ଡ୍ରାଇଭରକୁ ବାନ୍ଧି ଟ୍ରକ୍ ଓ ବିଦେଶୀ ମଦ ଲୁଟ୍ ଘଟଣା, ୩ ଗିରଫ

ରେଢ଼ାଖାଲ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ମୋଚିବାହାଲ ଅଞ୍ଚଳରେ ଡ୍ରାଇଭରଙ୍କୁ ବାନ୍ଧି ଟ୍ରକ ସହିତ ବିଦେଶୀ ମଦ ଲୁଟ ଘଟଣାର ପଦ୍ଦାଫାସ୍‌ କରିଛି ପୁଲିସ। ଚୋରି ଯାଇଥିବା ଟ୍ରକ ସହିତ ପ୍ରାୟ ୪୩ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମଦ ପୁଲିସ୍‌ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର୍‌ ଅଚନ୍ତି। ଲୁଟ୍‌ରେ ବ୍ୟବହୃତ କାର୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୈାଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁରର ଅଶ୍ବିନୀ ବର୍ଗତ୍ତୀ (୩୦), ଅନୁଗୁଳ ଜିଲ୍ଲା କିଆକଟା ଥାନା ସାନବେରୁଣୀ ଗ୍ରାମର ବିଭୂରେନ୍ଦ୍ର ମଲ୍ଲିକ (୨୬) ଓ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଳପାଲି ସଲମାଟିକିରାର ଡୋଳାମଣି ସାଲମା (୩୩)। ଅଭିଯୁକ୍ତମାନଙ୍କୁ ଡାକାୟତି ଓ ଅପହରଣ ମାମଲା ରୁଜୁ କରି ମଙ୍ଗଳବାର ପୁଲିସ୍‌ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଗତ ଜୁନ୍‌ ୩୦ ତାରିଖରେ ଏକ ଟ୍ରକ୍‌ (ଓଆର ୦୫ଡବ୍ଲୁ-୭୭୭୯) ପୁରୀ ନିମାପଡ଼ା ଏକମାକୋଣା ସ୍ଥିତ ବଟଲିଂ ପ୍ଲାଣ୍ଟରୁ ୯୫୦ ପେଟି ବିଦେଶୀ ମଦ ବୋଝେଇ କରି ସମ୍ବଲପୁର ଅଭିମୁଖେ ଆସୁଥିଲା। ତେବେ ଟ୍ରକ୍‌ ରେଢ଼ାଖୋଲର ଏକ ପେଟ୍ରୋଲ୍ ପମ୍ପ୍‌ରେ ପହଞ୍ଚିବା ପରେ ସେଠାରୁ ୫ ଜଣ ଦୁର୍ବୃତ୍ତ ତା’ ଉପରେ ନଜର ରଖିଥିଲେ। ସେଠାରୁ ଗାଡ଼ି ସମ୍ବଲପୁର ଅଭିମୁଖେ ବାହାରିବା ପରେ ସଂପୃକ୍ତ ଦୁର୍ବୃତ୍ତମାନେ ଏକ କାର୍‌ (ଓଡି ୦୨ବିଏନ୍‌-୯୧୬୧) ଯୋଗେ ତା’ର ପିଛା କରିଥିଲେ। ୫୫ ନମ୍ବର ଜାତୀୟ ରାଜପଥର ଚାରମାଳ ଥାନା ମୋଚିବାହାଲ ନିକଟ ଏକ ନିଛାଟିଆ ସ୍ଥାନରେ ସେମାନେ ଟ୍ରକ୍‌ ଚାଳକ ନିମାପଡ଼ା ଅଞ୍ଚଳର ରଞ୍ଜନ ବାରିକଙ୍କୁ କାବୁ କରି ବାନ୍ଧି ପକାଇବା ସହ ଟ୍ରକ୍‌ ସହିତ ବିଦେଶୀ ମଦ ନେଇ ସମ୍ବଲପୁର, ଗୋଡ଼ଭଗା ଦେଇ ବିନିକାର ଡୋଳାମଣି ସଲମାଙ୍କ ଏକ ବନ୍ଦ ଟାଇଲ ଫ୍ୟାକଟ୍ରିରେ ପହଞ୍ଚିଥିଲେ। ସେଠାରେ ମଦ ଖାଲି କରିବା ପରେ ଦୁର୍ବୃତ୍ତମାନେ ଅପହୃତ ଡ୍ରାଇଭର ରଞ୍ଜନ ଓ ଖାଲି ଟ୍ରକ୍‌କୁ ଆଣି ରେଢ଼ାଖୋଲ ଥାନା ଅନ୍ତର୍ଗତ ରେଢ଼ାଖୋଲ-ନାକଟିଦେଉଳ ରାସ୍ତାର ଡିମିରିକୁଦାରେ ଛାଡ଼ି ଦେଇଥିଲେ। ରଞ୍ଜନଙ୍କଠାରୁ ଖବର ପାଇ ମାଲିକ ମୁକେଶ କୁମାର ଆସି ପହଞ୍ଚିବା ପରେ ଉଭୟେ ଚାରମାଳ ଥାନାରେ ପହଞ୍ଚି ଏତଲା ଦେଇଥିଲେ।

ଅଭିଯୋଗ ପରେ ସମ୍ବଲପୁର ଏସ୍‌ପି ଏକ ସ୍ବତନ୍ତ୍ର ଟିମ୍‌ କରି ଘଟଣାର ତଦନ୍ତ ଜାରି ରଖିଥିଲେ। କିଛି ଦିନ ହେଲା ରେଢ଼ାଖୋଲ ସମେତ ସମମ୍ବଲପୁର-ବୌଦ୍ଧର ବିଭିନ୍ନ ସୀମା ଅଞ୍ଚଳରେ ଖାନତଲାସି ଜାରି ରହିଥିଲା। ସୋମବାର ବିଭିନ୍ନ ଅଞ୍ଚଳରୁ ଉପରୋକ୍ତ ୩ ଜଣଙ୍କୁ ଗିରଫ କରିବା ସହ ୯୩୧ ପେଟି ବିଦେଶୀ ମଦ ଉଦ୍ଧାର କରିଥିଲା। ଜବତ ମଦର ମୂଲ୍ୟ ୪୩ ଲକ୍ଷ ୮୫ ହଜାର ୯୧୧ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହା ସହ ଘଟଣାରେ ବ୍ୟବହୃତ କାର୍‌ ଓ ଦୁର୍ବୃତ୍ତମାନେ ଅଚଳ କରି ଦେଇଥିବା ଟ୍ରକ୍‌ର ଜିପିଏସ୍‌କୁ ଜବତ କରାଯାଇଛି। ପ୍ରକାଶ ଥାଉ କି ମୁଖ୍ୟ ଅଭିଯୁକ୍ତ ଅଶ୍ବିନୀ ବର୍ଗତ୍ତୀ ନାଁ’ରେ ଅନିଗୁଳ ଜିଲ୍ଲା ହଣ୍ତପା ଥାନାରେ ଏକ ମାମଲା ଥିବା ବେଳେ ବିଭୁରେନ୍ଦ୍ର ନାଁ’ରେ ରେଢ଼ାଖୋଲ ଓ ଖଣ୍ତଗିରି ଥାନରେ ଗୋଟିଏ ଲେଖାଏଁ ଏବଂ ଆଠମଲ୍ଲିକ ଥାନାରେ ୩ଟି ଚୋରି ଓ ଡକାୟତି ମାମଲା ରହିଛି। ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେରଙ୍କ ନେତୃତ୍ବରେ ଚାରମାଳ ପୁଲିସ୍‌ ଚଢ଼ଉ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର