପେଟ୍ରୋଲ ନେଇ ପକାଇବା ବେଳେ ତା ଦେହରେ କିଛି ପେଟ୍ରୋଲ ପଡି ଯାଇଥିଲା । ଅଞ୍ଜଳି ଡିଆସିଲ ମାରି ନିଆଁ ଲଗାଇ ପାରି ନଥିଲା। ଉଗ୍ରେସେନ ଡିଆସିଲ ମାରି ପୋଡ଼ିଲା ବେଳେ ତା ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ସେ କାନ୍ଥ ଚଢି ପାଖରେ ଥିବା ଭାଉଜ ଘରକୁ ଚାଲିଯାଇଥିଲା । ନିଆଁ ଲାଗି ଜୟନ୍ତୀ ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଉଗ୍ରେସେନ ମାତ୍ର ୧୦ ପ୍ରତିଶତ ପୋଡିଥିଲା ।

ନିଆଁ ଲଗାଇଲା ପରେ ଅଞ୍ଜଳିକୁ  ଉଗ୍ରସେନର କକା ପୁଅ ଭାଇ କୁଳମଣି ଏକ ବାଇକରେ ନେଇ ଝାଡ଼ପୋଖରୀ ଗ୍ରାମରେ ଛାଡିଥିଲା। ଥାନା ଅଧିକାରୀ ଦେବକୀ ନାଏକଙ୍କ ନେତୃତ୍ବରେ  ଏସ୍‌ଆଇ ଅଯୋଧ୍ୟା ନାଥ ମାଟିଆ, ସୁରେଶ କୁମାର ମାଝି, କନେଷ୍ଟବଳ ଛବିରାଣୀ ନାୟକ, ଦୁବୁରାଜ ଟୁଡୁ, ପ୍ରଶାନ୍ତ ବାରିକ, ମୃତ୍ୟଞ୍ଜୟ ନାୟକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ଘଟଣାର ପର୍ଦାଫାସ କରିଥିଲେ। ଥାନା ଅଧିକାରୀ ଦେବକୀ ନାଏକ ୧୭୪/୨୨ ,ଦଫା ୩୦୨/ ୩୪ ଆଇପିସି ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୩ ଜଣକୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

ସମ୍ବନ୍ଧିତ ଖବର