ବାରବନ୍ଧା ନାବାଳିକା ଛାତ୍ରୀ ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସମେତ ୩ ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ବେଲଗାଁ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲଗାଁ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ହରିକେଶ ଗ୍ରାମର ହିମାଦ୍ରୀ ମଳୟ ମଙ୍ଗରାଜ ଓରଫ ରାଜୁ (୩୫) ଗତ ୨ବର୍ଷ ଧରି ଅସ୍ଥାୟୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ନିଜ ସ୍କୁଲର ଜଣେ ନାବାଳିକା ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ମାର୍ଚ୍ଚ ୭ ତାରିଖ ଅପହରଣ କରି ନେଇଥିଲେ। ମାର୍ଚ୍ଚ ୧୧ ତାରିଖ ନାବାଳିକାକୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବସ୍‌ରେ ବସାଇ କଳାହାଣ୍ଡି ପଠାଇଥିଲେ। ମାର୍ଚ୍ଚ ୧୨ ରେ ମଦନପୁର ରାମପୁର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ସେବେଠାରୁ ସମ୍ପୃକ୍ତ ଶିକ୍ଷକ ଫେରାର ଥିଲେ। ଗତକାଲି ପୁଲିସର ଏକ ଟିମ୍‌ ସୁନ୍ଦରଗଡ଼ରୁ ଆସାମୀକୁ ଗିରଫ କରି କଳାହାଣ୍ଡିକୁ ଆଣିଥିଲେ। ଏହି ଘଟଣାରେ ପୁଲିସ ହିମାଦ୍ରୀ ମଳୟ ମଙ୍ଗରାଜ (୩୫) ଓ ସହଯୋଗ କରିଥିବା ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମାରବସ୍ତା ଗାଁର ଅଶ୍ବିନ ବଳିଆର ସିଂ (୪୨) ଓ ନର୍ଲା ଥାନା ଘୋଡ଼ାବନ୍ଧ ଗ୍ରାମର ଅଜିତ ସାହୁ (୨୫)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

କେସିଙ୍ଗା ଏସ୍‌ଡିପିଓ ଏସ୍‌. ସୁଶ୍ରୀ, ଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନ, ଏସ୍‌ଆଇ ଜେ.ଡ଼ି ତାରିଣୀ, ଏଏସ୍‌ଆଇ କେ.ସି. ପଣ୍ଡା, ତାପସ ରଞ୍ଜନ ମହନ୍ତ, ବବ୍ରୁବାହାନ ମାଝୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ପରେ ସୁନ୍ଦରଗଡ଼ରୁ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗତକାଲି ଗିରଫ କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସମେତ ୩ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି କଳାହାଣ୍ଡି ପୁଲିସ ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର