ତହସିଲଦାର ‘୪୨୦’: ମୁଖ୍ୟ କାର୍ପଟଦାର ସମେତ ୩ ଗିରଫ

ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ

ବଲାଙ୍ଗୀର : ବଲାଙ୍ଗୀର ତହସିଲ୍‌ରେ ଜମି ଦୁର୍ନୀତି ଘଟଣାରେ ପୁଲିସ୍‌ ମୁଖ୍ୟ କାର୍ପଟଦାରଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ‘ସମ୍ବାଦ’ରେ ଏ ନେଇ ଲଗାତାର ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନର ଦୁଇଜଣିଆ ତଦନ୍ତକାରୀ ଟିମ୍‌ ତଦନ୍ତ କରିସାରିଛନ୍ତି। ତହସିଲଦାରଙ୍କ ସଂପୃକ୍ତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇସାରିଥିବା ଜଣାପଡ଼ିଛି। ହେଲେ, ତହସିଲ୍‌ଦାରଙ୍କ ବିରୋଧରେ ଜିଲ୍ଲାପାଳ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଘଟଣାରେ ବଲାଙ୍ଗୀର ତହସିଲ୍‌ଦାର, ଆର୍‌ଆଇ, ସବ୍‌ରେଜିଷ୍ଟ୍ରାର, ଙ୍କ ସମେତ ୯ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଅନ୍ୟମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ଗିରଫ ୩ଜଣ ହେଲେ, ମୁଖ୍ୟ କାର୍ପଟଦାର ମାଧବ ପୃଷ୍ଟି, ନକଲି ଜମି ମାଲିକ ଉତ୍ତମ ନାଗ ଓ ସାକ୍ଷୀ ସାଜିଥିବା ଦେବରାଜ ରାଉତ। ଏହି ଜମି କେଳେଙ୍କାରୀର ଅଭିଯୁକ୍ତ ତାଲିକାରେ ଥିବା ଉତ୍ତମ ନାଗ ଜଣେ ଦିନ ମଜୁରିଆ। ତାଙ୍କୁ ଭୁତାଇ ଛୁଟି ଦିନରେ ତହସିଲ ଅଫିସ୍‌କୁ ଆଣିଥିଲେ ମାଧବ ପୃଷ୍ଟି। ଟିପଚିହ୍ନ ନେଇ ଜମି ଜାଲିଆତି କରି ନିଜ ନାଁକୁ ନେଇଥିଲେ। ଆଉ ପୂରା ପ୍ରକ୍ରିୟାକୁ ସମର୍ଥନ କରିଥିଲେ ତହସିଲଦାର। କିନ୍ତୁ ଏବେ ଉତ୍ତମ ନାଗଙ୍କୁ ଆଣି ପୁଲିସ କୋର୍ଟଚାଲାଣ କରିସାରିଥିଲେ ବି ତହସିଲଦାରଙ୍କୁ ଏଯାଏ ଜେରା ବି କରିନି। ଅନ୍ୟ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ବି ହାତ ମାରିନି ପୁଲିସ। ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ଘଟଣାକୁ ନେଇ କହିଛନ୍ତି, ସମ୍ବେଦନଶୀଳ ମାମଲା ହୋଇଥିବାରୁ ପ୍ରମାଣ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାର ତଦନ୍ତ ଚାଲିଛି। ମାମଲାରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚୁରା ଚାଲିଛି ।

ଅନ୍ୟପକ୍ଷରେ, ଏହିଭଳି ଏକ ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଶ୍ବଜିତ ଦାଶଙ୍କୁ ପୁଲିସ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଶ୍ରୀଦାଶ ସୋମବାର ଖବର ସଂଗ୍ରହ ପାଇଁ ସଦର ଥାନାକୁ ଯାଇଥିଲେ। ତାଙ୍କୁ ଦେଖୁ ଦେଖୁ ଡ୍ୟୁଟିରେ ଥିବା ପୁଲିସ ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର ଚିହିଁକି ଉଠିଥିଲେ। ହଠାତ୍‌ ସିଟ୍‌ରୁ ଉଠିଯାଇ କର୍ତ୍ତବ୍ୟରତ ସାମ୍ବାଦିକ ଶ୍ରୀ ଦାଶଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଫୋନ୍‌ ଝାମ୍ପି ନେଇଥିଲେ। ଖବର ପାଇ ବଲାଙ୍ଗୀର ସଦର ଥାନାରେ ତୁରନ୍ତ ପହଞ୍ଚିଥିଲେ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର। ଜିଲ୍ଲା ସାମ୍ବାଦିକ ସଂଘ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏସ୍‌ପି ଉପସ୍ଥିତ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାକୁ ନେଇ ବି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟିହୋଇଛି। ସମଗ୍ର ଘଟଣାରେ ତହସିଲଦାରଙ୍କ ସଂପୃକ୍ତି ଜଳଜଳ ଦେଖାଯାଉଥିଲା ବେଳେ ତାଙ୍କୁ ଏଯାଏ ଜେରା ସୁଦ୍ଧା କରାନଯିବା ପୁଲିସର ଭୂମିକା ସ୍ବତଃ ସନ୍ଦେହ ଘେରକୁଆସିଛି। ଜମି କେଳେଙ୍କାରୀର ତହସିଲଦାର ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାକୁ ଯାଇ ପୁଲିସ ଏମିତି ତାତି ଉଠୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଯେ, ପୂରା ଜମି କେଳେଙ୍କାରୀକୁ ନେଇ ବାର ବାର ତଥ୍ୟଭିତ୍ତିକ ଖବର ପ୍ରକାଶ କରିଚାଲିଛି ‘ସମ୍ବାଦ’ । କିଏ କେମିତି କାହାକୁ ମାଲିକ ସଜାଇ ଜମି ହଡ଼ପ କରିଛନ୍ତି, ତାହାର ଟିକିନିକି ତଥ୍ୟଭିତ୍ତିକ ଖବର ପ୍ରସାରଣ କରାଯାଉଛି।

ସମ୍ବନ୍ଧିତ ଖବର