ମହିଳାଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ମହିଳାଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ଚଣ୍ଡିଖୋଲ: ଜମିବାଡ଼ି ବିବାଦରୁ ବୈରୀ ଥାନା ଅନ୍ତର୍ଗତ କପାଷ୍ଟିକିରୀ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଜୟନ୍ତ ନାୟକ, ତାଙ୍କ ପତ୍ନୀ ଉର୍ମିଳା ନାୟକ ଓ ଜେନାପୁର ଥାନା ଅନ୍ତର୍ଗତ ମୁରାରିପୁର ଗ୍ରାମର ରବୀନ୍ଦ୍ର ବାରିକ (୪୦)। ଏନେଇ ଆଜି ବୈରୀ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ଼ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ଜମିବାଡିକୁ କେନ୍ଦ୍ର କରି ଏହି ଥାନା ଅନ୍ତର୍ଗତ କପାଷ୍ଟିକିରୀ ଗ୍ରାମର ଗୌରାଙ୍ଗ ନାୟକ ଓ ତାଙ୍କ ସାନଭାଇ ଜୟନ୍ତ ନାୟକଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷ ହେବ ତିକ୍ତତା ଲାଗି ରହିଥିଲା। ଗତ ୫ ତାରିଖ ଦିନ ଗୌରାଙ୍ଗଙ୍କ ପତ୍ନୀ ଅନିତା ନାୟକ (୪୪) ନିଜ ଘର ପାଖ ଦାଣ୍ଡ ଓଳାଉଥିବା ବେଳେ ଦିଅର ଜୟନ୍ତ ତାଙ୍କ ପାଟିକୁ ଜାବୁଡି ଧରି ନିଜ ଘର ଭିତରକୁ ଟାଣି ନେଇଥିଲା। ଘର ଭିତରେ ଅନିତାଙ୍କୁ ଉର୍ମିଳା ଓ ରବୀନ୍ଦ୍ର ଧରିଥିବା ବେଳେ ଦିଅର ଜୟନ୍ତ ଏକ କୁରାଢ଼ିରେ ଚୋଟ ପକାଇ ହତ୍ୟା କରିଥିଲା। ପରେ ତିନିଜଣ ଶବକୁ ଆଣି ଦାଣ୍ଡରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ବୋଲି ଏସ୍‌ଡିପିଓ କହିଛନ୍ତି। ନିଜ ମା’ଙ୍କୁ ଦାଦା ଜୟନ୍ତ ପାଟି ବନ୍ଦ କରି ଘର ଭିତରକୁ ନେଇ ଯାଉଥିବା ଦେଖି ମୃତା ଅନିତାଙ୍କ ପୁଅ ଲକ୍ଷ୍ମୀଧର ପାଟି କରି ଡକା ପକାଇଥିଲେ ମଧ୍ୟ କେହି ଘଟଣା ସ୍ଥଳକୁ ଆସି ନଥିଲେ।

ପୁଅ ଲକ୍ଷ୍ମୀଧରଙ୍କ ଲିଖିତ ଅଭିଯୋଗ ଆଧାର କ୍ରମେ ବୈରୀ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ, ଏସ୍‌ଆଇ ସୁବ୍ରତ ସାହୁ ଓ ଜେ ଆଦେନି ପ୍ରମୁଖ ତଦନ୍ତ କରିଥିଲେ। ମୁଖ୍ୟ ଅଭିଯୁକ୍ତ ଜୟନ୍ତଙ୍କୁ ପୁଲିସ କଟକ ଜଗତପୁର ଗୋଲେଇ ଛକ ନିକଟରୁ ଧରି ଆଣିଥିଲା। ତଦନ୍ତ ସମୟରେ ଏହି ଘଟଣାରେ ରବୀନ୍ଦ୍ର ଓ ଉର୍ମିଳା ସମ୍ପୃକ୍ତ ଥିବା ପୁଲିସ ସୂଚନା ପାଇଥିଲା। ଆଜି ସକାଳେ ଜୟନ୍ତଙ୍କ ପତ୍ନୀ ଉର୍ମିଳାକୁ କପାଷ୍ଟିକିରୀ ଗ୍ରାମରେ ତାଙ୍କ ଭାଇଙ୍କ ଘର ପଛପଟ ବାଉଁଶ ବୁଦାରୁ ଗିରଫ କରିଥିଲା। ସେହିପରି ଅନ୍ୟ ଅଭିଯୁକ୍ତ ରବୀନ୍ଦ୍ରକୁ ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଜାରର ଏକ ହୋଟେଲରୁ ଗିରଫ କରାଯାଇଥିଲା। ସୂଚନା ମୁତାବକ ଜୟନ୍ତ ଓ ରବୀନ୍ଦ୍ର ଉଭୟ କଟକ ଜଗତପୁରଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ହତ୍ୟା ପାଇଁ ଉଭୟ ତିନି ମାସ ପୂର୍ବରୁ ଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe